ଝାରସୁଗୁଡ଼ା ଭୋଟ୍ ଶେଷ ହେବା ପରେ ଇଭିଏମ୍ଗୁଡ଼ିକ କଡ଼ା ସୁରକ୍ଷା ମଧ୍ୟରେ ଷ୍ଟ୍ରଙ୍ଗରୁମ୍ରେ ରହିଛି । ଶନିବାର ଝାରସୁଗୁଡ଼ା ଇଂଜିନିୟରିଂ ସ୍କୁଲ ପରିସରରେ ସକାଳ ୮ ଘଟିକାରେ ପ୍ରଥମେ ପୋଷ୍ଟାଲ୍ ବାଲାଟ୍ ଗଣତି ହେବ । ଏହାପରେ ଅର୍ଥାତ ଠିକ୍ ସାଢ଼େ ୮ରେ ଇଭିଏମ୍ ଗଣତି ଆରମ୍ଭ ହେବ । ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ । ଗୁରୁବାର ଝାରସୁଗୁଡ଼ା ଉପନିର୍ବାଚନ ଭୋଟଗଣତି ସଂପର୍କିତ ଉଚ୍ଚସ୍ତରୀୟ ବୈଠକ ବସିଥିଲା ।
ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ଝାରସୁଗୁଡ଼ା ଜିଲ୍ଲାପାଳ ତଥା ଜିଲ୍ଲାନିର୍ବାଚନ ଅଧିକାରୀ ଆବୋଲି ଏସ୍ ନରୱାଣେ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ମଥ୍ ପି ପୁରୁଷୋତ୍ତମ ଦାସ ଓ ଅନ୍ୟ ଅଧିକାରୀଙ୍କ ସହ ଭୋଟ୍ଗଣତି ସଂପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି । ଭୋଟ୍ଗଣତି ନିମନ୍ତେ ସମସ୍ତ ପ୍ରକାରର ସୁବ୍ୟବସ୍ଥା କରାଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଜିଲ୍ଲା ନିର୍ବାଚନ ଅଧିକାରୀ ଅବଗତ କରାଇଛନ୍ତି ।
ଭୋଟ୍ଗଣତି କେନ୍ଦ୍ର ତଥା ଝାରସୁଗୁଡ଼ା ଇଂଜିନିୟରିଂ ସ୍କୁଲ ଚତୁଃପାର୍ଶ୍ୱରେ ଭୋଟ୍ଗଣତି ଦିନ ସମ୍ଭାବ୍ୟ ଜନଗହଳିକୁ ପରିଚଳାନା ସହ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ମୁଖ୍ୟ ନିର୍ବାଚନ ଅଧିକାରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଭୋଟ୍ ଗଣତି ଦିନ ଯେପରି କୌଣସି ପ୍ରକାରର ଅସୁବିଧା ନହେବ, ସେଥିଲାଗି ପ୍ରସ୍ତୁତ ରହିବାକୁ ସେ ଉପସ୍ଥିତ ସମସ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲାପାଳ ପ୍ରବୀର କୁମାର ନାୟକ ଓ ଲଙ୍କେଶ୍ୱରଅମାତ, ଉପଜିଲ୍ଲାପାଳ ରିଟର୍ଣ୍ଣିଂ କିଶୋର ଚନ୍ଦ୍ର ସ୍ୱାଇଁ, ଝାରସୁଗୁଡ଼ା ଡିଆଇଓ, ଏନ୍ଆଇସି ଅକ୍ଷୟ କୁମାର ମିଶ୍ର, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ,ଓଏସ୍ଡି ଭବାନୀ ପ୍ରସାଦ ରାୟ, ଉପମୁଖ୍ୟ ନିର୍ବାଚନ ଅଧିକାରୀ ପଦ୍ମଜା ଦାଶ, ବିତ୍ତ ଅଧିକାରୀ ସଂଜୟ କୁମାରଲୁଗୁନ୍, ଆଇଟି ନୋଡାଲ୍ ଅଧିକାରୀ ଦେବରାଜ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।