ଆସନ୍ତା ୨୦ ତାରିଖରୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମୟୂରଭଞ୍ଜ ଜିଲାରେ ୨୦ ଓ ୨୧ ତାରିଖ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଥିବା ବେଳେ ୨୧ ଓ ୨୨ ତାରିଖରେ ସମ୍ବଲପୁରରେ ଦୁଇଟି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ଶନିବାର ବାରିପଦା ଆସି ସୁରକ୍ଷା ବ୍ୟବସ୍ଥା ନେଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ହେଲିପ୍ୟାଡ ପାଇଁ ରିଜର୍ଭ ପୁଲିସ ପଡ଼ିଆ ଓ ଛଉ ପଡ଼ିଆ ୨ଟି ସ୍ଥାନ ଚିହ୍ନଟ ହୋଇଛି। ସେଥିମଧ୍ୟରୁ ଗୋଟିଏ ସ୍ଥାନ ଚୂଡାନ୍ତ ହେବା ପରେ ହେଲିପ୍ୟାଡ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଏଥିସହିତ ବାରିପଦା ସହିଦ ସ୍ମୃତି ଭବନରେ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ ସହିତ ସାନ୍ତାଳୀ ଲେଖକ ସଂଘର କର୍ମକର୍ତ୍ତାଙ୍କ ସହ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଛି। ଆଇଜିଙ୍କ ଅନୁଧ୍ୟାନ ସମୟରେ ଜିଲାପାଳ ବିନୀତ ଭରଦ୍ୱାଜ, ଜିଲା ଆରକ୍ଷୀ ଅଧୀକ୍ଷକ ଏସ ସୁଶ୍ରୀ, ଅତିରିକ୍ତ ଜିଲାପାଳ ଦୌଲତ ଚନ୍ଦ୍ରକାର, ଅତିରିକ୍ତ ଜିଲାପାଳ ଅଭିମନ୍ୟୁ ବେହେରାଙ୍କ ସମେତ ବିଭିନ୍ନ ବିଭାଗର ଜିଲାସ୍ତରୀୟ ଅଧିକାରୀ ଓ ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ। ଆସନ୍ତା ୨୦ରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ପଶ୍ଚିମବଙ୍ଗର କଲେଇକୁଣ୍ଡାରୁ ସ୍ୱତନ୍ତ୍ର ହେଲିକପ୍ଟରରେ ଆସି ଅପରାହ୍ଣ ୨ଟାରେ ବାରିପଦାରେ ପହଞ୍ଚିବେ।
ଏହାପରେ ସେ ସ୍ଥାନୀୟ ସହିଦ ସ୍ମୃତି ଭବନଠାରେ ଅନୁଷ୍ଠିତ ହେବାକୁ ଥିବା ୩୬ତମ ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘର ବାର୍ଷିକ ସମ୍ମିଳନୀକୁ ଉଦ୍ଘାଟନ କରିବା କାର୍ଯ୍ୟକ୍ରମ ରହିଛି। ଏଠାରେ କାର୍ଯ୍ୟକ୍ରମ ସାରି ରାଷ୍ଟ୍ରପତି ଅପରାହ୍ଣ ୫ଟା ୩୦ମିନିଟରେ ହେଲିକପ୍ଟର ଯୋଗେ ରାଇରଙ୍ଗପୁର ଅଭିମୁଖେ ଯାତ୍ରା କରିବେ। ସେଠାରେ ସର୍କିଟ ହାଉସଠାରେ ସ୍ଥାନୀୟ ଲୋକଙ୍କ ସହ ଭାବ ବିନିମୟ କାର୍ଯ୍ୟକ୍ରମ ରହିଛି। ରାଇରଙ୍ଗପୁର ଡାକ ବଙ୍ଗଳାଠାରେ ସ୍ଥାନୀୟ ଜନସାଧାରଣଙ୍କୁ ଭେଟିବେ। ଏହାପରେ ରାଇରଙ୍ଗପୁରସ୍ଥିତ ତାଙ୍କ ନିଜ ବାସଭବନରେ ବିଶ୍ରାମ ନେବେ। ୨୧ ତାରିଖ ସକାଳ ୮ଟାରେ ରାଷ୍ଟ୍ରପତି ସଡ଼କ ପଥରେ ୨୧ କିଲୋମିଟର ଯାତ୍ରା କରି ତାଙ୍କ ନିଜ ଶାଶୂଘର ଗ୍ରାମ ପାହାଡ଼ପୁର ଯିବେ। ସେଠାରେ ଦକ୍ଷତା ବିକାଶ ତାଲିମ କେନ୍ଦ୍ର ଉଦ୍ଘାଟନ କରିବେ ଏବଂ ଏହାପରେ ଏସ୍ଏଲ୍ଏସ୍ ସ୍କୁଲ ପରିଦର୍ଶନ କରିବା ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରି ଅଞ୍ଚଳବାସୀଙ୍କ ସହ ଆଲୋଚନା କରିବେ। ୨୧ ତାରିଖ ସକାଳେ ରାଷ୍ଟ୍ରପତି ପାହାଡ଼ପୁରରୁ ବାହାରି ବାଦାମପାହାଡ଼ ରେଳ ଷ୍ଟେସନରେ ପହଞ୍ଚିବେ।
ସେଠାରେ ଟାଟାନଗର-ବାଦାମପାହାଡ଼ ମେମୁ ଟ୍ରେନ, ବାଦାମପାହାଡ଼-ରାଉରକେଲା ଏକ୍ସପ୍ରେସ ଏବଂ ଶାଲିମାର-ବାଦାମପାହାଡ଼ ଏକ୍ସପ୍ରେସ ରେଳକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ଏହା ସହିତ ବାଦାମପାହାଡ଼ ଅମୃତ ରେଳ ଷ୍ଟେସନର ମଧ୍ୟ ଶିଳାନ୍ୟାସ କରିବେ। ପରେ ରାଇରଙ୍ଗପୁର ଡାକ ଡିଭିଜନ ଉଦ୍ଘାଟନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଆଭାସି ଜରିଆରେ ଯୋଡ଼ି ହେବେ। ଏହାପରେ ରାଷ୍ଟ୍ରପତି ବାଦାମପାହାଡ଼ରୁ ରାଇରଙ୍ଗପୁର ରେଳ ଷ୍ଟେସନକୁ ରେଳ ଯୋଗେ ଯାତ୍ରା କରି ପୂର୍ବାହ୍ଣ ୧୧ଟା ୫୫ରେ ଦାଣ୍ଡବୋଷ ହେଲିପ୍ୟାଡରୁ ସମ୍ବଲପୁର ଅଭିମୁଖେ ଯାତ୍ରା କରିବା କାର୍ଯ୍ୟକ୍ରମ ରହିଛି।୨୧ ତାରିଖ ଅପରାହ୍ଣ ୧ଟା ୨୦ମିନିଟ୍ରେ ବୁର୍ଲାରେ ପହଞ୍ଚିବା ପରେ ଅପରାହ୍ଣ ୪ଟା ୧୦ ମିନିଟ୍ରେ ଭିସୁଟ୍ର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଗସ୍ତର ଶେଷ ଦିନ ଅର୍ଥାତ ୨୨ରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ବବିଦ୍ୟାଳୟ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ଯୋଗଦେବେ। ସେହିଦିନ ପୂର୍ବାହ୍ଣ ୧୧ଟା ୫ମିନିଟରେ ଶ୍ରୀମତୀ ମୁର୍ମୁ ଝାରସୁଗୁଡା ବିମାନ ବନ୍ଦରରୁ ସ୍ବତନ୍ତ୍ର ବାୟୁସେନା ବିମାନ ଦ୍ବାରା ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ଚଳିତ ମାସରେ ରାଷ୍ଟ୍ରପତି ଦ୍ବିତୀୟ ଥର ପାଇଁ ୨୭ ତାରିଖରେ ପାରାଦ୍ବୀପ ଆସି ବନ୍ଦର ପ୍ରଶାସନ ପକ୍ଷରୁ ଆୟୋଜିତ ହେବାକୁ ଥିବା ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।