Odia News Portal

ମଧୁବାବୁ ପେନ୍‌ସନ୍‌ ଯୋଜନା ହିତାଧିକାରୀ ବୃଦ୍ଧି ନିଷ୍ପତ୍ତି

ମଧୁବାବୁ ପେନ୍‌ସନ୍‌ ଯୋଜନା(ଏମ୍‌ବିପିଓ୍ବାଇ) ହିତାଧିକାରୀ ବୃଦ୍ଧି ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ସମସ୍ତ ଜିଲାର ଜିଲାପାଳ ଓ ମହାନଗର ନିଗମ କମିଶନରଙ୍କୁ ଚିଠି କରାଯାଇଛି। ସାମାଜିକ ସୁରକ୍ଷା ପ୍ରମୁଖ ସଚିବ ଚିଠି ଲେଖି ଏହି ନିର୍ଦ୍ଦେଶ ଦେଇଛନ୍ତି। ତେବେ ଯୋଗ୍ୟ ହିତାଧିକାରୀଙ୍କ ଆବେଦନକୁ ୩ ଦିନ ଭିତରେ ମଞ୍ଜୁରୀ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପେନ୍‌ସନ୍‌ ପୋର୍ଟାଲର ଆବେଦନକାରୀଙ୍କ ତଥ୍ୟ ଦେଇ ସାମାଜିକ ସୁରକ୍ଷା ପ୍ରମୁଖ ସଚିବ ଏହି ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ୨୦୨୩ ଅଗଷ୍ଟରେ ଅତିରିକ୍ତ ୪.୧୩ ଲକ୍ଷ ଲୋକଙ୍କୁ ଏହି ଯୋଜନାରେ ସାମିଲ କରିଥିଲେ। ରାଜ୍ୟ ସରକାର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ସାମାଜିକ ସୁରକ୍ଷା ପ୍ରଦାନ କରିଥାନ୍ତି। ଏଥିରେ ବରିଷ୍ଠ ନାଗରିକ, ବିଧବା,ଦିବ୍ୟାଙ୍ଗ, ଅବିବାହିତା ମହିଳା, ସୁସ୍ଥ ହୋଇଥିବା କୁଷ୍ଠ ଓ ଏଡ଼ସ ରୋଗୀ, ଛାଡ଼ପତ୍ର ପାଇଥିବା ମହିଳା, କିନ୍ନର, କୋଭିଡ ଅନାଥ ପିଲାମାନେ ଏଥିରେ ସାମିଲ ହୋଇଥାନ୍ତି। ଏହି ଯୋଜନାରେ ଛୋଟ ପିଲାଠାରୁ ୭୯ ବର୍ଷ ପର୍ୟ୍ୟନ୍ତ ହିତାଧିକାରୀମାନେ ମାସକୁ ୫୦୦ ଟଙ୍କା ପାଇଥାନ୍ତି। ୮୦ ବର୍ଷ ବା ଅଧିକ ବୟସର ଲୋକ ମାସକୁ ୭୦୦ ଟଙ୍କା ପାଆନ୍ତି।

ଦିବ୍ୟାଙ୍ଗଙ୍କ କ୍ଷେତ୍ରରେ ୪୦ରୁ ୫୯ ପ୍ରତିଶତ ଅକ୍ଷମତା ଥିବା ଲୋକ ମାସକୁ ୫୦୦ ଟଙ୍କା ପାଉଥିବା ବେଳେ ୬୦ ପ୍ରତିଶତ ବା ଅଧିକ ଅକ୍ଷମତା ଥିବା ବ୍ୟକ୍ତି ୭୦୦ ଟଙ୍କା ପାଆନ୍ତି। ୬୦ ପ୍ରତିଶତରୁ ଅଧିକ ଅକ୍ଷମତା ଥିବା ୮୦ ବର୍ଷ ବୟସରୁ ଊର୍ଦ୍ଧ୍ୱ ଲୋକଙ୍କୁ ମାସିକ ୯୦୦ ଟଙ୍କା ମିଳିଥାଏ।