Odia News Portal

ଓଡ଼ିଶାରରେ ନମ୍ୱର ୧ କ୍ୟାପିଟାଲ ହସ୍ପିଟାଲ

 ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ଆଉ ଏକ ଫର୍ଦ୍ଦ ଯୋଡ଼ିଲା ପିଜିଆଇଏମ୍‌‌ଇଆର ଆଣ୍ଡ୍‌‌ କ୍ୟାପିଟାଲ ହସ୍ପିଟାଲ। ଓଡ଼ିଶାର ୧ ନମ୍ୱର ଡାକ୍ତରଖାନା ଭାବେ ସାରା ଭାରତବର୍ଷରେ ସମ୍ମାନ ସାଉଁଟିଲା କ୍ୟାପିଟାଲ ହସ୍ପିଟାଲ। ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲକୁ ଜାତୀୟ ଗୁଣାତ୍ମକ ଆସ୍ୟୁରାନ୍‌‌ସ୍‌‌ ଷ୍ଟାଣ୍ଡାର୍ଡ (ଏନ୍‌‌କ୍ୱାସ୍‌‌) ତରଫରୁ କ୍ୱାଲିଟି ସାର୍ଟିଫିକେଟ୍‌‌ ପ୍ରଦାନ କରାଯାଇଛି। ତେବେ ଓଡ଼ିଶାର ସମସ୍ତ ଡାକ୍ତରଖାନା ମଧ୍ୟରୁ କ୍ୟାପିଟାଲ ହସ୍ପିଟାଲକୁ ନମ୍ୱର ୱାନ ହସ୍ପିଟାଲ ଭାବେ ବିବେଚନା କରାଯାଇଛି। ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଜୁଲାଇ ୭ ତାରିଖରେ ଏନ୍‌‌କ୍ୱାସ୍‌‌ ଟିମ୍‌‌ ୩ ଦିନ ଧରି କ୍ୟାପିଟାଲ ହସ୍ପିଟାଲରେ ଥିବା ୧୮ଟି ବିଭାଗକୁ ବିସ୍ତୃତ ଭାବେ ଯାଞ୍ଚ କରିଥିଲେ। ବିଭିନ୍ନ ବିଭାଗରେ ଅତ୍ୟାଧୁନିକ ଅସ୍ତ୍ରୋପଚାର, ରୋଗୀଙ୍କ ସୁରକ୍ଷା, ଜୀବାଣୁ ମୁକ୍ତ ପରିବେଶ, ମାନବସମ୍ୱଳ ଏବଂ ମହିଳା ଓ ଶିଶୁଙ୍କ ସ୍ୱାସ୍ଥ୍ୟ ସୁବିଧା ଭଳି ବିଭିନ୍ନ ବିଷୟ ଉପରେ ତଦାରଖ କରିଥିଲେ।ଏହି କ୍ଷେତ୍ରରେ ଉତ୍ତମ ବ୍ୟବସ୍ଥା ମିଳୁଥିବାରୁ ଏନ୍‌‌କ୍ୱାସ ଟିମ୍‌‌ ସନ୍ତୁଷ୍ଟ ହୋଇ ମାର୍କ ପ୍ରଦାନ କରିଥିଲା। ତେବେ ସମସ୍ତ ବ୍ୟବସ୍ଥାକୁ ତଦାରଖ କରି ‘ଏନ୍‌‌କ୍ୱାସ୍‌‌’ ତରଫରୁ କ୍ୟାପିଟାଲ ହସ୍ପିଟାଲକୁ ସାମଗ୍ରିକ ଭାବେ ୮୮ ପ୍ରତିଶତ ମାର୍କ ଦେଇଥିଲା। ଏନ୍‌‌କ୍ୱାସ ସାର୍ଟିଫିକେଟ୍‌‌ ଲାଗି କ୍ୟାପିଟାଲ ହସ୍ପିଟାଲକୁ ୭୦ ଲକ୍ଷ ଟଙ୍କାର ପୁରସ୍କାର ମିଳିଛି। ପ୍ରତି ବେଡ୍‌‌ ପିଛା ୧୦ହଜାର ଲେଖାଏଁ ଅର୍ଥ ରାଶି ମିଳିବ। ଏହାର ୮୦ ପ୍ରତିଶତ ଅର୍ଥ ଆରକେଏସ୍‌‌ ଯୋଜନାରେ ଖର୍ଚ୍ଚ କରାଯିବ। ଆଉ ୨୦ ପ୍ରତିଶତ ଅନ୍ୟ କ୍ଷେତ୍ରରେ ଖର୍ଚ୍ଚ କରାଯିବ। ଏହି ଅର୍ଥରେ ଭିତ୍ତିଭୂମି ଉନ୍ନତି କରାଯିବା ସହ ଡାକ୍ତର, ନର୍ସ ଓ କର୍ମଚାରୀଙ୍କୁ ଉତ୍ସାହିତ କରିବା ଲାଗି ପୁରସ୍କାର ଦିଆଯିବ। ହସ୍ପିଟାଲ ଏନ୍‌‌କ୍ୱାସ ସାର୍ଟିଫିକେଟ୍‌‌ ବ୍ୟତୀତ ‘ଲକ୍ଷ୍ୟ’ ଓ ‘କାୟାକଳ୍ପ’ ପୁରସ୍କାର ମଧ୍ୟ ହାସଲ କରିଛି।