Odia News Portal

ରଥଯାତ୍ରାରେ ପୁରୀ ଆସିପାରନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରଥଯାତ୍ରାରେ ପୁରୀ ଆସି ପାରନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଏଥର ରଥଯାତ୍ରାରେ ଯୋଗ ଦେଇ ପାରନ୍ତି ବୋଲି କୁହାଯାଉଛି। ଯଦିଓ ଏନେଇ ରାଷ୍ଟ୍ରପତି ଭବନରୁ ବିଧିବଦ୍ଧ ସୂଚନା ମିଳିନାହିଁ, ଜୁଲାଇ ୬ରୁ ୯ ତାରିଖ ଯାଏ ରାଷ୍ଟ୍ରପତି ଓଡ଼ିଶା ଗସ୍ତରେ ଆସିବେ ବୋଲି ସୂଚନା ମିଳିଛି। ଏହି ସମୟରେ ସେ ଭୁବନେଶ୍ୱର ସହ ପୁରୀ ଯିବେ।

ଏହି ଅବସରରେ ସେ ରଥଯାତ୍ରାରେ ସାମିଲ ହୋଇପାରନ୍ତି ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ୭ରୁ ୮ତାରିଖ ଦୁଇ ଦିନ ରାଷ୍ଟ୍ରପତି ପୁରୀରେ ରହିବା ସହ ଶ୍ରୀଜିଉଙ୍କୁ ଦର୍ଶନ କରିବେ ବୋଲି ଜଣାପଡ଼ିଛି। ସେହିପରି ରାଷ୍ଟ୍ରପତି ଭୁବନେଶ୍ୱର ସ୍ଥିତ ଖଣ୍ଡଗିରିରେ ଥିବା କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି। 

ଅନ୍ୟପକ୍ଷରେ ଆସନ୍ତା ୭ ତାରିଖରେ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି।।ଘୋଷଯାତ୍ରାକୁ ଶୃଙ୍ଖଳିତ, ସୁରକ୍ଷିତ ଓ ବ୍ୟବସ୍ଥିତ କରିବା ପାଇଁ ଆଜି ବସିବ ରଥଯାତ୍ରା ଦ୍ୱିତୀୟ ସମନ୍ୱୟ କମିଟି ବୈଠକ। ପୁରୀ ଟାଉନ୍ ହଲ ପରିସରରେ ଦିନ ୧୧ଟାରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ।

ଏଥିରେ ରଥଯାତ୍ରା ସୁପରିଚାଳନା ନେଇ ବିସ୍ତୃତ ସମୀକ୍ଷା କରାଯିବ। ବିଶେଷ କରି ପୂର୍ବରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା ହେବ। ବୈଠକରେ ବିଭିନ୍ନ ବିଭାଗର ମନ୍ତ୍ରୀ, ଆଇନ ସଚିବ, ଆରଡିସି, ପୁଲିସ ବିଭାଗର ଅଧିକାରୀ, ପୁରୀ ଜିଲ୍ଲାପାଳ, ଏସପି ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ରଥ ପ୍ରସ୍ତୁତି, ନୀତି ନିର୍ଘଣ୍ଟ ଅନୁଯାୟୀ ବିଶେଷ ବ୍ୟବସ୍ଥା, ଆଇନ ଶୃଙ୍ଖଳା, ଟ୍ରାଫିକ ସୁନିୟନ୍ତ୍ର, ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତୁତି, ପରିମଳ ବ୍ୟବସ୍ଥା, ରାସ୍ତାଘାଟ, ରେଳ ଚଳାଚଳ, ପରିବହନ ବ୍ୟବସ୍ଥା ଦିଗ ଉପରେ ଆଲୋଚନା ହେବ। ଜୁଲାଇ ୭ ଓ ୮ ଦୁଇ ଦିନ ଧରି ରଥଯାତ୍ରା ଚାଲିବାକୁ ଥିବାରୁ ଉଭୟ ପୁଲିସ ପ୍ରଶାସନ ଓ ନୂଆ ରାଜ୍ୟ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି।