ଉତ୍ତର ପ୍ରଦେଶର ଜେୱାରରେ ପ୍ରତିଷ୍ଠା ହେବ ଭାରତର ଷଷ୍ଠ ସେମିକଣ୍ଡକ୍ଟର ୟୁନିଟ୍ । କେନ୍ଦ୍ର କ୍ୟାବିନେଟ୍ ବୁଧବାର ହୋଇଥବା ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୈଠକ ପରେ ସାମ୍ୱାଦିକ ସମ୍ମିଳନୀରେ କ୍ୟାବିନେଟ୍ ନିଷ୍ପତ୍ତି ବାବଦରେ ସୂଚନା ଦେଇଛନ୍ତି । ଭାରତ ସେମିକଣ୍ଡକ୍ଟର ମିଶନ ଅଧିନରେ ବର୍ତ୍ତମାନ ସୁଦ୍ଧା ୫ ସେମିକଣ୍ଡକ୍ଟର ପ୍ଲାଣ୍ଟ ସ୍ଥାପନାକୁ ମଞ୍ଜୁରି ଦିଆଯାଇଛି । ଏହି ସବୁର ନିର୍ମାଣ କାର୍ଯ୍ୟ ଦ୍ରୁତ ବେଗରେ ଚାଲିଛି । ଗୋଟିଏ ୟୁନିଟ୍ରୁ ଚଳିତ ବର୍ଷ ଉତ୍ପାଦନ ମଧ୍ୟ ଆରମ୍ଭ ହୋଇଯିବ ।
କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି ଅନୁସାରେ ଜେୱାରରେ ଷଷ୍ଠ ସେମିକଣ୍ଡକ୍ଟର ୟୁନିଟ ସ୍ଥାପନ ହେବ । ଏଥିପାଇଁ ୩୭୦୬ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ପରିଯୋଜନା ଏଚ୍ସିଏଲ୍ ଓ ଫକ୍ସକନ୍ ମଧ୍ୟରେ ଏକ ଜଏଣ୍ଟ ଭେଞ୍ଚର ହେବ । ଏଥିରେ ଡିସପ୍ଲେ ଡ୍ରାଇଭ୍ ନିର୍ମାଣ କରାଯିବ । ଏହା ମାସକି କ୍ଷମତା ୩.୬ କୋଟି ମାଇକ୍ରୋ ଚିପ୍ସ ହେବ ।
ଏହା ପୂର୍ବରୁ ମଙ୍ଗଳବାର ଜାପାନ କମ୍ପାନି ରେନେସାସ୍ ଭାରତରେ ସେମିକଣ୍ଡକ୍ଟର ଚିପ୍ ନିର୍ମାଣ ପାଇଁ ଦୁଇଟି କେନ୍ଦ୍ର ଆରମ୍ଭ କରିଥିଲା । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଙ୍ଗଳବାର ନୋଏଡା ଓ ବେଙ୍ଗାଲୁରୁରେ ଜାପାନ କମ୍ପାନି ରେନେସାସର ନୂତନ ସେମିକଣ୍ଡକ୍ଟର ଡିଜାଇନ୍ କେନ୍ଦ୍ରର ଉଦ୍ଘାଟନ୍ କରିଥିଲେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି କମ୍ପାନି ଭାରତରେ ଦୁନିଆର ସବୁଠୁ କ୍ଷୁଦ୍ର ୩ ନାନୋମିଟର ଚିପ୍ ନିର୍ମାଣ କରିବ ।