Odia News Portal

କାହିଁକି ପୁରୀକୁ ବାଛିଥିଲେ ଗିରଫ ୟୁଟ୍ୟୁବର ଜ୍ୟୋତି ମଲହୋତ୍ରା

ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କ ପାକିସ୍ତାନ ଲିଙ୍କର ଖୋଳତାଡ଼ବେଳେ ସାମ୍ନାକୁ ଆସୁଛି ଅନେକ ତଥ୍ୟ । ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଜ୍ୟୋତି ଯେତେବେଳେ ପୁରୀ ଆସିଥିଲେ, ସେତେବେଳେ ସେ କେଉଁଠି ରହୁଥିଲେ ଓ କାହିଁକି ଏହି ଧାମକୁ ବାଛିଥିଲେ, ତାକୁ ନେଇ ଉଠୁଛି ପ୍ରଶ୍ନ । ପୁରୀରେ ତାଙ୍କ ସହ ପ୍ରିୟଙ୍କା ସେନାପତିଙ୍କ ଦେଖାସାକ୍ଷାତ ପରେ ଏହି ଚର୍ଚ୍ଚା ଆରମ୍ଭ ହୋଇଛି । ସୂଚନା ଅନୁସାରେ, ଜ୍ୟୋତି ପୁରୀରେ ଜଗନ୍ନାଥ ବଲ୍ଲଭ ଭକ୍ତ ନିବାସ ଯାଇଥିଲେ । ସେଠାରେ ସେ ଭୋଜନ କରିଥିଲେ । ପୁରୀରେ ତାଙ୍କ ସହ ଥିଲେ ପ୍ରିୟଙ୍କା ସେନାପତି । ତେବେ ଏଠି ପ୍ରଶ୍ନ ଉଠୁଛି, କାହିଁକି ପୁରୀକୁ ବାଛିଥିଲେ ଜ୍ୟୋତି । ପୁରୀକୁ ଦେଶର ସବୁ ପ୍ରାନ୍ତରୁ ଭକ୍ତ ଆସନ୍ତି । ସେଥିପାଇଁ ହୁଏତ ପୁରୀକୁ ଜ୍ୟୋତି ଟାର୍ଗେଟରେ ନେଇଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏହାରି ଭିତରେ ପ୍ରିୟଙ୍କାର ସହଯୋଗ ଲୋଡ଼ିଥିଲେ ଜ୍ୟୋତି । ପୁରୀର କେଉଁ କେଉଁ ସ୍ଥାନକୁ ବୁଲିଛନ୍ତି ଜ୍ୟୋତି । ଆଉ କାହାକୁ ଭେଟିଛନ୍ତି, ସେ ନେଇ ପ୍ରିୟଙ୍କାଙ୍କ ଘନଘନ ପଚରାଉଚରା କରୁଛି ପୁରୀ ପୁଲିସ । ଅନ୍ୟପକ୍ଷରେ ଶ୍ରୀମନ୍ଦିର ଭିତରକୁ ଜ୍ୟୋତିଙ୍କୁ କିଏ ନେଇଥିଲା । କେଉଁ ସେବାୟତ ନା ଗାଇଡ୍ ସହ ଶ୍ରୀମନ୍ଦିର ଭିତରକୁ ଯାଇଥିଲେ । ଏନେଇ ତଦନ୍ତ ଚଳାଇଛି ପୁଲିସ ।

ଏପଟେ ପ୍ରିୟଙ୍କା ସେନାପତିଙ୍କ ସହ ଜ୍ୟୋତି ମାଲହୋତ୍ରାଙ୍କ ଲିଙ୍କ ଘଟଣାର ତଦନ୍ତ ଚତୁର୍ଥ ଦିନରେ ପହଁଚିଛି । ଘଟଣାର ସବୁ ଦିଗକୁ ନେଇ ତଦନ୍ତ କରାଯାଉଛି । ତଦନ୍ତରେ ପ୍ରିୟଙ୍କା ଓ ତାଙ୍କ ପରିବାର ସହଯୋଗ କରୁଛନ୍ତି । ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନ୍ଆଇଏ, ରାଜ୍ୟ ଗୁଇନ୍ଦା ବିଭାଗ ଓ ହରିୟାଣା ହିସାର ପୁଲିସକୁ ସବୁ ପ୍ରକାର ସହଯୋଗ କରୁଛି ଜିଲ୍ଲା ପୁଲିସ ପ୍ରଶାସନ । ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟ, କ’ଣ କ’ଣ ପୋଷ୍ଟ କରିଥିଲେ କଣ କଣ ଡିଲିଟ୍ କରିଛନ୍ତି, ତାଙ୍କର କଲ୍ ଡିଟେଲ ରେକର୍ଡ, ବ୍ୟାଙ୍କ୍ ଆକାଉଣ୍ଟ ସବୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି । ପ୍ରିୟଙ୍କା ଓ ଜ୍ୟୋତି ପୁରୀର କେଉଁ କେଉଁ ସ୍ଥାନରେ, କୁଆଡେ କୁଆଡେ ଯାଇଥିଲେ ତାହା ମଧ୍ୟ ତଦନ୍ତ ପରିସରଭୁକ୍ତ ହୋଇଛି ବୋଲି ପୁରୀ ଏସପି ବିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି ।