ରଥଯାତ୍ରା ପୂର୍ବରୁ ପୁରୀ ପୁଲିସର ଅପରାଧ ନିୟନ୍ତ୍ରଣ ଅଭିଯାନ । ପୁଲିସ ସ୍କାନରରେ ବଡ଼ ଵଡ଼ ଅପରାଧୀ । ୬ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ ହୋଇଥିବା ବେଳେ ସେମାନଙ୍କଠାରୁ ୬ଟି ବନ୍ଧୁକ ଓ ୨୦ରୁ ଅଧିକ ଗୁଳି ଜବତ କରିଛି ପୁରୀ ପୁଲିସ । ଆଗକୁ ରଥଯାତ୍ରା ଥିବାରୁ ସୁରକ୍ଷା ଏବଂ ଅପରାଧ ନିୟନ୍ତ୍ରଣ ପାଇଁ ପୁରୀ ପୁଲିସ ସ୍ବତନ୍ତ୍ର ଷ୍ଟ୍ରାଟେଜି ଆପଣାଇଛି । ଡିଜିପିଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଏସପିଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି ଅପରାଧ ନିୟନ୍ତ୍ରଣ ଅଭିଯାନ । ବଛା ବଛା ପୁଲିସ ଅଧିକାରୀଙ୍କୁ ନେଇ ଏସପି ଗଠନ କରିଛନ୍ତି ସ୍ବତନ୍ତ୍ର ଟିମ୍ । ପୁଲିସ ଟିମର ଚଢ଼ାଉ ଜାରି ରହିଥିବାବେଳେ ଟାର୍ଗେଟରେ ରହିଛନ୍ତି ପ୍ରାୟ ୫୦ ଜଣ ଅପରାଧୀ । ଏହି ଅପରାଧୀମାନେ ବଡ଼ଦାଣ୍ଡ, ବେଳାଭୂମି, ବସ୍ତି ଅଞ୍ଚଳ ସହ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରୁ ବଟି ଆଦାୟ କରି ଅପରାଧ ସାମ୍ରାଜ୍ୟ ବିସ୍ତାର କରିଥିବା ଜଣାପଡ଼ିଛି ।