’ମୋତେ ବହୁତ କଷ୍ଟ ହଉଛି । ପ୍ରତି ମୁହୂର୍ତ୍ତରେ ମରିଗଲା ପରି ଲାଗୁଛି । ମୋର ଏ ଯନ୍ତ୍ରଣା ପଛରେ ଦ୍ବିତୀୟ ଭଗବାନ ବୋଲାଉଥିବା ସେ ଡାକ୍ତରଙ୍କ ପାଇଁ । ମୋର କିଛି ଶାରୀରିକ ସମସ୍ୟା ଥିବାରୁ ମୁଁ ଗର୍ଭପାତ କରାଇବାକୁ ଡାକ୍ତରଙ୍କ ସହ ପରାମର୍ଶ କରିଥିଲି । କଟକର ଏକ ଘରୋଇ ନର୍ସିଂହୋମର ଦୁଇ ଡାକ୍ତରଙ୍କ ଉପସ୍ଥିତିରେ ମୋର ଗର୍ଭପାତ ହୋଇଥିଲା । ହେଲେ ମୁଁ ଜାଣିନଥିଲି ମୋ ଅଜାଣତରେ OT ଭିତରେ ମୋ ସହ ଏକ ସାଂଘାତିକ ଅଘଟଣ ଘଟୁଥିଲା । ଗର୍ଭପାତର କିଛି ସମୟ ପରେ ଯେତେବେଳେ ମୋର ଚେତା ଆସିଲା ମୋ ପେଟରେ ଯନ୍ତ୍ରଣା ଅନୁଭବ କଲି । ଡାକ୍ତରଙ୍କୁ ପଚାରିବାରୁ ସେମାନେ ହେୟଜ୍ଞାନ କରିଥିଲେ । ଆଉ କିଛି ଇଞ୍ଜେକ୍ସନ ଦେଇ ପେନ୍ କମାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେ ଇଞ୍ଜେକ୍ସନର ପ୍ରଭାବ କମିଯିବା ପରେ ପୁଣି ପୂର୍ବଭଳି ଅସହ୍ୟ ଯନ୍ତ୍ରଣା ହୋଇଥିଲା । ଡାକ୍ତରଙ୍କୁ ଫୋନ୍ କରିବାରୁ ସେମାନେ ଓଡ଼ିଶା ବାହାରକୁ ଯାଇଛନ୍ତି ବୋଲି କହିଥିଲେ । ସେଠାରୁ ମୋ ସ୍ବାମୀ ମୋତେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ନେଇ ଦେଖାଇଥିଲେ । ଆଉ ଟେଷ୍ଟ୍ ପରେ ଜଣାପଡ଼ିଲା ଯେ ମୋ ଦ୍ବାର ନଳୀକୁ ୩ ସେଣ୍ଟିମିଟର ଯାଏଁ କାଟିଦିଆଯାଇଛି । ଏବେ ମୋ କଷ୍ଟ ମୃତ୍ୟୁଠାରୁ ବି ବଳିପଡ଼ୁଛି । ମୋର ଏଭଳି ଅବସ୍ଥା ଯୋଗୁଁ କୁନି ପୁଅ ମୋ ପାଖକୁ ବି ଆସିପାରୁନି । ମୋ କ୍ଷୀର ଖିଆ ଛୁଆଟା ମୋତେ ଝୁରି ଝୁରି କାନ୍ଦୁଛି । କାରଣ ମୋ ଆଖିର ଲୁହକୁ ତ ମୁଁ ପିଇଯାଉଛି ହେଲେ ମୋ ଶରୀରରୁ ଝରୁଥିବା ସେ ମୁନ୍ଦାମୁନ୍ଦା ଲହୁ ମୋତେ ମଲା ଶବଟେ କରିଦେଇଛି । ଦ୍ବିତୀୟ ଭଗବାନଙ୍କ ବେଶରେ ସେ ଦୁଇ ସଇତାନ ମୋ ସଂସାରକୁ ଉଜାଡ଼ିଦେଲେ ମୋ ଜୀବନଟାକୁ ସାରିଦେଲେ । ଖାଲି ମୋ ଦୁଇ ପିଲାଙ୍କ ପାଇଁ ମୁଁ ବଞ୍ଚିବାକୁ ଚାହେ , ମୁଁ ବଞ୍ଚିବାକୁ ଚାହେ , ମୁଁ ବଞ୍ଚିବାକୁ ଚାହେ…’ଏ ଥିଲା ଗଣମାଧ୍ୟମ ଆଗରେ ଦୀପ୍ତିମୟୀଙ୍କ କୋହଭରା କଥା ।
ସମ୍ବେଦନହୀନ ସେ ଡାକ୍ତରଙ୍କ ଯୋଗୁଁ ଆଜି ଆମେ ଏ ସମ୍ବେଦନଶୀଳ ଖବର ଆପଣଙ୍କୁ ଦେଖାଉଛୁ । ବିକଳ ନିବେଦନ କରୁଥିବା ଏ ମହିଳା ହେଉଛନ୍ତି ମାହାଙ୍ଗା ଜଳେଶ୍ବରପୁର ଅଞ୍ଜଳର ଦିପ୍ତୀ ନାୟକ । ଜଣେ ଯବାନଙ୍କ ପତ୍ନୀ, ଦୁଇଟି ପିଲାର ମା’। ପରିବାରର ସହମତିରେ କଟକ ରାଣୀହାଟ ସ୍ଥିତ ଘରୋଇ ନର୍ସିଂହୋମକୁ ଗର୍ଭପାତ କରାଇବାକୁ ଆସିଥିଲେ। ହେଲେ ଦୁର୍ଭାଗ୍ୟ ଗର୍ଭପାତ କଲାବେଳେ ୩ ସେଣ୍ଟିମିଟର ମଳନଳୀକୁ କାଟିଦେଲେ ଡାକ୍ତର । ଦିପ୍ତୀଙ୍କ ସାରା ପେଟ ଏବେ ସଂକ୍ରମିତ । ଆଉ ସାଧାରଣ ଲୋକଙ୍କ ଭଳି ମଳତ୍ୟାଗ କରିପାରୁନାହାନ୍ତି ଦୀପ୍ତୀ । ସବୁଦିନ ଯନ୍ତ୍ରଣାରେ ଛଟପଟ ହୋଇ ବିତୁଛି ତାଙ୍କ ଦିନ …