Odia News Portal

ରାଜ୍ୟରେ ବଢୁଛି ଦୁଷ୍କର୍ମ ଘଟଣା : ଓଡ଼ିଶାରେ ଅସୁରକ୍ଷିତ ନାବାଳିକା

ଗତ ୪୮ ଘଣ୍ଟା ଭିତରେ ନାବାଳିକାଙ୍କୁ ଗଣଦୁଷ୍କର୍ମ, ହତ୍ୟା ଓ ଅପହରଣ ଖବର ସାରା ରାଜ୍ୟରେ ହଇଚଇ ଖେଳାଇ ଦେଇଛି । ଆଜି ବ୍ରହ୍ମପୁରରେ ଦୁଇ ଜଣ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଗୋଳନ୍ଥରା ଥାନା ଅଞ୍ଚଳର ଦୁଇ ନାବାଳିକାଙ୍କୁ ବନ୍ଧୁତା ଆଳରେ ଡାକି ୪ ଜଣ ନରପିଶାଚ ଗଣଦୁଷ୍କର୍ମ କରିବା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ସେପଟେ ବରଗଡ଼ ସଦର ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରିଛି ସଇତାନ । ମାମୁଘରକୁ ଯାଇ ନିଖୋଜ ଥିବା ନାବାଳିକାକୁ ଜଣେ ଯୁବକ ଗୁରୁତର ଅବସ୍ଥାରେ ସୋହେଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ନାବାଳିକାଙ୍କ ମୃତ୍ୟୁ ହୋଇଥିଲା । ତେବେ ରାଜ୍ୟରେ ବଢୁଥିବା ଦୁଷ୍କର୍ମ ମାମଲାକୁ ନେଇ ଚିନ୍ତାରେ ପଡ଼ିଲେଣି ଅଭିଭାବକ । 
 ଭଦ୍ରକ ଜିଲ୍ଲା ପୀରହାଟ ଥାନା ଅଞ୍ଚଳ କାନିସାହି ଓ ହରିପୁର ଗାଁରୁ ଦୁଇ ଜଣ ନାବାଳିକାଙ୍କୁ ଅପହରଣ ଅଭିଯୋଗ । ଥାନାରେ ଏତଲା ସତ୍ତ୍ୱେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଉନାହିଁ । ଓଲଟା ଅପହରଣକାରୀଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ ହୋଇଛି । ଆଗକୁ ପୁଲିସ ପଦକ୍ଷେପ ନନେଲେ ଥାନା ଆଗରେ ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି ନାବାଳିକାଙ୍କ ପରିବାର । ତେବେ ଏସବୁ ଭିତରେ ବ୍ରହ୍ମପୁର ପୁଲିସ ଚାରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି । ଦୁଇ ନାବାଳିକାଙ୍କୁ କାଉନସେଲିଂ ପାଇଁ ଚାଇଲ୍ଡ ହେଲପଲାଇନକୁ ପଠାଇ ଦିଆଯାଇଛି । ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ ୨୦୨୪ ଜୁନରୁ ଡିସେମ୍ୱର ୫ ମାସ ମଧ୍ୟରେ ୭୬୯ ନାବାଳିକା ଦୁଷ୍କର୍ମ ମାମଲା ରୁଜୁ ହୋଇଛି । ସେହିପରି ୫୦୯ ମହିଳା ଦୁଷ୍କର୍ମ  ଓ ୪୧ଟି ଗଣଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି ।