ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ଏନ୍ଡିଏ ସରକାରଙ୍କ ତୃତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ହେବ। ତୃତୀୟ ପାଳିର ପ୍ରଥମ ବର୍ଷରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ବିକାଶର ଗତିକୁ ଆଗେଇ ନେବାପାଇଁ ଏକାଧିକ ଯୋଜନା ଆରମ୍ଭ କରାଯାଇଛି। ଏହି କ୍ରମରେ ଓଡ଼ିଶାର ରେଳ ଓ ସଡ଼କ ଭିତ୍ତିଭୂମି ନିର୍ମାଣ, ନିବେଶ, ମହିଳା ସଶକ୍ତୀକରଣ, ସ୍ବାସ୍ଥ୍ୟସେବା, ଗରିବଙ୍କୁ ଆବାସ ଯୋଗାଣ ଆଦିକୁ ବିଶେଷ ପ୍ରାଥମିକତା ଦିଆଯାଇଛି। ଓଡ଼ିଶାରେ ମହିଳା ସଶକ୍ତୀକରଣ ପାଇଁ ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନ୍ଡିଏ ସରକାରଙ୍କ ପ୍ରଥମ ୧୦୦ ଦିନ ପୂର୍ତ୍ତି ଅବସରରେ ଓଡ଼ିଶା ଗସ୍ତ କରି ଶୁଭାରମ୍ଭ କରିଥିଲେ। ମହିଳାମାନଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ବାବଲମ୍ବୀ କରିବା ଲାଗି ଓଡ଼ିଶା ସରକାରଙ୍କ ଏହି ପ୍ରଗତିଶୀଳ ଯୋଜନାରେ ୧ କୋଟିରୁ ଊର୍ଦ୍ଧ୍ବ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଛି।