Odia News Portal

ବଢ଼ିଲା ଓମ୍‌ଫେଡ୍‌ କ୍ଷୀର ଦର

ଓମ୍‌ଫେଡ୍‌ ପକ୍ଷରୁ କ୍ଷୀର ଦର ବୃଦ୍ଧି କରାଯାଇଛି। ଲିଟର ପିଛା ୨ରୁ ୪ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ସୂଚନା ମିଳିଛି। ନୂଆ ଦର ଜୁନ୍‌ ୧୨ ତାରିଖଠାରୁ ଲାଗୁ ହୋଇଛି। ସଂଶୋଧିତ ଦର ଅନୁଯାୟୀ, ପ୍ରିମିୟମ୍‌ ଓ ଟୋନ୍‌ଡ୍‌ କ୍ଷୀର ଲିଟର ପିଛା ୨ ଟଙ୍କା ବଢ଼ିଥିବା ବେଳେ ଗୋଲ୍‌ଡ କ୍ଷୀର ଲିଟର ପିଛା ୪ ଟଙ୍କା ବୃଦ୍ଧି ପାଇଛି। ସଂଶୋଧିତ ଦର ଲାଗୁ ହେବା ପରେ ରାଜ୍ୟର ଅଧିକାଂଶ ସ୍ଥାନରେ କ୍ଷୀର ଦର ଲିଟର ପିଛା ୫୨ ଟଙ୍କାରୁ ବଢ଼ି ୫୪ ଟଙ୍କାରେ ପହଞ୍ଚିଛି। ସେହିଭଳି ଗୋଲ୍‌ଡ ପ୍ରିମିୟମ୍‌ କ୍ଷୀର ଦର ଲିଟର ପିଛା ୪ ଟଙ୍କା ବଢ଼ି ୫୬ ଟଙ୍କା ଓ ଗୋଲ୍‌ଡ  ପ୍ରିମିୟମ୍‌ ପ୍ଲସ୍‌ କ୍ଷୀର ଦର ଲିଟର ପିଛା ୬୦ ଟଙ୍କାରେ ପହଞ୍ଚିଛି। ଏହି ବର୍ଦ୍ଧିତ ଦର ଦୁଗ୍ଧଚାଷୀଙ୍କ କଲ୍ୟାଣ ତଥା ବଜାର ସହ ଖାପଖୁଆଇ ଚଳିବା ପାଇଁ ଲାଗୁ କରାଯାଇଛି। 

ସୂଚନାଯୋଗ୍ୟ, ଜୁନ୍‌ ୧ ତାରିଖ ବିଶ୍ବ ଦୁଗ୍ଧ ଦିବସ ଅବସର‌ରେ କ୍ଷୀର ଲିଟର ପିଛା ୪ ଟଙ୍କା ବୃଦ୍ଧି କରାଯିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଥିଲେ। ହେଲେ ଖାଉଟିମାନଙ୍କ ଉପରେ ଏହି ବର୍ଦ୍ଧିତ ଦର ସମ୍ପୂର୍ଣ୍ଣ ଭାବେ ଲଦି ନ ଦେଇ ଏଥିରୁ ୨ ଟଙ୍କା ସରକାର ବହନ କରିବେ ବୋଲି ଘୋଷଣା ହୋଇଥିଲା। ଖାଉଟିମାନେ ଲିଟର ପିଛା କେବଳ ଅଧିକ ୨ ଟଙ୍କା ଦେଇ କ୍ଷୀର କିଣିବେ ବୋଲି କୁହାଯାଇଥିଲା। ତେବେ ସେତେବେଳେ ଓମ୍‌ଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇ କହିଥିଲେ ଯେ ଏହି ବର୍ଦ୍ଧିତ ଦର ତତ୍କାଳ ଲାଗୁ ହେବ ନାହିଁ।  ଓମ୍‌ଫେଡ୍‌ର ସମସ୍ତ ସମବାୟ ସମିତି ଓ କମିଟିର ବୈଠକ ପରେ ଆବଶ୍ୟକତାକୁ ନଜରରେ ରଖି କ୍ଷୀର ଦର ବୃଦ୍ଧି ହେବ ବୋଲି ସେ କହିଥିଲେ। ତେବେ ବହୁ ଆଲୋଚନା ପରେ ଓମ୍‌ଫେଡ୍‌ ପକ୍ଷରୁ ଗତ ୧୨ ତାରିଖରୁ ଏହି ବର୍ଦ୍ଧିତ ଦର ଖାଉଟିଙ୍କ ପାଇଁ ଲାଗୁ କରାଯାଇଛି ।