ରବିବାର ଭୋରୁ ଭୋରୁ ଶରଧାବାଲି ସାମ୍ନାରେ ଯାହା ଘଟିଲା ତାହା ନିଶ୍ଚୟ ଦୁଃଖଦ । ଶରଧାବାଲିରେ ଦଳାଚକଟା ଘଟି, ଚାଲିଗଲା ୩ ନିରୀହ ଲୋକଙ୍କ ଜୀବନ ଆଉ ଆହତ ହେଲେ ଏକାଧିକ ଲୋକ । ତେବେ ଏ ଅଘଟଣ ପଛରେ ଦାୟୀ କିଏ? କାହା ପାଇଁ ଘଟିଲା ଏତେ ବଡ଼ ଅଘଟଣ? ଗତବର୍ଷ ଠିକ ଆଜିର ଦିନରେ ବଳଭଦ୍ର ଚାରମାଳ ଉପରୁ ଖସିପଡ଼ିଥିଲେ । ଆଉ ଆଜି ଠିକ୍ ସେହି ଆଡ଼ପମଣ୍ଡପ ବିଜେ ଦିନ ବଡ଼ଦାଣ୍ଡରେ ଚାଲିଯାଇଛି ୩ ଅମୂଲ୍ୟ ଜୀବନ । ତେବେ ଏ ସବୁ ପଛରେ ପ୍ରଶାସନର ଅବହେଳା ଦାୟୀ ନୁହେଁ ତ? ଏ ଅକ୍ଷମଣୀୟ ଭୁଲ ପାଇଁ କାହା ହାତରେ ହାତକଡ଼ି ବାନ୍ଧିବେ ସରକାର?
ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବା ମୁତାବକ, ଆଜି ଭୋର ସମୟରେ ହଠାତ୍ ଶରଧାବାଲିରେ ଠେଲାପେଲା ଆରମ୍ଭ ହୋଇଥିଲା । କେହି କିଛି ବି ଭାବିବା ଆଗରେ ଦଳାଚକଟା ଆରମ୍ଭ ହୋଇଗଲା । ଯେହେତୁ ସେ ସମୟରେ ପୁଲିସ କର୍ମୀ ନଥିଲେ ଆଉ ଭକ୍ତଙ୍କ ସଂଖ୍ୟା ଅଧିକ ଥିଲା, ସେହି କାରଣରୁ ଭିଡ଼ ବେକାବୁ ହୋଇଥିଲା । ଆଉ ଦେଖୁ ଦେଖୁ ଅଘଟଣ ଘଟିଥିଲା । ଅନେକ ଲୋକ ତଳେ ପଡ଼ିଗଲେ ଆଉ ଭିଡ଼ରେ ଲୋକଙ୍କ ଉପରେ ଲୋକ ଚଢ଼ିଗଲେ । ଯାହା ପରେ ୩ ଲୋକଙ୍କ ଜୀବନ ଯାଇଥିବା ନେଇ ତାଜା ସୂଚନା ମିଳିପାରିଛି । ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଥିବାବେଳେ ଅନ୍ୟ ଦୁଇ ଜଣ ମହିଳା ରହିଛନ୍ତି । ମୃତକମାନଙ୍କର ପରିଚୟ ମଧ୍ୟ ସାମ୍ନାକୁ ଆସିଛି । ଜଣେ ମୃତକ ନୟାଗଡ଼ର ବାସନ୍ତୀସାହୁ ହୋଇଥିବାବେଳେ, ଆଉ ଜଣେ ଭୁବନେଶ୍ୱର ସହିଦନଗରର ପ୍ରେମକାନ୍ତ ମହାନ୍ତି ଏବଂ ଆଉ ଜଣେ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାର ପ୍ରଭାତୀ ଦାସ । ତେବେ ଏବେ ବି ଠେଲାପେଲାରେ ଆହତ ହୋଇଥିବା ଲୋକ ମେଡିକାଲେ ଅଛନ୍ତି ଆଉ ତାଙ୍କର ଚିକିତ୍ସା ମଧ୍ୟ ଚାଲିଛି ।
ଶରଧାବାଲିରେ ଠେଲାପେଲା ଆଉ ୩ ଜଣଙ୍କର ମୃତ୍ୟୁ ପରେ ଏନେଇ ଆଇନ ମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଉ ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ଅବଗତ କରାଇଛନ୍ତି । ଭକ୍ତଙ୍କ ମୃତ୍ୟୁକୁ ନେଇ ଆଇନମନ୍ତ୍ରୀ ମର୍ମାହତ ଥିବା କହିଛନ୍ତି । ତେବେ ଘଟଣାର ତଦନ୍ତ କରାଯିବା ସହିତ ଯିଏ ବି ଦୋଷୀ ହୋଇଥିବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି । ସେପଟେ ପୁଲିସ ଡିଜି ଓ୍ୱାଇ.ବି. ଖୁରାନିଆ ଏବଂ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଘଟଣାସ୍ଥଳକୁ ଯାଇ ତଦାରଖ କରିଛନ୍ତି ।
ଅନ୍ୟପଟେ ଏହି ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋସିଆଲ୍ ମିଡିଆରେ ପୋଷ୍ଟ ସେୟାର କରିବା ସହିତ ଏହି ଘଟଣାକୁ ନେଇ ସରକାର ଉପରେ ବର୍ଷିଛନ୍ତି । ଭିଡ଼ ଅନିୟନ୍ତ୍ରିତ ହେବା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିବା ସହ ଭିଡ଼ ପରିଚାଳନାରେ ସରକାର ବିଫଳ ହୋଇଛନ୍ତି ବୋଲି କହିଛନ୍ତି ନବୀନ ।
ସେପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ସରକାରକୁ ଟାର୍ଗେଟ୍ କରିବା ପରେ ସୋସିଆଲ୍ ମିଡିଆରେ ପୋଷ୍ଟ ସେୟାର କରି କ୍ଷମା ମାଗିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୋହନ ମାଝୀ କହିଛନ୍ତି, ଏ ଘଟଣାରେ ମୁଁ ଓ ମୋ ସରକାର କ୍ଷମା ମାଗୁଛୁ । ଅବହେଳା ଅକ୍ଷମଣୀୟ । ସୁରକ୍ଷା ଅବହେଳାର ତୁରନ୍ତ ତଦନ୍ତ କରାଯିବ ନେଇ କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।