Odia News Portal

ଛାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ : ୭୨ ଘଣ୍ଟା ବେଶ ଗୁରୁତ୍ୱପୂର୍ଣ୍ଣ

ଏମ୍‌ସରେ ଚିକିତ୍ସାଧୀନ ଥିବା ଫକୀରମୋହନ କଲେଜ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି । ତାଙ୍କ ଶରୀରର ୯୫ ପ୍ରତିଶତ ପୋଡ଼ିଯାଇଛି । ଫୁସ୍‌ଫୁସ୍‌, ହୃତ୍‌ପିଣ୍ଡ ଓ କିଡ୍‌ନି ପ୍ରଭାବିତ ହୋଇଛି । ଆଗାମୀ 72 ଘଣ୍ଟା ଛାତ୍ରୀଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ । ଆବଶ୍ୟକ ପଡ଼ିଲେ ତାଙ୍କୁ ଦିଲ୍ଲୀ ଏମ୍‌ସକୁ ଏୟାରଲିଫ୍ଟ କରାଯାଇପାରେ । କିନ୍ତୁ ବର୍ତ୍ତମାନ ସମୟ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ଏୟାରଲିଫ୍ଟ କରିବା ସମ୍ଭବ ନୁହେଁ ।

ତେଣୁ ଦିଲ୍ଲୀ ଏମ୍‌ସର ୩ ଜଣିଆ ସ୍ବାସ୍ଥ୍ୟ ବିଶେଷଜ୍ଞ କମିଟି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ପୀଡ଼ିତା‌ଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି । ଆବଶ୍ୟକ ହେଲେ ପୁଣି ଡାଇଲିସିସ ହେବ । ଦିଲ୍ଲୀ ଏମ୍ସ ବିଶେଷଜ୍ଞ ସହ କଥା ହୋଇ ଆଣ୍ଟ୍ ବାୟୋଟିକ ଚାଲିଛି । ବ୍ଲଡ ପ୍ରେସର୍ ଅଧିକ ରହିଛି । ଛାତ୍ରୀ ଜଣଙ୍କ ଭେଣ୍ଟିଲେଟରରେ ଅଛନ୍ତି

ଏମ୍‌ସ ଭୁବନେଶ୍ବର ସୁପରିଟେଣ୍ଡେଣ୍ଟ ଦିଲ୍ଲୀପ ପରିଡା କହିଛନ୍ତି ଯେ ଗତକାଲି ପୀଡ଼ିତା ଆସିବାବେଳେ ତାଙ୍କ ଅବସ୍ଥା ଗୁରୁତର ରହିଥିଲା । ପୂର୍ବରୁ ଖବର ପାଇ ଆମେ ସମସ୍ତ ପ୍ରସ୍ତୁତି କରି ରଖିଥିଲୁ । ପୀଡ଼ିତାଙ୍କ ଶ୍ବାସନଳୀ ପୋଡ଼ି ଯାଇଥିବାରୁ ତାଙ୍କର ସଙ୍ଗେ ସଙ୍ଗେ ଇନ୍‌ଟୁବେଟ୍ କରାଯାଇଥିଲା । ଏହାପରେ ହାର୍ଟ ରେଟ୍, ଅକ୍ସିଜେନ୍ ଲେବଲ, ବ୍ଲଡ୍‌ପ୍ରେସର୍‌ ଆଦି ଯାଞ୍ଚ କରାଯିବା ପରେ ଚିକିତ୍ସା କରାଯାଇଥିଲା । ଅବସ୍ଥାରେ ଟିକେ ଉନ୍ନତି ‌ହେବା ପରେ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି । ପୀଡ଼ିତାଙ୍କ ଚିକିତ୍ସା ପାଇଁ ୧୦ ଜଣ ବିଶେଷଜ୍ଞ ଡାକ୍ତରଙ୍କୁ ନେଇ ଏକ ଟିମ୍‌ ଗଠନ କରାଯାଇଛି।