ଜଳିଗଲା ଆଉ ଏକ ବିମାନ। ଭାରତରେ ନୁହେଁ ବଂଲାଦେଶରେ ଘଟିଛି ଏହି ଘଟଣା। ଆଜି ଦିନ ପ୍ରାୟ ୧:୩୦ (ଭାରତୀୟ ସମୟ ୧:୦୦) ସମୟରେ ବଂଲାଦେଶର ରାଜଧାନୀ ଢାକାରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଢ଼ାକାର ଉତ୍ତରାରେ ଥିବା ଦିଆବାରି ଅଞ୍ଚଳରେ ବାଂଲାଦେଶ ବାୟୁସେନାର ଏକ ଏଫ୍-୭ ତାଲିମ ପ୍ରଦାନକାରୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ମାଇଲଷ୍ଟୋନ୍ କଲେଜର ଉତ୍ତରା କ୍ୟାମ୍ପସରେ ବିମାନଟି ଧକ୍କା ଖାଇଥିବା କୁହାଯାଉଛି। ଦୁର୍ଘଟଣା ଘଟିବା ବେଳେ କ୍ୟାମ୍ପସରେ ପିଲା ଥିଲେ ବୋଲି ଜଣାଯାଇଛି।
ହଜରତ ଶାହଜଲାଲ୍ ଅନ୍ତର୍ଜାତୀୟ ବିମାନବନ୍ଦରର ଜଣେ ବରିଷ୍ଠ ଅଧିକାରୀ ଏହି ଘଟଣାକୁ ନିଶ୍ଚିତ କରିଛନ୍ତି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ଜଣକର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଥିବା ସେ ଜଣାଇଛନ୍ତି। ମୃତ୍ୟୁସଂଖ୍ୟା ଆଗକୁ ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।
ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ବାଂଲାଦେଶ ସେନା କର୍ମଚାରୀ ଏବଂ ଅଗ୍ନିଶମ ବାହିନୀ ଏବଂ ସିଭିଲ ଡିଫେନ୍ସର ଆଠଟି ୟୁନିଟ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ଜଣେ ଅଧିକାରୀ କହିଛନ୍ତି ଯେ, ମାଇଲଷ୍ଟୋନ୍ କଲେଜ ନିକଟରେ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ସମ୍ପର୍କରେ ସୂଚନା ମିଳିବା ପରେ ତିନୋଟି ୟୁନିଟ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାମ ଆରମ୍ଭ କରିଛନ୍ତି।