ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ‘ଜାତୀୟ ହସ୍ତତନ୍ତ ଦିବସ’ ଅବସରରେ ଆଜି ଜନତା ମଇଦାନଠାରେ ‘ରାଜ୍ୟସ୍ତରୀୟ ବୃହତ୍ ହସ୍ତତନ୍ତ ଓ ହସ୍ତଶିଳ୍ପ ମେଳା’ ଉଦ୍ଘାଟିତ ହୋଇଯାଇଛି। ଏହି ମେଳାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରି କହିଛନ୍ତି, ଆମ ହସ୍ତତନ୍ତ ହେଉଛି ଓଡ଼ିଆ ଅସ୍ମିତାର ଏକ ପ୍ରମୁଖ ସ୍ତମ୍ଭ। ‘ହସ୍ତତନ୍ତ କ୍ଷେତ୍ର’ କେବଳ ଏକ ଆର୍ଥିକ ସ୍ତମ୍ଭ ନୁହେଁ, ବରଂ ଏହା ଜାତୀୟ ଗର୍ବ ଓ ଗରିମାର ପ୍ରତୀକ। ପ୍ରାଚୀନ ନୌବାଣିଜ୍ୟରୁ ଆରମ୍ଭ କରି ବର୍ତ୍ତମାନର ବିଶ୍ୱ ଫ୍ୟାସନ୍ ପ୍ଲାଟଫର୍ମ ପର୍ଯ୍ୟନ୍ତ, ଆମର ବୟନ ସର୍ବଦା ଉତ୍କର୍ଷ, ଆଧ୍ୟାତ୍ମିକତା ଓ ସଂସ୍କୃତିର ଜୟଗାନ କରିଆସିଛି। ହସ୍ତତନ୍ତ ଉନ୍ନୟନ ଯୋଜନା ମାଧ୍ୟମରେ ବୁଣାକାରମାନଙ୍କ ସାମାଜିକ-ଆର୍ଥିକ ଅବସ୍ଥାକୁ ଉନ୍ନତ କରିବା ସରକାରଙ୍କ ଲକ୍ଷ୍ୟ ରହିଛି ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବଲିଉଡ୍ର ଲୋକପ୍ରିୟ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କୁ ଏକ ବର୍ଷ ପାଇଁ ଓଡ଼ିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସାଡର୍ ଘୋଷଣା କରିଛନ୍ତି। ମାଧୁରୀଙ୍କ ସକ୍ରିୟ ସହଯୋଗରେ ଓଡ଼ିଶା ହସ୍ତତନ୍ତରୁ ପ୍ରସ୍ତୁତ ପୋଷାକ ଦେଶବିଦେଶର ଫ୍ୟାସନ ଜଗତରେ ପ୍ରତିଷ୍ଠା ଅର୍ଜନ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ଓଡ଼ିଶାର ୩୦ଟି ଜିଲ୍ଲାରେ ୧ ଲକ୍ଷ ୩୦ ହଜାରରୁ ଅଧିକ ବୁଣାକାର ଓ ସହାୟକ ଶ୍ରମିକ ହସ୍ତତନ୍ତ କ୍ଷେତ୍ରରେ ସିଧାସଳଖ ନିୟୋଜିତ ଅଛନ୍ତି। ପ୍ରାଥମିକ ବୁଣାକାର ସମବାୟ ସମିତି, ସ୍ୱୟଂ ସହାୟକ ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀ ଜରିଆରେ ଆମର ବୁଣାକାର ସଂଗଠିତ ହୋଇ ବୟନ ଐତିହ୍ୟକୁ ବଜାୟ ରଖିବା ପାଇଁ କାର୍ଯ୍ୟ କରୁଛନ୍ତି। ପୂର୍ବ ଭାରତର ସର୍ବବୃହତ୍ ଓଡ଼ିଶା ଟେକ୍ସଟାଇଲ୍ କନ୍କ୍ଲେଭ୍ରେ ରାଜ୍ୟରେ ଟେକ୍ସଟାଇଲ୍ ଶିଳ୍ପ ପ୍ରତିଷ୍ଠା ପାଇଁ ୭ ହଜାର ୮୦୮ କୋଟି ଟଙ୍କାର ପୁଞ୍ଜିନିବେଶ ସହ ୩୩ଟି ଏମ୍ଓୟୁ ସ୍ୱାକ୍ଷରିତ ହୋଇଛି। ଏହା ମାଧ୍ୟମରେ ୫୩ ହଜାର ୩୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସେ କହିଥିଲେ। ଭିତ୍ତିଭୂମି ଓ ପ୍ରତିଷ୍ଠାନଗତ ସହାୟତା ଦିଗରେ ଆମ ସରକାର ତତ୍ପର ଅଛନ୍ତି। ଆମେ ବରଗଡ଼ ଓ କଟକରେ ଡାଇ ହାଉସ୍, ଗୋଦାମ, ଡିଜାଇନ୍ ଷ୍ଟୁଡିଓ, ଗୁଣବତ୍ତା ନିୟନ୍ତ୍ରଣ ପରୀକ୍ଷାଗାର ଭଳି ସାଧାରଣ ସୁବିଧା ସହିତ ହସ୍ତତନ୍ତ ପାର୍କ ବିକଶିତ କରୁଛୁ। ଉତ୍କର୍ଷ ଓ ନବସୃଜନ ପାଇଁ ଓଡ଼ିଶାର ୪୦ରୁ ଅଧିକ ମାଷ୍ଟର ବୁଣାକାରଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ହସ୍ତତନ୍ତ ଦିବସର ମାସ୍କଟ ‘ରେଶା’ ଏବଂ ହସ୍ତତନ୍ତ ଶିଳ୍ପ ଉପରେ ଆଧାରିତ ଏକ କ୍ଷୁଦ୍ର ଚଳଚ୍ଚିତ୍ର ଉନ୍ମୋଚନ କରିଥିଲେ। ତତ୍ସହିତ ମୁଖ୍ୟମନ୍ତ୍ରୀ, ରାଜ୍ୟର ବୁଣାକାରମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସୂଚନାଯୋଗ୍ୟ, ଏହି ହସ୍ତତନ୍ତ ମେଳା ଆଜିଠାରୁ ଆରମ୍ଭ ହୋଇ ୧୩ ଅଗଷ୍ଟ ପର୍ଯ୍ୟନ୍ତ ଜନତା ମଇଦାନ ଠାରେ ଚାଲିବ।
କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ କହିଥିଲେ, ସେ ବୁଣାକାରଙ୍କ ହୃଦୟର ସ୍ପନ୍ଦନକୁ ଅନୁଭବ କରନ୍ତି। ଏହି ଶିଳ୍ପ କେବଳ ବସ୍ତ୍ର ନୁହେଁ, ପ୍ରତ୍ୟେକ ଓଡ଼ିଆର ପରିଚୟ ଏବଂ ଏହା ହିଁ ଓଡ଼ିଆ ଅସ୍ମିତା। ହସ୍ତତନ୍ତ କେବଳ ଜୀବିକା ନୁହେଁ, ଏହା ହେଉଛି ଆମ ସଂସ୍କୃତି ଓ ଆମ ଜୀବନଶୈଳୀର ଏକ ଅଭିନ୍ନ ଅଙ୍ଗ। ଏହି ଅବସରରେ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଓ ଉନ୍ନୟନ କମିସନର ଅନୁ ଗର୍ଗ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଉପସ୍ଥିତ ଥିଲେ। ବିଭାଗୀୟ କମିସନର ଗୁହା ପୁନମ ତାପସ କୁମାର ସ୍ବାଗତ ଭାଷଣ ଦେଇଥିଲେ। ବିଭାଗୀୟ ନିର୍ଦ୍ଦେଶକ ପ୍ରେମଚାନ୍ଦ ଚୌଧାରୀ ଧନ୍ୟବାଦ ଅର୍ପଣ କରିଥିଲେ। ମେଳା ପରିସରରେ ଅଗଷ୍ଟ ୮ ଓ ୯ ତାରିଖରେ ‘ଏକତା ଉତ୍ସବ’ ଆୟୋଜିତ ହେବ।