ଦୟାନଦୀରେ ବୁଡ଼ିଗଲେ ଦୁଇଛାତ୍ର By Swadhikar News Last updated Aug 17, 2025 ପବିତ୍ର ଜନ୍ମାଷ୍ଟମୀ ଦିନ ଧଉଳି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଧଉଳି ଥାନା ଅଧୀନ ନାଥପୁର ଜାଡ଼ମଲ୍ଲୀ ପୀଠ ନିକଟ ଦୟାନଦୀରେ ଗାଧୋଇବାକୁ ଆସି ଦୁଇଛାତ୍ରଙ୍କ ମୃତ୍ୟୁ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ମୃତ ଛାତ୍ରଦ୍ବୟଙ୍କ ମଧ୍ୟରୁ ଜଣେ ହେଲେ ଏୟାରଫିଲ୍ଡ ଥାନା ସୁନ୍ଦରପଦା କଲେଜ ସମ୍ମୁଖରେ ରହୁଥିବା ସଞ୍ଜୟ ସ୍ବାଇଁଙ୍କ ପୁଅ ଅଭୟ ସ୍ବାଇଁ ଓ ଅନ୍ୟ ଜଣକ ହେଲେ ବଡ଼ଗଡ଼ ଥାନା ବିଜେବିନଗର ବସ୍ତି ଆଦେଇ ଖରାବସ୍ତିର ଶୁଭ୍ରତ ପ୍ରଧାନଙ୍କ ପୁଅ ଶୁଭମ ପ୍ରଧାନ(୧୪ ବର୍ଷ)। ଉଭୟ ଅଭୟ ଓ ଶୁଭମ୍ ନୂଆଗାଁସ୍ଥିତ ଏକ ଘରୋଇ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିଲେ। ସୂଚନା ଅନୁସାରେ ବଡ଼ଗଡ଼, ସୁନ୍ଦରପଦା, ବିଜେବିନଗର ଅଞ୍ଚଳରୁ ୪ ସାଙ୍ଗ ଧଉଳିରେ ଭୋଜି କରିବା ବାହାନାରେ ଆସିଥିଲେ। ଗତକାଲି ସ୍ବାଧୀନତା ଦିବସ ପାଳନ ନେଇ ସେମାନେ ବିଦ୍ୟାଳୟ ନଯାଇ ଧଉଳି ଆସିଥିଲେ। ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ସମୟରେ ଜାଡ଼ମଲ୍ଲୀ ଠାକୁରାଣୀଙ୍କ ଗଡ଼ାରେ ପ୍ରାୟ ୧୦୦ ମିଟର ଚାଲିଚାଲି ଦୟାନଦୀକୁ ଗାଧୋଇବାକୁ ଯାଇଥିଲେ। କୂଳରେ ଚପଲ ଓ ପୋଷାକ ରଖି ପାଣିକୁ ସମସ୍ତେ ପଶିଥିଲେ। ପ୍ରଥମେ ଅଭୟ ଓ ଶୁଭମ୍ ସାଙ୍ଗ ହୋଇ ପାଣିକୁ ପଶିଥିଲେ। ଅନ୍ୟ ଦୁଇ ସାଙ୍ଗ ଅଳ୍ପ ପାଣିରେ ରହିଥିଲେ। ହେଲେ ସେମାନଙ୍କ ଆଖି ସାମନାରେ ପ୍ରଥମେ ଶୁଭମ ପାଣିରେ ବୁଡ଼ି ଯାଇଥିଲା। ଶୁଭମଙ୍କୁ ରକ୍ଷା କରିବାକୁ ଯାଇ ଅଭୟ ଭାସି ଯାଇଥିଲା। ଉଭୟ ଅଭୟ ଓ ଶୁଭମ ପାଣିରେ ବୁଡ଼ି ଯାଉଥିବା ଦେଖି ଜଣେ ସାଙ୍ଗ ଭୟଭୀତ ହୋଇ ଦୌଡ଼ିଥିଲେ। ଅନ୍ୟ ଜଣକ ଚିତ୍କାର କରି ଲୋକଙ୍କୁ ଡାକ ପକାଇଥିଲା। ପାଟିଶୁଣି ନିକଟରେ ଗାଧୋଉଥିବା ସ୍ଥାନୀୟ ଲୋକେ ସେମାନଙ୍କୁ ଖୋଜାଖୋଜି କରି ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ହେଲେ କାହାକୁ ଉଦ୍ଧାର କରିବାରେ ସକ୍ଷମ ହୋଇନଥିଲେ। ଏହାପରେ ସେମାନେ ଅଗ୍ନିଶମ ବାହିନୀଙ୍କୁ ଫୋନ୍ କରି ଜଣାଇଥିଲେ। ଧଉଳି ଥାନା ପୁଲିସ ଓ କଳ୍ପନା ଛକ ଅଗ୍ନିଶମ ବାହିନୀ ନିଖୋଜ ଛାତ୍ରଦ୍ବୟଙ୍କୁ ନଦୀଗର୍ଭରେ ଖୋଜାଖୋଜି କରିଥିଲେ। ପରେ ପରେ ଓଡ୍ରାଫ ଟିମ୍ ପହଞ୍ଚି ପ୍ରାୟ ୧ ଘଣ୍ଟା ଖୋଜାଖୋଜି ପରେ ଅଭୟଙ୍କୁ ଉଦ୍ଧାର କରିଥିଲେ। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶୁଭମଙ୍କ ପତ୍ତାମିଳିନଥିଲା। ଆଜି ଭୋର ସମୟରେ ଗଙ୍ଗେଶ୍ବରପୁର ଶାସନ ନିକଟରେ ଶୁଭମଙ୍କ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ଧଉଳି ଥାନା ଓ ଅଗ୍ନିଶମବାହିନୀକୁ ଜଣାଇଥିଲେ। ଅଗ୍ନିଶମ ବାହିନୀ ଶୁଭମଙ୍କ ମୃତଦେହ ଉଦ୍ଧାର କରିଥିଲା। ଧଉଳି ଥାନା ପୁଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। daya riverswadhikarswadhikar news Share