ଆଉନାହାନ୍ତି ‘ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ’, ‘ଏ ନନୀ ସୁଲୋଚନା…’ ଭଳି ଲୋକପ୍ରିୟ ସମ୍ବଲପୁରୀ ଗୀତର ଗୀତିକାର ପଦ୍ମଶ୍ରୀ ବିନୋଦ ପଶାୟତ (୯୦)। ବୁଧବାର ପୂର୍ବାହ୍ନ ୧୦ଟା ୩୦ରେ ସେନ୍ପାର୍କସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। ଗତବର୍ଷ ତାଙ୍କ ସ୍ତ୍ରୀ ଗୋପେଶ୍ବରୀ ପଶାୟତ ଏବଂ କିଛି ବର୍ଷ ପୂର୍ବରୁ ସାନପୁଅ କମଳଜିତ ପଶାୟତଙ୍କ ଯୁବାବସ୍ଥାରେ ଦେହାନ୍ତ ହୋଇଥିଲା। ସେ ନିଜ ଅନ୍ତେ ବଡ଼ପୁଅ ବିଶ୍ବଜିତ୍, ଝିଅ କଳ୍ପନା, ଆରତି, ସଙ୍ଗୀତାଙ୍କ ସହିତ ବୋହୂ, ଜ୍ବାଇଁ, ନାତିନାତୁଣୀଙ୍କୁ ଛାଡ଼ି ଯାଇଛନ୍ତି। ଜିଲ୍ଲା ପ୍ରଶାସନ ଏବଂ ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ସ୍ଥାନୀୟ ରାଜଘାଟରେ ତାଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା। ବଡ଼ପୁଅ ବିଶ୍ବଜିତ ମୁଖାଗ୍ନି ଦେଇଥିଲେ। ପରଲୋକ ଖବର ପ୍ରଚାରିତ ହେବା ପରେ କଳା, ସାହିତ୍ୟପ୍ରେମୀଙ୍କ ସମେତ ସମାଜର ସବୁ ବର୍ଗର ବ୍ୟକ୍ତି ପହଞ୍ଚି ତାଙ୍କର ଶେଷଦର୍ଶନ କରିବା ସହିତ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।
ଚୁଟି କାଟିବା ବେଳକୁ ତାଙ୍କ କଇଁଚି ଯେତେ ସୁନ୍ଦର ଚାଲୁଥିଲା ସମ୍ବଲପୁରୀ ଗୀତ ଏବଂ ନାଟକ ରଚନା କରିବା ବେଳକୁ ତାଙ୍କ କଲମ ମୁନରୁ ଆହୁରି ସୁନ୍ଦର ଭାଷା ଝଙ୍କୃତ ହେଉଥିଲା। ନିଜ ପେସା ଓ ନିଶାରେ ସେ ଯେଉଁଭଳି ସମନ୍ବୟ ରଖିଥିଲେ ତାହା ସମସ୍ତଙ୍କୁ ବିସ୍ମିତ କରୁଥିଲା। ୧୯୩୫ ମସିହା ଡିସେମ୍ବର ୩ ତାରିଖରେ ବଲାଙ୍ଗୀର ଜିଲ୍ଲା କୁଶମେଲ ଗାଁରେ ଜନ୍ମ ହୋଇଥିଲେ ବିନୋଦ। ବାପା ଚୈତନ୍ୟ ଏବଂ ମା’ ମାଳା ଦେବୀ। ଆର୍ଥିକ ଅନଟନ କାରଣରୁ ହାଇସ୍କୁଲ ମଧ୍ୟ ସଂପୂର୍ଣ୍ଣ କରିପାରିନଥିଲେ। ପିତାଙ୍କ ସହିତ ନିଜର କୌଳିକ ବୃତ୍ତିକୁ ଆପଣେଇ ଥିଲେ। କଳା ସହିତ ତାଙ୍କର ସମ୍ପର୍କ ବାଲ୍ୟ ଜୀବନରୁ ହିଁ ଗଢ଼ି ଉଠିଥିଲା। ବଲାଙ୍ଗୀରରେ ଅବସ୍ଥାନ କରିବା ବେଳୁ ହିଁ ରାମଜୀ ନାଟକ ପାର୍ଟିରେ ଅଭିନୟ ଆରମ୍ଭ କରିଥିଲେ। ସୁନ୍ଦର ଚେହେରା କାରଣରୁ ଅନେକ ସମୟରେ ସୀତା ଭୂମିକାରେ ଅଭିନୟ କରିଥିଲେ। ୧୯ ବର୍ଷ ଧରି ବଲାଙ୍ଗୀରରେ ରହିବା ପରେ ଜୀବିକା ଚିନ୍ତାରେ ୧୯୫୩ ମସିହାରେ ସମ୍ବଲପୁର ଚାଲିଆସି କର୍ମମୟ ଜୀବନ ଆରମ୍ଭ କରିଥିଲେ। ଏଠାରେ ଦଲେଇପଡ଼ାରେ ରହୁଥିବା ବେଳେ ପୁରନ୍ଦର ପଶାୟତଙ୍କ ସେଲୁନ୍ ଦୋକାନରେ ଚୁଟି କାଟିବା ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ନିଜସ୍ବ ଦୋକାନ ଖୋଲିଥିଲେ।
ବୈଦ୍ୟନାଥ ଛକରେ ଥିବା ଏହି ସେଲୁନ୍ ହିଁ ତାଙ୍କୁ ମହାନ ଗୀତିକାର ଭାବରେ ଗଢ଼ି ତୋଳିଥିଲା। ବିନୋଦ ପଶାୟତଙ୍କ ଏହି ସେଲୁନ୍କୁ ସମ୍ବଲପୁରୀ ସାହିତ୍ୟ ଜଗତର କିଂବଦନ୍ତି ପୁରୁଷ ସତ୍ୟନାରାୟଣ ବହିଦାର ଆସୁଥିଲେ। ସେ ବିନୋଦଙ୍କ ପାଖରେ ସମ୍ବଲପୁରୀ ସାହିତ୍ୟ ପ୍ରତିଭା ଦେଖି କଲମ ଚାଳନା ପାଇଁ ପରାମର୍ଶ ଦେଇଥିଲେ। ଏଥିସହିତ ଗୁରୁ ଅରୁଣ ପ୍ରସନ୍ନ ସେଠଙ୍କ ଆଶୀର୍ବାଦ ପାଇ ସମ୍ବଲପୁରୀ ଗୀତ ଲେଖିବା ଆରମ୍ଭ କରିଥିଲେ। ‘ଛିନା ଛିନା ଲାଗୁଛେ କୂଲ ଯମୁନା’ ଥିଲା ତାଙ୍କର ପ୍ରଥମ ରଚିତ ଓ ବେତାର ପ୍ରସାରିତ ସମ୍ବଲପୁରୀ ଗୀତ। ୧୯୫୯ରୁ ଆକାଶବାଣୀ କଟକ ଓ ୧୯୬୫ରୁ ଆକାଶବାଣୀ ସମ୍ବଲପୁର କେନ୍ଦ୍ରର ସ୍ୱୀକୃତିପ୍ରାପ୍ତ ଗୀତିକାର ଥିଲେ। ତାଙ୍କ ରଚିତ ‘ମାଆ ଠାନୁ ବଲି ବଡ଼ କିଏ ଅଛେ ଭାଇ କହ ତ’, ‘ଏ ନନୀ ସୁଲୋଚନା’, ‘ଗଲା ରାତି ଝୁମ୍ରାର୍ ସୁରେ’ ଏବଂ ସମର୍ପଣ ଚଳଚ୍ଚିତ୍ରର ‘ବାଜୁଛେ ମାନ୍ଦଲ ଆସ ଏ ବଉଲ କୁରେଫୁଲ’ ଆଦି ଗୀତଗୁଡ଼ିକ ତାଙ୍କର ଅନନ୍ୟ କୃତି। ଗୀତ ଲେଖି ଅଗଣିତ ଶ୍ରୋତାଙ୍କ ହୃଦୟକୁ ଆହ୍ଲାଦିତ କରିଥିବା ଶ୍ରୀ ପଶାୟତ ନାଟ୍ୟକାର ଭାବରେ ମଧ୍ୟ ବେଶ୍ ପରିଚିତ। ପ୍ରଥମେ ସେ ‘ଠହର୍ବା’, ‘ଚୁଟ୍କୁଚୁଟା’ ଭଳି ସମ୍ବଲପୁରୀ କେରିକେଚର ଲେଖିଥିଲେ। ୧୯୮୧ ମସିହାରେ ତାଙ୍କ ରଚିତ ‘ଉଖି’, ‘ଅଲାର୍’, ‘ଆଦି ଅନ୍ତ’, ‘ମହାଭାରତର୍ ଛେଦ୍ଲି ପରବ୍’, ‘ଲିତା’, ‘ଚିହ୍ନା’ ସମ୍ବଲପୁରୀ ନାଟକ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଥିଲା। ଗୀତିନାଟ୍ୟ ‘ପାର୍ବତୀ ବିହା’ ଅନ୍ୟତମ। ‘ସମର୍ପଣ’, ‘ଆଦିବାସୀ’, ‘ପରସ୍ତ୍ରୀ’ ଭଳି ଚଳଚ୍ଚିତ୍ରଗୁଡ଼ିକ ପାଇଁ ଗୀତ ଲେଖିଥିବା ବିନୋଦ ପଶାୟତଙ୍କ ଅନେକ ଗୀତ ଆକାଶବାଣୀ କଟକ, ସମ୍ବଲପୁର, ବିଳାସପୁର, ରାୟପୁର, ବିବିଧ ଭାରତୀ, ନୂଆଦିଲ୍ଲୀ, ବିବିସି, ରେଡିଓ ମସ୍କୋରୁ ପ୍ରସାରିତ ହୋଇଛି। ୨୦୨୪ ମସିହାରେ ତାଙ୍କୁ ପଦ୍ମଶ୍ରୀ ଦିଆଯାଇଥିଲା। ସଙ୍ଗୀତ ନାଟକ ଏକାଡେମୀ, ସାହିତ୍ୟ ଏକାଡେମୀ, ଶାରଳା ପୁରସ୍କାର ସମେତ ଅସଂଖ୍ୟ ସମ୍ମାନ ଓ ପୁରସ୍କାରରେ ସେ ବିଭୂଷିତ ଥିଲେ। ତାଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକବ୍ୟକ୍ତ କରିଛନ୍ତି। ଶେଷକୃତ୍ୟ ସମୟରେ ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ପୂର୍ବତନ ମନ୍ତ୍ରୀ ରୋହିତ ପୂଜାରୀ, ପଦ୍ମଶ୍ରୀ ଜିତେନ୍ଦ୍ରୀୟ ହରିପାଲ, ଅତିରିକ୍ତ ଏସ୍ପି ପ୍ରକାଶ ଜୈସ ଟପ୍ପୋ, ସୂଚନା ଅଧିକାରୀ ସଂଯୁକ୍ତା କୁଲୁଙ୍କ ସମେତ ବହୁ ଗଣମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।