Odia News Portal

ନବୀନ ନିବାସରେ ପହଞ୍ଚିଲେ ପ୍ରେମ୍ ପଟ୍ଟନାୟକ, ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିବା ସୂଚନା

ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁସ୍ଥ ହେବା ପରେ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇ ଘରକୁ ଫେରିଛନ୍ତି । ଶୁକ୍ରବାର ନବୀନଙ୍କୁ ଦେଖିବା ପାଇଁ ନବୀନ ନିବାସରେ ପହଞ୍ଚିଛନ୍ତି ବଡ ଭାଇ ପ୍ରେମ୍ ପଟ୍ଟନାୟକ । ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ବଡ ଭାଇ । ସେପେଟେ ଏହି ସମୟରେ ବଡ଼ ଭାଇ ପ୍ରେମ୍ ପଟ୍ଟନାୟକ ନବୀନ ନିବାସକୁ ଆସିବାକୁ ନେଇ ବିଜେଡି ନେତାଙ୍କ ମଧ୍ୟରେ ହଲଚଲ ସୃଷ୍ଟି ହୋଇଛି ।

ସୂଚନାଯୋଗ୍ୟ ଯେ, ଡିହାଇଡ୍ରେସନ ଯୋଗୁଁ ଗତ ୧୭ ତାରିଖ ଅପରାହ୍ନରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ନବୀନ ପଟ୍ଟନାୟକ । ସମ୍‌ ଅଲଟିମେଟ୍‌ ମେଡିକେୟାରର ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ନବୀନଙ୍କ ଚିକିତ୍ସା କରିଥିଲେ । ହସ୍ପିଟାଲ ବେଡ୍‌ରୁ ମଧ୍ୟ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଭିଡିଓ ବାର୍ତ୍ତା ଦେଇଥିଲେ ନବୀନ । ଏହି ଭିଡିଓ ବାର୍ତ୍ତାରେ ସେ ସମ୍‌ ହସ୍ପିଟାଲର ଡାକ୍ତରଙ୍କୁ ପ୍ରଶଂସା କରିବା ସହ ଖୁବ୍‌ ଶୀଘ୍ର ସୁସ୍ଥ ହୋଇ ସେ ନବୀନ ନିବାସକୁ ଫେରିବେ ଓ ତାଙ୍କ ଶୁଭେଚ୍ଛୁଙ୍କ ସହ ଦେଖା କରିବେ ବୋଲି ବାର୍ତ୍ତା ଦେଇଥିଲେ ନବୀନ । ବୁଧବାର ସୁସ୍ଥ ହେବା ପରେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ ନବୀନ । ସମ୍‌ ଅଲଟିମେଟ୍‌ ମେଡିକେୟାର ହସ୍ପିଟାଲରୁ ସିଧା ନବୀନ ନିବାସ ଯାଇଥିଲେ । ବୁଧବାର ମଧ୍ୟ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିବା ବେଳେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ନବୀନ କହିଥିଲେ, ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ତାଙ୍କର ଆରୋଗ୍ୟ କାମନା କରିଥିବା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ନବୀନ ।