୯୧୧ ଅଗ୍ନିଯୋଦ୍ଧା ସାମିଲ ହେଲେ ଅଗ୍ନିଶମ ବାହିନୀରେଡିସେମ୍ବର ସୁଦ୍ଧା ପୂରଣ ହେବ ଖାଲିଥିବା ୩୦୦ ପଦବୀଗତ ଏକ ବର୍ଷରେ ଓଡ଼ିଶା ଅଗ୍ନିଶମ ୭୫୯୯ ଜୀବନ ବଞ୍ଚାଇଛନ୍ତି, ୧୭ ହଜାର ପ୍ରାଣୀଙ୍କୁ ଉଦ୍ଧାର କରିଛନ୍ତିଉନ୍ନତ ପ୍ରଶିକ୍ଷଣ ପାଇଁ ୧୦ କୋଟିରେ ପ୍ରତିଷ୍ଠା ହେବ ବିଶ୍ୱସ୍ତରୀୟ ସିମୁଲେଟର ରାମଚଣ୍ଡୀ ଠାରେ ଜାତୀୟ ସ୍ତରୀୟ ଜଳଦକ୍ଷତା ଓ ଜୀବନରକ୍ଷା ପ୍ରଶିକ୍ଷଣ କେନ୍ଦ୍ର ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବରାମଚଣ୍ଡୀ ଠାରେ ବିଶ୍ୱସ୍ତରୀୟ ସ୍କୁବା ଡାଇଭିଂ ପ୍ରଶିକ୍ଷଣ କେନ୍ଦ୍ର ମଧ୍ୟ ପ୍ରତିଷ୍ଠା କରାଯିବଓଡ଼ିଶା ଅଗ୍ନିଶମ ବିଭାଗ ସାରା ଦେଶରେ‘ବେଷ୍ଟ ଇନ ଦ ବିଜନେସ୍’ – ମୁଖ୍ୟମନ୍ତ୍ରୀ
ବିପଦରେ ପଡ଼ିଥିବା ଲୋକଙ୍କ ପାଇଁ ସରକାରଙ୍କ ପକ୍ଷରୁ ସହାୟତା ଦେବା ପାଇଁ ପ୍ରଥମେ ପହଞ୍ଚିଥାନ୍ତି ଆମ ଅଗ୍ନିଯୋଦ୍ଧାମାନେ । ସେମାନେ ହେଉଛନ୍ତି ପ୍ରଥମ ରେଶପଣ୍ଡର । ବିପନ୍ନ ଲୋକଙ୍କ ପାଖରେ ସେମାନେ ସରକାରଙ୍କ ଚେହେରା ବୋଲି ଆଜି ଭୁବନେଶ୍ବର ବରମୁଣ୍ଡା ଅଗ୍ନିଶମ ପ୍ରଶିକ୍ଷଣ କେନ୍ଦ୍ରରେ ଆୟୋଜିତ ୬୧ ତମ ଅଗ୍ନିଯୋଦ୍ଧା ଦୀକ୍ଷାନ୍ତ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ସୂଚନାଯୋଗ୍ୟ ଯେ, ଆଜି ସମୁଦାୟ ୯୧୧ ଜଣ ଅଗ୍ନିଯୋଦ୍ଧା ପାସିଙ୍ଗ ଆଉଟ ପରେଡରେ ଯୋଗ ଦେଇ ଅଗ୍ନିଶମ ବାହିନୀରେ କାର୍ଯ୍ୟାରମ୍ଭ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଗତ ଏକ ବର୍ଷ ମଧ୍ୟରେ ଅଗ୍ନିଶମ ବିଭାଗ ଖାଲିଥିବା ୯୧୧ ପଦବୀ ପୂରଣ ହୋଇଛି ।
ସେମାନେ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି । ଆଉ ପ୍ରାୟ ୩୦୦ ପଦବୀ ଖାଲି ରହିଛି ଏବଂ ଏହାକୁ ଡିସେମ୍ୱର ସୁଦ୍ଧା ପୂରଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ପ୍ରଶିକ୍ଷାର୍ଥୀମାନଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଅଗ୍ନିଯୋଦ୍ଧାମାନେ କାର୍ଯ୍ୟକ୍ଷେତ୍ରରେ ବହୁ କଠିନ ପରିଶ୍ରମ କରିଥାନ୍ତି । ସେଥିପାଇଁ ସବୁବେଳେ ଓ ସବୁ ସମୟରେ ଶାରୀରିକ ଫିଟ୍ ରହିବା ଆବଶ୍ୟକ । ଏ ଦିଗରେ ଆଜି ନୂଆକରି ଦାୟିତ୍ୱ ନେଉଥିବା ଓ ବିଭାଗରେ ପୂର୍ବରୁ କାର୍ଯ୍ୟ କରୁଥିବା ସମସ୍ତ ଅଗ୍ନିଯୋଦ୍ଧାମାନେ ସଚେତନ ରହିବା ଆବଶ୍ୟକ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡ଼ିଶା ଅଗ୍ନିଶମ ବିଭାଗ ସାରା ଦେଶରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । କାର୍ଯ୍ୟଦକ୍ଷତା ଭିତ୍ତିରେ ଦେଶର ସର୍ବଶ୍ରେଷ୍ଠ ତିନି ଗୋଟି ରାଜ୍ୟ ମଧ୍ୟରେ ସ୍ଥାନିତ ହୋଇଛି । ଓଡ଼ିଶା ଅଗ୍ନିଶମ ବିଭାଗ ଏବଂ ଅଗ୍ନିଯୋଦ୍ଧାମାନେ The best in business in the country ବୋଲି ସେ କହିଥିଲେ । ବିଗତ ଏକ ବର୍ଷ ମଧ୍ୟରେ ରାଜ୍ୟରେ ଥିବା ୩୪୬ ଟି ଦମକଳ କେନ୍ଦ୍ର ପାଖାପାଖି ୫୦ ହଜାର କଲ୍ ଆଟେଣ୍ଡ କରିଛନ୍ତି ।


