Odia News Portal

ଚାରିଆଡ଼େ ବେଆଇନ୍‌ ବାଲି ଉଠାଣ: ଅନ୍ଧାରର ହାଇୱା, ଜେସିବିର ରାଜୁତି; ମାଫିଆ ମା‌ଲାମାଲ୍‌

ବର୍ଷା ଦିନ ଆରମ୍ଭ ହେବା ଦିନଠୁ ବାଲିଘାଟ ବନ୍ଦ ହେଲାଣି। କିନ୍ତୁ ଚୋରାରେ ନଦୀରୁ ବାଲି ଉଠାଯାଉଛି। ନଦୀର ଯେଉଁ ସ୍ଥାନରେ ପାଣି ନାହିଁ, ସେଠାରେ ରାତିରେ ହାଇୱା, ଜେସିବି ଲଗାଯାଇ ବାଲି ଚୋରି ହେଉଛି। ଏକଥା ଖୋଦ୍‌ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ସ୍ବୀକାର କରିଛନ୍ତି। କିଛି ଦିନ ତଳେ ବୟାଳିଶମୌଜାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ବେଳେ ଶ୍ରୀ ଜେନା ଚୋରା ଚାଲାଣ ହେଉଥିବା ସ୍ବୀକାର କରିବା ସହ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା କହିଥିଲେ। ତେବେ ଏ ଦିଗରେ ଅଧିକ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ଥିବା କହି ଅନ୍ୟ ପ୍ରଶ୍ନକୁ ଏଡ଼ାଇ ଯାଇଥିଲେ। ସୂଚନା ଅନୁସାରେ, ‘ସସ୍‌ଟେନେବୁଲ୍‌ ସ୍ୟାଣ୍ଡ ମାଇନିଂ ମ୍ୟାନେଜମେଣ୍ଟ’ ଓ ‘ଏନ୍‌ଫୋର୍ସମେଣ୍ଟ ଆଣ୍ଡ ମନିଟରିଂ ଗାଇଡ୍‌ଲାଇନ୍‌ ଫର୍‌ ସ୍ୟାଣ୍ଡ ମାଇନିଂ’ ଅଧୀନରେ ବାଲିଘାଟଗୁଡ଼ିକ ପରିଚାଳିତ ହେଉଛି। କଟକ ଜିଲ୍ଲାରେ ୯୦ଟି ବାଲିଘାଟ ଓ ପଥର ଖଣି ରହିଛି। ସେଥିମଧ୍ୟରୁ ୪୮ଟି ବାଲିଘାଟ ୨ଟି ପଥର ଖଣି ନିଲାମ ହୋଇ କାର୍ଯ୍ୟକ୍ଷମ ଅବସ୍ଥାରେ ଅଛି। ଏହା ଭିତରୁ ଆଠଗଡ଼ରେ ଗୋଟିଏ, ସାଲେପୁର ୨, ବଡ଼ମ୍ବା ୨ ଓ ଡମପଡ଼ାରେ ୨, ନରସିଂହପୁରରେ ୩ଟି, ବାଙ୍କୀ ୪, ବାରଙ୍ଗ ୪ ଓ ନିଶ୍ଚିନ୍ତକୋଇଲିରେ ୪, କଣ୍ଟାପଡ଼ା ୫ ଓ ନିଆଳିରେ ୬, କଟକ ସଦର ୭ ଓ କିଶନନଗରରେ ୮ଟି ବାଲିଘାଟ ଅଛି। ଏସବୁ ମଧ୍ୟରୁ କେତେକ ବାଲିଘାଟ ଲିଜ୍‌ ଅବଧି ଏ ବର୍ଷ ଶେଷ ହେଉଥିବା ବେଳେ ଆଉ କିଛି ୨୦୨୬ ମସିହାରେ ଶେଷ ହେଉଛି। ଅନ୍ୟପକ୍ଷରେ କଟକର ବିଭିନ୍ନ ବାଲିଘାଟ ଉପରେ ଆଖପାଖର ୫ଟି ଜିଲ୍ଲା ନିର୍ଭର କରୁଛନ୍ତି। ଭୁବନେଶ୍ବର ଭଳି ସହରରେ ‌ନିର୍ମାଣ କାର୍ଯ୍ୟ ଅଧିକ ରହୁଛି। ତେଣୁ ଅଫ୍‌ ସିଜିନ୍‌ରେ ନିର୍ମାଣ କାମ ପାଇଁ ବାଲିର ଆବଶ୍ୟକତା ଥିବାରୁ ମାଫିଆମାନଙ୍କ ଜରିଆରେ ସେମାନେ ବାଲି ସଂଗ୍ରହ କରୁଛନ୍ତି। ଏଥିପାଇଁ ସୂଚନା ମିଳିବା ମାତ୍ରେ ଚଢ଼ଉ କରାଯାଉଛି। ଏପରିକି କିଛି ବେଆଇନ୍‌ ଘାଟ ବନ୍ଦ ମଧ୍ୟ କରାଯାଇଛି। ପର୍ଯ୍ୟାପ୍ତ କର୍ମଚାରୀ ନଥିବାରୁ ତ୍ବରିତ ପଦକ୍ଷେପ ନିଆଯାଇ ପାରୁନଥିବା ମାଇନିଂ ଅଧିକାରୀ ସମ୍ବିତ ସାହୁ ସୂଚନା ଦେଇଛନ୍ତି। ଶ୍ରୀ ସାହୁଙ୍କ କହିବାନୁସାରେ, ଏବେ ୪ଜଣ କନିଷ୍ଠ ଖଣି ଅଧିକାରୀ ନିଯୁକ୍ତ ହୋଇଛନ୍ତି। ହେଲେ ସରକାରୀ ଭାବେ ସେମାନଙ୍କୁ କୌଣସି ତାଲିମ ଦିଆଯାଇନାହିଁ। ପୁଲିସ୍‌ କିମ୍ବା ତହସିଲ ଭଳି ଆମର ଲୋକବଳ ନାହିଁ। କୌଣସିଠାରୁ ସୂଚନା ଆସିଲେ ଆମେ କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲିସ୍‌ର ସହାୟତା ନେଉଛୁ। ଏହି ସମୟରେ ଆମ ଜୀବନ ପ୍ରତି ବିପଦ ମଧ୍ୟ ରହୁଛି। ମାଫିଆମାନେ ଆମ ଘର ବାହାରେ ଲୋକ ଛିଡ଼ା କରାଉଛନ୍ତି। ଆମର ସମସ୍ତ ଗତିବିଧିକୁ ସେମାନେ ଟ୍ରାକ୍‌ କରୁଛନ୍ତି। ନିକଟରେ କଣ୍ଟାପଡ଼ା ଓ ବୟାଳିଶମୌଜାରେ ବେଆଇନ୍‌ ବାଲିଉଠାଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଗତ ଏପ୍ରିଲରେ କଟକ-ପାରାଦୀପ ରୋଡ୍‌ରେ ବାଲି ମାଫିଆମାନେ ପିସିଆର୍‌ ଭ୍ୟାନ୍‌କୁ ଧକ୍କା ଦେବାରୁ ଦୁଇ ଜଣ ପୁଲିସ୍‌ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା। ଏହାପରଠୁ ଖଣି ଅଧିକାରୀମାନେ ବି ଭୟଭୀତ ଅବସ୍ଥାରେ ଅଛନ୍ତି। ଏହା ଉପରେ କଟକ ସଦର ବିଧାୟକ ପ୍ରକାଶଚନ୍ଦ୍ର ସେଠୀ କହିଛନ୍ତି, ବେଆଇନ୍‌ ବାଲିଘାଟ ଓ ବାଲିଚାଲାଣ ସଂକ୍ରାନ୍ତରେ ଅଭିଯୋଗ ଆସିଲେ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ନେଉଛି।