ରାଜରାସ୍ତାରେ ବୁଲୁଛି ହାତୀ, ସିସିଟିଭିରେ କଏଦ ହେଲା ଦୃଶ୍ୟ By Swadhikar News Last updated Sep 15, 2025 ରାଜରାସ୍ତାରେ ବୁଲୁଛି ହାତୀ । ସିସିଟିଭିରେ କଏଦ ହେଲା ହାତୀ ବୁଲୁଥିବାର ଦୃଶ୍ୟ । ଏହା କୌଣସି ଉପାନ୍ତ କି ଗ୍ରାମାଞ୍ଚଳ ନୁହେଁ ବାରଙ୍ଗ ଶିଳ୍ପାଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । କେତେବେଳେ କାହା ଘର ଆଗରେ ତ କେତେବେଳେ ରାଜରାସ୍ତାରେ ବୁଲୁଛନ୍ତି ହାତୀ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି । ଥରେ ଭାବନ୍ତୁ ତ ଯଦି କୌଣସି ମଣିଷ ହାବୁଡ଼ରେ ଏ ହାତୀ ପଡ଼ିଯାଏ ତେବେ ତା ଅବସ୍ଥା କ’ଣ ହେବ । ବାରଙ୍ଗ ରାମଦାସପୁର ଶିଳ୍ପାଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଉପଦ୍ରବ ମଚାଇଛନ୍ତି ଦୁଇଟି ହାତୀ । ଗୋଟାଏ ଦନ୍ତା ଥିବାବେଳେ ଅନ୍ୟଟି ମାଇ ହାତୀ ରହିଛି । ହାତୀ ଦୁଇଟି ଶିଳ୍ପାଞ୍ଚଳରେ ପଶି ପାଚେରି, ଗେଟ୍ ଭାଙ୍ଗିବା ସହ ନଡ଼ିଆ ଗଛ ଓ କଦଳୀ ଗଛ ଖାଇ ଦଳି ଚକଟି ନଷ୍ଟ କରି ଦେଇଛନ୍ତି । ଦୀର୍ଘ ସମୟ ପର୍ଯ୍ୟନ୍ତ ଶିଳ୍ପାଞ୍ଚଳ ମଧ୍ୟରେ ରହି ତାଣ୍ଡବ ରଚିବା ପରେ ଫେରି ଆସିଥିଲେ । ହାତୀଙ୍କ ଏହିସବୁ କାର୍ଯ୍ୟକଳାପ ଶିଳ୍ପାଞ୍ଚଳରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି । ବାରଙ୍ଗ ଅଞ୍ଚଳର ମୁଣ୍ଡଳୀ, ରାମଦାସପୁର ଓ ବାଆଁର ପ୍ରଭୁତି ଗହୀରରେ ଏବେ ଧାନ ଫସଲ ଥିବାରୁ ଏହାକୁ ଖାଇବା ପାଇଁ ହାତୀ ପଲ ଏଠାକୁ ପଶି ଆସୁଥିବା ଚାଷୀମାନେ କହିଛନ୍ତି । ହାତୀ ପଲ ଗାଁକୁ ପଶିବା ନେଇ ଗ୍ରାମବାସୀ ଭୟଭୀତ ହୋଇ ପଡ଼ିଥିଲେ । ହେଲେ ବିଳମ୍ୱିତ ରାତି ସୁଦ୍ଧା ହାତୀ ଦୁଇଟି ଚନ୍ଦକା ଜଙ୍ଗଲ ମଧ୍ୟକୁ ଚାଲି ଯାଇଥିବା ଜଣାପଡ଼ିଛି । ଅନେକ ସମୟରେ ଖାଦ୍ୟ ଅନ୍ୱେଷଣରେ ହେଉ କିମ୍ବା ଜଳ ଅନ୍ୱେଷଣରେ ହାତୀ ପଲ ସହର କିମ୍ବା ଗାଁ ମୁଁହା ହେଉଛନ୍ତି । ଫଳରେ ଧନ ଜୀବନ ହାନି ହେଉଛି । କେତେବେଳେ ହାତୀ ମଣିଷ ଲଢେଇରେ ହାତୀର ଜୀବନ ଯାଉଛି ତ ଆଉ କେତେବେଳେ ମଣିଷର ଜୀବନ ଯାଉଛି । ରାତି ସୁଦ୍ଧା ହାତୀ ଦୁଇଟି ଜଙ୍ଗଲ ମଧ୍ୟକୁ ଚାଲି ଯାଇଥିବା ଚନ୍ଦକା ବନାଞ୍ଚଳ ଭଗିପୁର ଫରେଷ୍ଟର ଅନାମ ହେମ୍ବ୍ରମ କହିଛନ୍ତି । swadhikarswadhikar news Share