Odia News Portal

କ୍ୟାମ୍ପସରେ ଛାତ୍ରୀ ଅସୁରକ୍ଷିତ: ୧୫ ମାସରେ ବିଶ୍ବବିଦ୍ୟାଳୟରେ ୨୦ ଅଭିଯୋଗ

୨୦୨୪ ଜୁନ୍‌ ୧୨‌ରେ ବିଜେପି ସରକାର କ୍ଷମତାକୁ ଆସିଥିଲା। ଇତିମଧ୍ୟରେ ୧୫ ମାସ ଅତିକ୍ରମ କରିଥିବା ନୂଆ ସରକାରରେ ବିଶ୍ବବିଦ୍ୟାଳୟ ଛାତ୍ରୀମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି। କେଉଁ କ୍ୟାମ୍ପସରୁ ମାନସିକ ନିର୍ଯାତନା ଅଭିଯୋଗ ତ ଆଉ କେଉଁଠି ଶାରୀରିକ ନିର୍ଯାତନାର ଅଭିଯୋଗ ଆସୁଛି। ଏହି ସମୟ ମଧ୍ୟରେ ଉଚ୍ଚଶିକ୍ଷା ବିଭାଗ ଅଧୀନ ୧୭ଟି ବିଶ୍ବବିଦ୍ୟାଳୟରେ ୨୦ଜଣ ଛାତ୍ରୀ/ମହିଳା କର୍ମଚାରୀ ଶାରୀରିକ, ମାନସିକ ଓ ଯୌନ ନିର୍ଯାତନାର ଶିକାର ହୋଇଛନ୍ତି। ବିଦ୍ୟାଳୟ ଛାତ୍ରୀ ମଧ୍ୟ ସୁରକ୍ଷିତ ନୁହଁନ୍ତି। ୯ଟି ଜିଲ୍ଲାରେ ୩୨ଟି ଛାତ୍ରୀ ନିର୍ଯାତନା ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।ଉତ୍କଳ ବିଶ୍ବବିଦ୍ୟାଳୟରେ ସର୍ବାଧିକ ୭ଟି ମାମଲା ପଞ୍ଜିକୃତ ହୋଇଛି। ୨୦୨୪ ଅଗଷ୍ଟ ୨୨ରେ ଖରାପ ଭାଷା ପ୍ରୟୋଗ, ଅଗଷ୍ଟ ୨୩‌ରେ ଯୌନ ନିର୍ଯାତନା, ‌ଅଗଷ୍ଟ ୫ରେ ହଷ୍ଟଲ ସୁରକ୍ଷା ଜନିତ ସମସ୍ୟା, ଡିସେମ୍ବର ୨ରେ କ୍ୟାମ୍ପସ ଭିତରେ ଅଜଣା ଯୁବକମାନେ ‌ଯୌନ ନିର୍ଯାତନା‌ ଦେବା, ଡିସେମ୍ବର ୩୦ରେ ଗାଇଡ୍‌ ପରିବର୍ତ୍ତନ ଯୋଗୁଁ ଏକାଡେମିକ ସମସ୍ୟା, ୨୦୨୫ ମାର୍ଚ୍ଚ ୧ରେ ଅଫିସ୍‌ରେ ଯୌନ ନିର୍ଯାତନା ଓ ଅଗଷ୍ଟ ୧ରେ ମାନସିକ ନିର୍ଯାତନା ଭଳି ଅଭିଯୋଗ ଆସିଥିଲା। ଗୋଟିଏ ଘଟଣାକୁ ଛାଡ଼ି ହେଲେ ଅନ୍ୟ ସମସ୍ତ ଅଭିଯୋଗର ଆପୋଷ ସମାଧାନ ହୋଇଛି। ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ କାର୍ଯ୍ୟକାଳ ସମୟରେ ୬ଟି ନିର୍ଯାତନା ଘଟଣା ପଞ୍ଜୀକୃତ ହୋଇଥିଲା। ପ୍ରଫେସର ଆଚାର୍ଯ୍ୟଙ୍କ ଅବସର ପରେ ୩ଟି ଘଟଣାର ଆପୋଷ ସମାଧାନ ହୋଇଛି। ‌ଉତ୍କଳ ତଳକୁ ରେଭେନ୍ସା ବିଶ୍ବବିଦ୍ୟାଳୟ ରହିଛି, ଯେଉଁଠି ୬ଟି ନିର୍ଯାତନା ମାମଲା ପଞ୍ଜିକୃତ ହୋଇଛି। ୨୦୨୫ ଜୁଲାଇ ୨୯ରୁ ସେପ୍ଟେମ୍ବର ୨ ମଧ୍ୟରେ ହିଁ ଅଭିଯୋଗଗୁଡ଼ିକ ଦାଖଲ ହୋଇଛି। ଜୁଲାଇ ୨୯ରେ ମାନସିକ ନିର୍ଯାତନା, ଜୁଲାଇ ୩୦ରେ ଶାରିରୀକ ନିର୍ଯାତନା, ଅଗଷ୍ଟ ୮ରେ ନିର୍ଯାତନା, ଅଗଷ୍ଟ ୧୨, ୧୨ ଓ ସେପ୍ଟେମ୍ବର ୨ରେ ପୃଥକ ପୃଥକ ଭାବେ ଦାଖଲ ହୋଇଥିବା ୩ଟି ମାନସିକ ନିର୍ଯାତନା ଘଟଣା ରହିଛି। ସେଥିମଧ୍ୟରୁ ୪ଟିର ସମାଧାନ ହୋଇଥିବା ବେଳେ ଦୁଇଟିର ତଦନ୍ତ ଜାରି ରହିଛି।ସେହିପରି ଫକୀର ମୋହନ ବିଶ୍ବବିଦ୍ୟାଳୟରେ ୩ଟି ନିର୍ଯାତନା ଘଟଣା ପଞ୍ଜିକୃତ ହୋଇଛି। ଜୁଲାଇ ୩୦ରେ ଜଣେ ଶିକ୍ଷୟିତ୍ରୀ ଛାତ୍ରୀଙ୍କୁ ମାନସିକ ନିର୍ଯାତନା ଏବଂ ସେହିଦିନ ଏକ ମାନସିକ ନିର୍ଯାତନା, ଅଗଷ୍ଟ ୩୦ରେ ମାନସିକ ନିର୍ଯାତନା, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଏହି ବର୍ଷ ଜୁଲାଇ ୩୦ରେ ଯୌନ ନିର୍ଯାତନା ଓ ଅଗଷ୍ଟ ୨୦ରେ ମାନସିକ ନିର୍ଯାତନା ହୋଇଥିଲା। ରମାଦେବୀ ବିଶ୍ବବିଦ୍ୟାଳୟର ଉଭୟ ଅଭିଯୋଗର ତଦନ୍ତ ଜାରି ରହିଥିବା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଦର୍ଶାଯାଇଛି। ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଅଗଷ୍ଟ ୧୨ରେ ଏବଂ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ଜୁଲାଇ ୨୨ରେ ଗୋଟିଏ ଲେଖାଏ ଯୌନ ନିର୍ଯାତନା ଅଭିଯୋଗ ପଞ୍ଜିକୃତ ହୋଇଛି। ସମ୍ବଲପୁର ବିଶ୍ବବିଦ୍ୟାଳୟ, ଧରଣୀଧର ବିଶ୍ବବିଦ୍ୟାଳୟ, ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ, ମା’ ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ, ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ, ଓଡ଼ିଆ ବିଶ୍ବବିଦ୍ୟାଳୟ, ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ, ବିକ୍ରମ ଦେବ ବିଶ୍ବବିଦ୍ୟାଳୟ ଓ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟରେ କୌଣସି ଅଭିଯୋଗ ହୋଇ ନାହିଁ। ବିଜେଡି ବିଧାୟକ ତୁଷାରକାନ୍ତି ବେହେରାଙ୍କ ଏକ ପ୍ରଶ୍ନରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବିଧାନସଭାରେ ଉତ୍ତର ରଖିଛନ୍ତି।ଅନ୍ୟପକ୍ଷରେ ୯ଟି ଜିଲ୍ଲାରେ ୩୨ଟି ଛାତ୍ରୀ ନିର୍ଯାତନା ମାମଲା ରୁଜୁ ହୋଇଛି। କନ୍ଧମାଳ ଜିଲ୍ଲାରେ ବାଲିଗୁଡ଼ା ସରକାରୀ ହାଇସ୍କୁଲରେ ସର୍ବାଧିକ ୧୧ଟି ମାମଲା ରହିଛି। ସୁନ୍ଦରଗଡ଼ର ଠାକୁରପାଲି ପୁଷ୍ପା ମଞ୍ଜରୀ ସରକାରୀ ହାଇସ୍କୁଲ ଓ ପଞ୍ଚାୟତ ହାଇସ୍କୁଲ ଗୁରୁଣ୍ଡିଆରେ ୨ଟି ଲେଖାଏଁ ମାମଲା ରହିଛି। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ଉତ୍ତର ଦେଇଛନ୍ତି।