ପୁଣି ସପିଂ ମଲ୍ ପାର୍କିଂ ଶୋଷଣ: ବାଇକ୍ ୧୦, କାର୍ ୨୦ ଟଙ୍କା By Swadhikar News Last updated Sep 20, 2025 ବ୍ୟବସାୟିକ ପ୍ରତିଷ୍ଠାନ ବ୍ୟବସାୟ କରିବେ ଓ କୋଟି କୋଟି ଲାଭ ନେବେ। ଅଥଚ ଯେଉଁ ଗ୍ରାହକ ଏହି ବ୍ୟବସାୟିକ ପ୍ରତିଷ୍ଠାନକୁ ଲାଭବାନ କରୁଛନ୍ତି, ସେମାନେ ପାର୍କିଂ ଫି’ ଗଣିବେ। ଭୁବନେଶ୍ବରର ଜଣାଶୁଣା ବଡ଼ ବଡ଼ ସପିଂ ମଲ୍ମାନେ ପାର୍କିଂ ଫି’ ନାଁରେ ପୁଣିଥରେ ଗ୍ରାହକ ଶୋଷଣ ଆରମ୍ଭ କରିଛନ୍ତି। ବାଇକ୍ ପିଛା ୧୦ ଟଙ୍କା ଓ କାର୍ ପିଛା ୨୦ ଟଙ୍କା ପାର୍କିଂ ଫି’ ଆଦାୟ କରାଯାଉଛି। ଏହାକୁ ନେଇ ଗ୍ରାହକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏଭଳି ଜୋର ଜବରଦସ୍ତ ପାର୍କିଂ ଫି’ ଆଦାୟ ତୁରନ୍ତ ବନ୍ଦ କରାଯାଉ ବୋଲି ଦାବି କରିଛନ୍ତି। ଆବଶ୍ୟକ ପଡ଼ିଲେ, ଆଇନର ଦ୍ବାରସ୍ଥ ହେବେ ବୋଲି ଚେତାବନୀ ବି ଦେଇଛନ୍ତି।ସେପଟେ ଏନେଇ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଓ ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି)ର ନିରବତା ସନ୍ଦେହ ସୃଷ୍ଟି କରିଛି। ଅନୁସନ୍ଧାନରୁ ଜଣାପଡ଼ିଛି, ସପିଂ ମଲ୍ରେ ଦିନକୁ ପ୍ରାୟ ୮ହଜାରରୁ ଅଧିକ ବାଇକ୍ ଓ ୪ ହଜାରରୁ ଅଧିକ କାର ପାର୍କିଂ ହେଉଛି। ଛୁଟି ଦିନରେ ଏହି ସଂଖ୍ୟା ଢେର ଅଧିକ। ଧାର୍ଯ୍ୟ ପାର୍କିଂ ଫି’କୁ ହିସାବ ନେଲେ, ସପିଂ ମଲ୍ମାନେ ଦୈନିକ ପାର୍କିଂରୁ ଦେଢ଼ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରୁଛନ୍ତି। ୨୦୧୯ ମସିହାରେ ବି ସପିଂ ମଲ୍, ସିନେମା ହଲ୍ରେ ଗ୍ରାହକଙ୍କଠାରୁ ଏଭଳି ପାର୍କିଂ ଟଙ୍କା ନେଉଥିଲେ। ସେ ସମୟରେ ଜୋରଦାର ବିରୋଧ ହୋଇଥିଲା। ଅହମଦାବାଦ ଭଳି ରାଜ୍ୟ ପାର୍କିଂ ଫି’ ଆଦାୟ ଉପରେ କଟକଣା ଲଗାଇଥିବା ବେଳେ ଓଡ଼ିଶାରେ କାହିଁକି ବୋଲି ଗ୍ରାହକ ଯୁକ୍ତି ବାଢ଼ିଥିଲେ। ସରକାର ଆକ୍ସନ୍ ମୁଡ୍କୁ ଆସି ପାର୍କିଂ ଫି’ ବନ୍ଦ ନିର୍ଦ୍ଦେଶ ଦେଇଥିଲେ। ବାଲିଅନ୍ତାର ବିକାଶ କୁମାର ରାଉତ କହିଛନ୍ତି, ଏବେ କେତେକ ମଲ୍ ପାର୍କିଂ ଫି’ ଆଦାୟ କରୁଛନ୍ତି। ଆମେ ଏଠାକୁ କିଣିବାକୁ ଆସିବୁ, ଆଉ ଯେଉଁ ସଂସ୍ଥାଠାରୁ କିଣିବୁ, ତାକୁ ପାର୍କିଂ ଫି ଦେବୁ। ତୁରନ୍ତ ପାର୍କିଂ ଫି’ ଆଦାୟ ବନ୍ଦ କରାଯାଉ। ଭୁବନେଶ୍ବରର ବିଜୟ ଭୂଷଣ ମହାନ୍ତି କହିଛନ୍ତି, ସେ ଅଧିକାଂଶ ସମୟ ସପିଂ ମଲ୍ରୁ କିଣାକିଣି କରନ୍ତି। ଏବେ ପାର୍କିଂ ବାବଦରେ ଟଙ୍କା ଆଦାୟ ଅଜବ ଲାଗୁଛି। ବିଡିଏ ଉପାଧ୍ୟକ୍ଷ ଏନ୍. ଥିରୁମାଲା ନାଏକ କହିଛନ୍ତି, ସପିଂ ମଲ୍କୁ ପାର୍କିଂ ଫି’ ଆଦାୟ ସଂପର୍କରେ ଆମେ ଜାଣିନୁ। ଏ ସଂପର୍କରେ ଆମେ ବି କୌଣସି ନିର୍ଦ୍ଦେଶନାମା ଦେଇନୁ। ଯଦି କୌଣସିଠାରେ ଲୋକଙ୍କଠାରୁ ପାର୍କିଂ ଫି’ ଆଦାୟ ହେଉଛି, ଆମେ ସେମାନଙ୍କୁ ନୋଟିସ୍ କରିବୁ। କମିସନର୍ ଚଞ୍ଚଳ ରାଣା କହିଛନ୍ତି, ପାର୍କିଂ ଫି’ ଆଦାୟ ନେଇ ସେଭଳି କିଛି ନିର୍ଦ୍ଦିଷ୍ଟ ନିୟମ ନାହିଁ। ବିଭିନ୍ନ ରାଜ୍ୟରେ ଭିନ୍ନ ନିୟମ ଓ କୋର୍ଟ ଆଦେଶ ରହିଛି। ହାଇକୋର୍ଟଙ୍କ କିଛି ରାୟ ରହିଛି ଓ ସୁପ୍ରିମକୋର୍ଟଙ୍କର ବି କିଛି ରାୟ ରହିଛି। ବିଡିଏ ଓ ବିଏମ୍ସି ବି କିଛି ନିଷ୍ପତ୍ତି ନେଇଛନ୍ତି। ତେଣୁ ସବୁ ଦିଗକୁ ତର୍ଜମା ପରେ ଆମେ ପଦକ୍ଷେପ ନେବୁ। ପାର୍କିଂର ଅପବ୍ୟବହାର କଦାପି କରିବାକୁ ଦେବୁନି। ପାର୍କିଂ ମାଗଣା ରହିବା ସ୍ବାଭାବିକ କଥା। କିନ୍ତୁ ଅନେକ ସମୟରେ ଏହାର ଅପବ୍ୟବହାର କରାଯାଉଥିବାର ଅଭିଯୋଗ ଆସୁଛି। କିଛି ଲୋକ ମାସ ମାସ ଧରି ପାର୍କିଂରେ ଗାଡ଼ି ରଖି ପଳାଉଛନ୍ତି। ବିଏମ୍ସିର ପାର୍କିଂ ରେଗୁଲେଟେଡ୍ ଲିଗାଲ୍ ଅଥରିଟି ସହ ଆଲୋଚନା କରି ଚୂଡ଼ାନ୍ତ ନିର୍ଦ୍ଦେଶ ଦେବୁ। ପାର୍କିଂ ଫି’ ଆଦାୟ ସଂପର୍କିତ ଅଭିଯୋଗ ପାଇବା ପରେ ସପିଂ ମଲ୍ କର୍ତ୍ତୃପକ୍ଷଙ୍କ ସହ ଆମେ ଆଲୋଚନା କରିଛୁ। parking abuseswadhikarswadhikar news Share