Odia News Portal

ଆଉ ନକ୍ସଲଙ୍କୁ ତ୍ରାହି ନାହିଁ: ସଙ୍ଗଠନ ଛାଡ଼ିଲେ ୭୧ ନକ୍ସଲ

ସୁରକ୍ଷା କର୍ମୀଙ୍କ ଗୁଳିରେ ପୁଣି ଟଳିଛନ୍ତି ୩ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ। ଆଜି ସକାଳେ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଗୁମ୍‌ଲା ବିଶୁନପୁର କେଚକି ଜଙ୍ଗଲରେ ଝାଡ଼ଖଣ୍ଡ ଜାଗୁଆର, ଗୁମ୍‌ଲା ପୁଲିସ ଓ ସିଆର୍‌ପିଏଫ୍‌ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଚାଲିଥିଲା। ଏହି ସମୟରେ ମାଓ ସଙ୍ଗଠନ ଝାଡ଼ଖଣ୍ଡ ଜନମୁକ୍ତି ପରିଷଦ (ଜେଜେଏମ୍‌ପି)ର ସୁପ୍ରିମୋ ବ୍ରିଜେଶ ଯାଦବ ଓ ତା’ର ସହଯୋଗୀମାନେ ଯବାନଙ୍କ ସହ ମୁହାଁମୁହିଁ ହୋଇଥିଲେ। ବ୍ରିଜେଶ ଓ ତା’ର ସାଥୀମାନେ ସେଠାରୁ ଖସିଯିବାକୁ ଗୁଳି ଚଳାଇଥିଲେ। ଯବାନଙ୍କ ପାଲଟା ଗୁଳିମାଡ଼ରେ ତିନି କୁଖ୍ୟାତ ମାଓବାଦୀ ନିହତ ହୋଇଥିବାବେଳେ ବ୍ରିଜେଶ ଓ ତା’ର ଅନ୍ୟ କିଛି ସାଥୀ ଖସିଯିବାରେ ସଫଳ ହୋଇଛନ୍ତି। ନିହତମାନେ ହେଲେ ଜେଜେଏମ୍‌ପିର କମାଣ୍ଡର ଲାଲୁ ଲୋହାର ଓ ଛୋଟୁ ଓରାମ। ଏ ଦୁହିଁଙ୍କ ମୁଣ୍ଡ ଉପରେ ଝାଡ଼ଖଣ୍ଡ ସରକାର ୫ ଲକ୍ଷ ଲେଖାଏଁ ପୁରସ୍କାର ଘୋଷଣା କରିଥିଲେ। ଅନ୍ୟ ଜଣେ ନିହତଙ୍କ ପରିଚୟ ମିଳିପାରିନି। ମୃତ ମାଓବାଦୀଙ୍କ ନିକଟରୁ ସ୍ବୟଂଚାଳିତ ବନ୍ଧୁକ ଏସ୍‌ଏଲ୍‌ଆର ଓ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ ହୋଇଛି। ମିଳିଥିବା ସୂଚନା ମୁତାବକ ବିଶନପୁର କେଚକି ଜଙ୍ଗଲରେ ଜେଜେଏମ୍‌ପି ସୁପ୍ରିମୋ ବ୍ରିଜେଶ ନେତୃତ୍ବରେ ତା’ର କିଛି ସହଯୋଗୀ ବଡ଼ଧରଣର ହିଂସାକାଣ୍ଡ ଭିଆଇବାକୁ ଯୋଜନା କରୁଥିଲେ। ଗୁଇନ୍ଦା ସୂଚନା ଆଧାରରେ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଗଠିତ ପୁଲିସ ଟିମ୍‌ ଯବାନଙ୍କ ସହ ମିଶି ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରିବା ସହ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିଲେ। ଯବାନମାନେ ଚାରିପଟୁ ଘେରିଥିବା ଜାଣି ବ୍ରିଜେଶ ଓ ତା’ର ସହଯୋଗୀ ସେଠାରୁ ଖସିଯିବାକୁ ଗୁଳି ଚଳାଇଥିଲେ। ପାଲଟା ଜବାବରେ ଯବାନ ଓ ପୁଲିସ ମିଳିତ ଭାବେ ଗୁଳି ଚଳାଇଥିଲେ। ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି ଉଭୟ ପଟୁ ଗୁଳି ବିନିମୟ ହୋଇଥିଲା। ପୁଲିସ ଏନ୍‌କାଉଣ୍ଟର୍‌ ଭୟରେ ସଂଗଠନ ଛାଡ଼ିଛନ୍ତି ଆଉ ୭୧ ନକ୍ସଲ। ଛତିଶଗଡ଼ର ଦନ୍ତେଵାଡା ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ମଧ୍ୟରେ ୨୧ ଜଣ ମହିଳା ଥିବା ବେଳେ ୩୦ ଜଣଙ୍କ ନାମରେ ୬୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଛି। ସେମାନଙ୍କ ମଧ୍ୟରୁ ଡିଭିସିଏମ ବାମନ ମାଡକାମ ନାମରେ ୮ ଲକ୍ଷ, ଏସିଏମ ସମାଲି କାବାସି ନାମରେ ୫ ଲକ୍ଷ, ଏସିଏମ ଗାଙ୍ଗି ଓରଫ୍‌ ରୋହନୀ ବାରସେ ନାମରେ ୫ ଲକ୍ଷ, ଏସିଏମ ଦେବେ ଓରଫ୍‌ କବିତା ମାଡବୀ ନାମରେ ୫ ଲକ୍ଷ, ପାର୍ଟି ମେମ୍ବର ଜଗା ମାଡକାମ ନାମରେ ୨ ଲକ୍ଷ ଏବଂ ଅନ୍ୟ ୨୫ ନକ୍ସଲଙ୍କ ନାମରେ ୧ ଲକ୍ଷ ଲେଖାଏଁ ପୁରସ୍କାର ରାଶି ରହିଛି। ଆତ୍ମସମର୍ପଣ କରିଥିବା ସମସ୍ତ ନକ୍ସଲଙ୍କୁ ସରକାରଙ୍କ ପକ୍ଷରୁ ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଆଗାମୀ ଦିନରେ ସମସ୍ତଙ୍କୁ ଆତ୍ମନିର୍ଭରଶୀଳ କରାଯିବ ବୋଲି ପୁଲିସ କହିଛି। ସଂଗଠନରେ ଆଉ ଶୀର୍ଷ ନେତା ନଥିବା ଏବଂ ଯେଉଁମାନେ ରହିଛନ୍ତି ସେମାନଙ୍କ ଦ୍ବାରା ନିର୍ଯାତିତ ହେଉଥିବାରୁ ସଂଗଠନ ଛାଡ଼ିଥିବା ନକ୍ସଲ କହିଛନ୍ତି। ସରକାରଙ୍କ ‘ଘରକୁ ଫେରିଆସ’ ଯୋଜନାରେ ପ୍ରଭାବିତ ହୋଇ ଆଗକୁ ଆହୁରି ଅନେକ ନକ୍ସଲ ମୁଖ୍ୟସ୍ରୋତରେ ସାମିଲ ହେବେ ବୋଲି ସୂଚନା ମିଳିଛି।୨୦୨୬ ମାର୍ଚ୍ଚ ପୂର୍ବରୁ ନକ୍ସଲ ସଂଗଠନକୁ ମୂଳପୋଛ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଘନ ଘନ ଅପରେସନ୍‌ ସାଙ୍ଗକୁ ଏନ୍‌କାଉଣ୍ଟର୍‌ରେ ନକ୍ସଲ ସଂଗଠନର ବହୁ ମୁଣ୍ଡ ଗଡ଼ିଥିବା ବେଳେ ଅନେକ ଆତ୍ମସର୍ମପଣ କରିଛନ୍ତି। ଦୁଇ ଦିନ ତଳେ ଛତିଶଗଡ଼ ନାରାୟଣପୁର ଜିଲ୍ଲାର ଅବୁଝମାଡ଼ ଜଙ୍ଗଲରେ ଦୁଇ କେନ୍ଦ୍ରୀୟ କମିଟି ସଦସ୍ୟଙ୍କର ଏନ୍‌କାଉଣ୍ଟର୍‌ରେ ମୃତ୍ୟୁ ହୋଇଥିଲା। ଇତିମଧ୍ୟରେ ଲଗାତାର ୬ କେନ୍ଦ୍ରୀୟ କମିଟି ସଦସ୍ୟଙ୍କ ମୃତ୍ୟୁ ହୋଇସାରିଲାଣି।