ବିଲ ମଝିରେ ବିଦ୍ୟାଳୟ, ଛାତ୍ରଛାତ୍ରୀ ବାଉଁଶ ଚାର ସାହାଯ୍ୟରେ ଯାତାୟତ କରୁଛନ୍ତି By Swadhikar News Last updated Oct 14, 2025 ବିଲ ମଝିରେ ବିଦ୍ୟାଳୟ ଅଛି । ହେଲେ ସେଠାକୁ ଯିବା ପାଇଁ ରାସ୍ତା ନାହିଁ । ପାଣି ଓ କାଦୁଅରେ ପଶି ପିଲାମାନେ ଯାଉଛନ୍ତି । ଏପରି କି ପାଣି ନାଳ ଉପରେ ଥିବା ବାଉଁଶ ଚାରକୁ ଭରସା କରି ଛାତ୍ରୀଛାତ୍ର ଓ ଶିକ୍ଷକ ଶିକ୍ଷୟିତ୍ରୀ ଯାତାୟାତ କରୁଛନ୍ତି । ଏଭଳି ଚିତ୍ର ଦେଖିବାକୁ ମିଳିଛି ବାଲେଶ୍ବର ଜିଲା ସିମୁଳିଆ ବ୍ଲକ ଅଧୀନ ବାଉରିପଦା ପଞ୍ଚାୟତରେ ଢିଲି ଗ୍ରାମରେ । ସିମୁଳିଆ ବ୍ଲକ କାର୍ଯ୍ୟାଳୟଠାରୁ ମାତ୍ର ୫ କି.ମି. ଦୂରରେ ଅବସ୍ଥିତ ଏହି ବିଦ୍ୟାଳୟର ସମସ୍ୟା ନେଇ ସାଧାରଣରେ ଅସନ୍ତୋଷ ବଢ଼ିଚାଲିଛି । ଶିଶୁବାଟିକାଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୧୨ ଜଣ ଛାତ୍ରୀ ଓ ୭ ଜଣ ଛାତ୍ର ମୋଟ ୧୯ଜଣ ଏଠାରେ ପାଠ ପଢୁଛନ୍ତି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଭାବେ ନିର୍ମଳା ଦେବନାଥ ଓ ସହକାରୀ ଶିକ୍ଷକ ଗୁରୁପ୍ରସାଦ ସିଂ ଶିକ୍ଷାଦାନ କରୁଛନ୍ତି । ତେବେ ଧାନ ବିଲ ମଝିରେ ଥିବା ଏହି ବିଦ୍ୟାଳୟ ନିକଟକୁ ଯାତାୟାତ ପାଇଁ କୌଣସି ସୁବିଧା ନାହିଁ । କାଦୁଅ ପାଣିରେ ପଶି ଶିକ୍ଷକ ଓ ଛାତ୍ରୀଛାତ୍ର ଯାତାୟାତ କରୁଛନ୍ତି । ବର୍ଷା ଦିନରେ ଅବସ୍ଥା କହିଲେ ନସରେ ବେଳେ ବେଳେ ପିଲାମାନେ ସ୍କୁଲକୁ ମଧ୍ୟ ଯାଇପାରନ୍ତି ନାହିଁ । ଛୋଟ ଛୋଟ ପିଲାମାନଙ୍କୁ ତାଙ୍କ ମା’ ମାନେ କାଖେଇ ସ୍କୁଲରେ ନେଇ ଛାଡ଼ୁଥିବା ମଧ୍ୟ ଦେଖିବାକୁ ମିଳିଛି । ବିଲ ମଝିରେ ସ୍କୁଲ ରହିଥିବାରୁ ସାପର ଭୟ ମଧ୍ୟ ରହିଛି । ଶିକ୍ଷକମାନଙ୍କୁ ଗାଁ ରାସ୍ତା ପାଖରେ ସାଇକେଲ କିମ୍ବା ମୋଟରସାଇକେଲ ରଖି ପ୍ୟାଣ୍ଟ ଟେକି ପାଣି କାଦୁଅରେ ପଶି ସ୍କୁଲ ନିକଟକୁ ଯିବାକୁ ପଡ଼ୁଛି । ପାଣି ନାଳ ଉପରେ ଥିବା ବାଉଁଶ ଚାର ଭରସାରେ ଗଲାବେଳେ ଗୋଡ଼ ଖସିଯିବାର ଭୟ ରହିଛି । ପାଣି, କାଦୁଅ ଏବଂ ନାଳରେ ଅନେକ ଥର ଛାତ୍ରଛାତ୍ରୀ ପଡ଼ିଯିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଛି । ନାଳ ପାରି ହେଲେ ହିଡ଼ ଧାନ ବିଲ ସହ ମିଶି ଯାଇଥିବାରୁ କାଦୁଅରେ ଯିବା ପାଇଁ ପଡୁଛି । ସେହିପରି ରାସ୍ତା ସମସ୍ୟା ସହିତ ବିଦ୍ୟାଳୟ ଚାରିପାଖରେ ଖାଲ ରହିଛି ଏବଂ ସ୍କୁଲରେ କରେଣ୍ଟ ମଧ୍ୟ ନାହିଁ । ଗତ ୨ବର୍ଷ ହେଲା ବିଦ୍ୟୁତ୍ ସଂଯୋଗ ପାଇଁ ଟଙ୍କା ଜମା କରାଯାଇଥିଲେ ମଧ୍ୟ ଏବେ ପର୍ଯ୍ୟନ୍ତ ବିଦ୍ୟୁତ୍ ସଂଯୋଗ ହୋଇନାହିଁ । ତେବେ କେବେ ଏହି ରାସ୍ତା ନିର୍ମାଣ ହେବ ତାହାକୁ ନେଇ ସାଧାରଣରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କେବେ ଏହି ସ୍କୁଲକୁ ଯିବା ପାଇଁ ରାସ୍ତା ହେଉଛି ତାହା ଦେଖିବା ବାକି ରହିଲା । swadhikarswadhikar news Share