ଜଗନ୍ନାଥ କୋଇଲା ଖଣିରେ ହଜାର ହଜାର କୋଟି ଟଙ୍କାର ଘୋଟାଲା By Swadhikar News Last updated Oct 18, 2025 ତାଳଚେର ଜଗନ୍ନାଥ କୋଇଲା ଖଣିରେ ବେଆଇନ କୋଇଲା ଷ୍ଟକ୍ ସହ କୋଇଲାକୁ ମାଟି ଓ ପଥର ଦର୍ଶାଇ ଲୁଟ୍ କରାଯାଉଛି। ହଜାର ହଜାର କୋଟି ଟଙ୍କାର କୋଇଲାକୁ ଏପରି ନିମ୍ନମାନର ଦର୍ଶାଇ ଚଳୁ କରିଦିଆଯାଉଛି। ମୁଣ୍ଡା କୋଇଲାକୁ ଗୁଣ୍ଡ କରି ଚାଲାଣ କରାଯାଉଛି। ଭଲ କୋଇଲାକୁ ପଥର କୋଇଲା ଦର୍ଶାଇ ତାହା ଉପରେ ମାଟି ଘୋଡ଼ାଇ ଦିଆଯାଉଛି। ଏପରି ସଙ୍ଗିନ ଅଭିଯୋଗ ଆଣିଛନ୍ତି ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ। ତାଳଚେର ବଲଣ୍ଡାସ୍ଥିତ ବ୍ଲାକ୍ଡାଇମଣ୍ଡ କ୍ଲବ୍ରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏପରି ଅଭିଯୋଗ କରିବା ସହିତ ଖଣି କର୍ତ୍ତୃପକ୍ଷ ଓ ଅଧିକାରୀଙ୍କ ଏଥିରେ ସଂପୃକ୍ତି ଥିବା କହିଛନ୍ତି। ଶ୍ରୀ ପ୍ରଧାନ ଆହୁରି କହିଛନ୍ତି, ଜଗନ୍ନାଥ କୋଇଲା ଖଣିର ୪ ନମ୍ବର ଷ୍ଟକ୍ରେ ଗୁରୁବାର ସନ୍ଧ୍ୟାରେ ଏମ୍ଏସ୍ ବିଏଲ୍ଏ ନାମକ ଠିକାସଂସ୍ଥା କୌଣସି ଅନୁମତି ନଥାଇ କୋଇଲାଗୁଡ଼ିକୁ ଡମ୍ପିଂ କରୁଥିଲା। ଏହି ଖବର ପାଇ ସେ ନିଜେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି କୋଇଲା ଖଣିର ଷ୍ଟକ୍ୟାର୍ଡ ଗୋଟିଏ ସ୍ଥାନରେ ରହିଥିବା ବେଳେ ଜଗନ୍ନାଥ ଖଣି ପ୍ରକଳ୍ପ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଖଣି ଭିତରେ ବିଭିନ୍ନ ସ୍ଥାନରେ କୋଇଲା ଗଦା କରାଯାଉଥିବା ଦେଖିବାକୁ ମିଳିଥିଲା।ପରବର୍ତ୍ତୀ ସମୟରେ ଜଗନ୍ନାଥ କୋଇଲା ଖଣିରେ ଏଭଳି ଘୋଟଲାକୁ ନେଇ ସେ ଗୋପାଳପ୍ରସାଦ ଥନାର ଦ୍ବାରସ୍ଥ ହୋଇଥିଲେ। କିନ୍ତୁ ତାଙ୍କ ଏତଲାକୁ ପଞ୍ଜୀକୃତ କରାଯାଇ ନଥିବା ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି। ଉକ୍ତ ଘଟଣାକୁ ନେଇ ସେ ତାଳଚେର ଖଣି ଉପନିର୍ଦ୍ଦେଶକଙ୍କୁ ଅବଗତ କରାଇଥିଲେ। ତାଳଚେର ଖଣି ଉପନିର୍ଦ୍ଦେଶକ ଶୁଭେନ୍ଦୁ ସାମଲ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ କିଛି କୋଇଲା ଖଣ୍ଡକୁ ପରୀକ୍ଷା କରିବା ପାଇଁ ସାଙ୍ଗରେ ନେଇଥିଲେ। ତେବେ ବହୁମାସ ଧରି ଖଣି ଭିତରେ ଏପରି ଅନିୟମିତତା ହେଉଥିବା ସେ ଅଭିଯୋଗ କରିଛନ୍ତି। ଏହି କାର୍ଯ୍ୟରେ ଜଗନ୍ନାଥ ଖଣିର ମହାପ୍ରବନ୍ଧକ, ପ୍ରକଳ୍ପ ଅଧିକାରୀ, ଖଣି ପରିଚାଳକ ଓ ଠିକାଦାରଙ୍କ ସହିତ କିଛି ବଡ଼ ଅଧିକାରୀଙ୍କ ହାତ ରହିଥିବା ବିଧାୟକ ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି। ମାସ ମାସ ଧରି ଏଭଳି ଅନିୟମିତତା ଯୋଗୁ ସରକାର ହଜାର ହଜାର କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି ବୋଲି ସେ କହିଛନ୍ତି। ଏ ନେଇ ତାଳଚେର ଜଗନ୍ନାଥ କୋଇଲା ଖଣିର ପ୍ରକଳ୍ପ ଅଧିକାରୀ ଶ୍ରୀକାନ୍ତ କୁମାର ମାଣିକଙ୍କୁ ପଚାରିବାରୁ ସେ ଏହା ଉପରେ କୌଣସି ମନ୍ତବ୍ୟ ଦେବାକୁ ମନା କରିଥିଲେ। ଅନ୍ୟପକ୍ଷରେ ତାଳଚେର ଖଣି ଉପନିର୍ଦ୍ଦେଶକ ଶୁଭେନ୍ଦୁ ସାମଲ କହିଛନ୍ତି, ଜଗନ୍ନାଥ କୋଇଲା ଖଣିରେ ହୋଇଥିବା ଅନିୟମିତତା ନେଇ ତଦନ୍ତ ଆରମ୍ଭ କରାଯିବା ସହିତ ମାଟିରେ ପୋତା ଯାଇଥିବା କୋଇଲାଗୁଡ଼ିକୁ ପରୀକ୍ଷା ପାଇଁ ଅଣାଯାଇଛି। ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। latest odia newsswadhikarswadhikar news Share