Odia News Portal

ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମଲାର ତଦନ୍ତ ସିବିଆଇ ଦ୍ବାରା କରିବାକୁ ମଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି

ବହୁ ଚର୍ଚ୍ଚିତ ପୋଲିସ ସବ୍ ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷା କେଳେଙ୍କାରୀର ତଦନ୍ତ ଭାର ସିବିଆଇକୁ ଅର୍ପଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ପୋଲିସ ସବ୍-ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷା ସମ୍ବନ୍ଧିତ ଦୁର୍ନୀତିର ଚେର ବିଭିନ୍ନ ରାଜ୍ୟକୁ ବ୍ୟାପିଛି । ଏଥିରେ ଆନ୍ତଃରାଜ୍ୟ ଅପରାଧୀ ସଂଗଠନଙ୍କ ସଂପୃକ୍ତି ଥିବାର ସନ୍ଦେହ କରାଯାଉଛି । ତେଣୁ ମାମଲାର ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ସୂଚନାଯୋଗ୍ୟ ଯେ ଓଡିଶା ପୋଲିସ ସବ୍ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତିର ଅଭିଯୋଗ ହୋଇଥିଲା। ଏହାର ତଦନ୍ତ ଭାର କ୍ରାଇମ ବ୍ରାଞ୍ଚ ସିଆଇଡିକୁ ଦିଆଯାଇଛି। ଏହି ଦୁର୍ନୀତିର ଚେର ଆନ୍ଧ୍ର ପ୍ରଦେଶ ଓ ପଶ୍ଚିମବଙ୍ଗ ସହିତ ଅନ୍ୟ ରାଜ୍ୟକୁ ମଧ୍ୟ ବ୍ୟାପି ଥାଇ ପାରେ ବୋଲି ତଦନ୍ତରୁ ଜଣା ପଡ଼ିଛି । ଏହା ସହିତ ଏହି ଦୁର୍ନୀତିରେ ଆନ୍ତଃରାଜ୍ୟ ଅପରାଧୀ ଗ୍ୟାଙ୍ଗର ସଂପୃକ୍ତି ଥିବା ନେଇ ମଧ୍ୟ ସନ୍ଦେହ କରାଯାଉଛି ।