ଆଜି ଗଜପତିଜିଲ୍ଲା ମୋହନା ଥାନା ପୁଲିସ ଏକ ଦେଶୀ ବନ୍ଧୁକ ତିଆରି କାରଖାନା ଠାବ କରିଛି। ଏ ସଂକ୍ରାନ୍ତରେ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୧୨ଟି ଦେଶୀ ବନ୍ଧୁକ ଜବତ କରାଯାଇଥିବା ନେଇ ଗଜପତି ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା ମୋହନା ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ମୋହନା ଥାନା ଇନ୍ସପେକ୍ଟର ବି.ନୀଳମାଧବ ରେଡ୍ଡି କର୍ଚ୍ଚବାଡ଼ି ପଂଚାୟତର ଚିହୁରିପଦର ଅଂଚଳରେ ପାଟ୍ରୋଲିଂ କରୁଥିବା ବେଳେ ଜଣେ ବନ୍ଧୁକଧାରୀଙ୍କୁ ଦେଖି ଅଟକାଇଥିଲେ। ସେ ବେଆଇନ ଭାବେ ବନ୍ଧୁକ ବ୍ୟବହାର କରୁଥିବା ଜାଣିପାରି ତାଙ୍କଠାରୁ ବନ୍ଧୁକ ଜବତ କରିଥିଲେ। ଥାନାକୁ ନେଇ ପଚରାଉଚରା କରିବା ପରେ ଜଣାପଡ଼ିଥିଲା ଯେ ସେ ହେଉଛନ୍ତି ଚିହୁରିପଦାର ଗାଁର ହରି ମଳିକ(୩୫)। ଶିକାର କରିବା ଉଦ୍ଦେଶ୍ୟରେ ଡମ୍ବଗୁଡ଼ା ପଞ୍ଚାୟତ ଗୋଲାପାଜୁ ଗ୍ରାମର ଘନଶ୍ୟାମ ପ୍ରଧାନଙ୍କଠାରୁ ବନ୍ଧୁକ କିଣିଥିଲେ। ତାଙ୍କଠାରୁ ସୂଚନା ପାଇବା ପରେ ମୋହନା ପୁଲିସ ଓ ଅଡ଼ବା ପୁଲିସ ସଦଳବଳେ ଗୋଲାପାଜୁ ଗ୍ରାମରେ ଚଢ଼ଉ କରିଥିଲେ। ଘନଶ୍ୟାମକୁ ଧରିବା ପରେ ସେ ଗ୍ରାମର ଅଳ୍ପ ଦୂରରେ ଥିବା ଏକ ପାହାଡ଼ରେ ଦେଶୀ ବନ୍ଧୁକ କାରଖାନା କରିଥିବା ସ୍ବୀକାର କରିଥିଲା। ପାହାଡ଼କୁ ଯାଇ ଅନୁସନ୍ଧାନ କରିବା ପରେ ସେଠାରେ କାରଖାନା ଠାବ ହୋଇଥିଲା। ଘଟଣାସ୍ଥଳରୁ ଆଉ ୧୦ଟି ଦେଶୀ ବନ୍ଧୁକ ସହ ବନ୍ଧୁକ ତିଆରି ସରଞ୍ଜାମ ଜବତ କରାଯାଇଛି। ବେଆଇନ ଭାବେ ବନ୍ଧୁକ ତିଆରି କରୁଥିବା ଅଭିଯୋଗରେ ଘନଶ୍ୟାମକୁ ଗିରଫ କରାଯାଇଥିବା ବେଳେ ଏଥିରେ ସମ୍ପୃକ୍ତ ଅନ୍ୟମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଗୋଟିଏ ବନ୍ଧୁକର ମୂଲ୍ୟ ୫୦୦୦ ଟଙ୍କା ପଡ଼ୁଥିବା ବେଳେ ଗଞ୍ଜାମ, ଗଜପତି ଓ କନ୍ଧମାଳ ଅଂଚଳର ଲୋକଙ୍କୁ ଏହା ଯୋଗାଇ ଦିଆଯାଉଥିଲା। ପ୍ରାୟ ୩ ବର୍ଷ ହେଲା ଏହା ପୁୁଲିସ ଅଗୋଚରରେ ଚାଲିଥିଲା। ଏ ନେଇ ମୋହନା ଥାନାରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।