Odia News Portal

ଆନ୍ଧ୍ର ଉପକୂଳକୁ ମାଡ଼ି ଆସୁଛି ବାତ୍ୟା, ଓଡ଼ିଶାରେ ପ୍ରବଳ ବର୍ଷା!

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି। ଏହା ବାତ୍ୟାର ରୂପ ନେଇ ଆନ୍ଧ୍ରପ୍ରଦେଶର ସ୍ଥଳଭାଗ ଅଭିମୁଖେ ଅଗ୍ରଗତି କରୁଛି। ଏହା ଘଣ୍ଟା ପ୍ରତି ୧୦କିମି ବେଗରେ ଗତିକରୁଛି। ପାଣିପାଗ ନେଇ ସ୍ବତନ୍ତ୍ର ରିଲିଫ୍‌ କମିସନର (ଏସ୍‌ଆରସି) ପକ୍ଷରୁ ରେଡ୍‌ ୱାର୍ଣ୍ଣିଂ, ଅରେଂଜ ୱାର୍ଣ୍ଣିଂ ଓ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ପାଣିପାଗ ବିଭାଗ ଅକ୍ଟୋବର ୨୮ ତାରିଖ ସକାଳ ସାଢ଼େ ୮ଟାରୁ ଅକ୍ଟୋବର ୨୯ ସକାଳ ୨୯ ତାରିଖ ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଏବଂ ଗଂଜାମ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି କରିଛି। ଏହି ସମୟରେ ଏହି ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ବର୍ଷାର ପରିମାଣ ୭ରୁ ୨୦ସେମି ପର୍ଯ୍ୟନ୍ତ ରହିପାରେ।

ପାଣିପାଗ ବିଭାଗର ସୂଚନା ଅନୁସାରେ ମାଲକାନଗିରି, କୋରାପୁଟ, ନବରଂଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଂଜାମ ଓ କନ୍ଧମାଳ ଜିଲ୍ଲାକୁ ‌ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏସବୁ ଜିଲ୍ଲାରେ ଅକ୍ଟୋବର ୨୭ ସକାଳ ସାଢ଼େ ୮ଟାରୁ ଅକ୍ଟୋବର ୨୮ ତାରିଖ ସକାଳ ୮ଟା ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷିବ। ସେହିପରି ବଲାଙ୍ଗୀର, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲା ପାଇଁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ଅକ୍ଟୋବର ୨୭ରୁ ବର୍ଷା ଆରମ୍ଭ ହେବ। ଏହା ଅକ୍ଟୋବର ୩୦ ଯାଏଁ ଜାରି ରହିବ। ପବନର ବେଗ ଘଣ୍ଟା ପିଛା ୬୦ରୁ ୭୦ ରହିବ। ଏଥି ସହିତ ଝଟକା ପବନର ବେଗ ଘଣ୍ଟା ପିଛା ୮୦ ପର୍ଯ୍ୟନ୍ତ ହୋଇପାରେ। ରାଜ୍ୟରେ ଥିବା ବନ୍ଦରଗୁଡ଼ିକୁ ୩ ନମ୍ବର ବିପଦ ସଂକେତ ଦିଆଯାଇଥିବା ବେଳେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି।

ଆନ୍ଧ୍ର ପ୍ରଦେଶ ଉପକୂଳ ମୁହାଁ ହେଉଥିବା ସମ୍ଭାବ୍ୟ ବାତ୍ୟାର ବିଶେଷ ପ୍ରଭାବ ପଡ଼ିବନି। ଅକ୍ଟୋବର ୨୭ରୁ ୨୯ ତାରିଖ ଯାଏ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ବିଶେଷକରି ୨୭ରୁ ୨୯ ମଧ୍ୟରେ ମାଲକାନଗିରି ଓ କୋରାପୁଟରେ ଅତି ଭାରି ବର୍ଷା ଓ ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାରେ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଶେଷଜ୍ଞ ବିଶ୍ୱଜିତ ସାହୁ ସୂଚନା ଦେଇଛନ୍ତି।