Odia News Portal

ପରିତ୍ୟକ୍ତ କ୍ରୋମାଇଟ୍‌ ଖଣିରେ ମାଫିଆଙ୍କ ଆତଙ୍କରାଜ

ଯାଜପୁରଜିଲ୍ଲା କାଳିଆପାଣି ଥାନା ଓଡ଼ିଶା ଖଣି ନିଗମ (ଓଏମ୍‌ସି)ର କ୍ରୋମାଇଟ୍‌ ବ୍ଲକ-୧ ଖଣିରେ ମଙ୍ଗଳବାର ବିଳମ୍ବିତ ରାତି ମାଫିଆଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି। ଖଣି ଜଗିଥିବା ୨ ଠିକା ନିରାପତ୍ତାରକ୍ଷୀଙ୍କୁ ସଂଘବଦ୍ଧ ମାଫିଆ ଗାଡ଼ିରେ ଉଠାଇ ନେଇଥିଲେ। ଖଣିରେ ଡ୍ୟୁଟି ଛାଡ଼ି ପଳାଇବାକୁ ଚେତାବନୀ ଦେଇଥିଲେ। ସମାନ୍ତରାଳ ଭାବେ ଖଣିଅଞ୍ଚଳ ମୁଖ୍ୟରାସ୍ତା ଟମକା-ମଙ୍ଗଳପୁର ସଡ଼କରେ ଥାଇ ଫାଙ୍କା ଗୁଳିଚାଳନା କରି ଆତଙ୍କ ଭିଆଇଥିଲେ। ପ୍ରସଙ୍ଗକୁ ନେଇ ଓଏମ୍‌ସି ପକ୍ଷରୁ ଅଭିଯୋଗ ପରେ ଆଜି ସକାଳୁ ପୁଲିସ ଓ ଓଏମ୍‌ସି ନିରାପତ୍ତାବାହିନୀ ପକ୍ଷରୁ ସ୍ଥାନୀୟ ଇଲାକାରେ ଯୁଗ୍ମ ତଦନ୍ତ ଓ ବ୍ୟାପକ ଛାନଭିନ୍‌ କରାଯାଇଥିଲା। ହେଲେ ମାଫିଆ ଚିହ୍ନଟ କିମ୍ବା ସେମାନଙ୍କ ଗତିବିଧି ସଂପର୍କରେ କିଛି ସୁରାକ୍‌ ମିଳିନଥିବା କୁହାଯାଉଛି।କଟକ ବନଖଣ୍ଡ ସୁକିନ୍ଦା ରେଞ୍ଜ୍ ରାଁସୋଳ ସେକ୍ସନ ଅଫିସ ଠାରୁ ମାତ୍ର ଶହେ ମିଟର ଦୂରରେ ଥିବା ଏହି ଖଣିରେ ମଙ୍ଗଳବାର ରାତି ୨ ଜଣ ନିରାପତ୍ତାରକ୍ଷୀ ଡ୍ୟୁଟିରେ ଥିଲେ। ରାତି ସାଢ଼େ ୧୨ରୁ ଗୋଟାଏ ମଧ୍ୟରେ ଖଣି ଭିତରକୁ ନାଲିବତି ଥାଇ ଏକ ବୋଲେରୋ ଓ ପଛେପଛେ ଅନ୍ୟ ଏକ ଗାଡ଼ି ଆସିଥଲା। ପୁଲିସ ପାଟ୍ରୋଲିଂ ଟିମ୍‌ ଭାବି ୨ ନିରାପତ୍ତାରକ୍ଷୀ ମାଫିଆଙ୍କୁ ସାଲ୍ୟୁଟ୍‌ କରିଥିଲେ। କିଛି ବୁଝିବା ଆଗରୁ ମାଫିଆମାନେ ଜଣେ ନିରାପତ୍ତାରକ୍ଷୀଙ୍କୁ ଗାଡ଼ି ଭିତରକୁ ଝିଙ୍କି ନେଇଥିଲେ। ଅନ୍ୟ ନିରାପତ୍ତାରକ୍ଷୀ ଜଣକ ଭୟରେ ପାଖ ଜଙ୍ଗଲକୁ ଦୌଡ଼ିଯାଇ ଆତ୍ମଗୋପନ କରିଥିଲେ। ବନପାଳ ରାମ ତିରିଆଙ୍କୁ ପଚାରିବାରେ ବିଳମ୍ବିତ ରାତିରେ ଖଣିରେ ହୋ’ହଲ୍ଲା ଶବ୍ଦ ଶୁଣାଇଯାଇଥିଲା ବୋଲି ଏକାଧିକ ବନ କର୍ମଚାରୀ ତାଙ୍କୁ ସୂଚନା ଦେଇଥିବା କହିଛନ୍ତି। ସୂଚନାଯୋଗ୍ୟ ଯେ, ଗତବର୍ଷ ଏପ୍ରିଲ ମାସରୁ ଏହି ଖଣିରୁ ମାଫିଆମାନେ ଚୋରାରେ କ୍ରୋମାଇଟ୍‌ ଉତ୍ତୋଳନ କରୁଥିବା ସୂଚନା ମିଳିଥିଲା। ମେ ମାସ ୨୮ ତାରିଖରେ ବନ ବିଭାଗ ପକ୍ଷରୁ ଉକ୍ତ ଖଣିରେ ଚଢ଼ଉ କରାଯାଇ ଏକ ନୂଆ ଜେସିବି(ଓଡି-୦୫ବିଜେଡ୍‌-୧୬୭୮) ମେସିନ୍ ଓ ପାଖାପାଖି ୨୫ ମେଟ୍ରିକ୍‌ ଟନ୍‌ କ୍ରୋମାଇଟ୍‌ ଭର୍ତ୍ତି ହାଇୱା(ଓଆର୍‌-୦୪ପି-୧୦୧୫) ଜବତ କରାଯାଇଥିଲା।