Odia News Portal

ପ୍ରତି ଘରେ ପହଞ୍ଚିବ ଝରଣା ପାଣି

କନ୍ଧମାଳଜିଲ୍ଲା ଘୁ.ଉଦୟଗିରି ବ୍ଲକ୍‌ ରଟିଙ୍ଗିଆ ପଞ୍ଚାୟତର ଆର.ପଡ଼ିକିଆ ଗ୍ରାମରେ ‘ବସୁଧା’ ଯୋଜନା ବିଫଳ ହେବା ପରେ ଝରଣାରୁ ପ୍ରତି ଘରକୁ ପିଇବା ପାଣି ଯୋଗାଇବାକୁ ଗ୍ରାମବାସୀ ଅଣ୍ଟା ଭିଡ଼ିଛନ୍ତି। ଏଥିପାଇଁ ନିଜେ ଶ୍ରମଦାନ କରି ପାଇପଲାଇନ୍‌ ବିଛାଇବାକୁ ଗାତ ଖୋଳୁଥିବା ବେଳେ ଏହି ଅଭିଯାନରେ ପ୍ରତି ପରିବାରରୁ ଜ‌ଣେ ଲେଖାଏଁ ସଦସ୍ୟ ସାମିଲ ହୋଇଛନ୍ତି। ଏକତା ଓ ସାମୂହିକ ଉଦ୍ୟମ ବଳରେ ଅସାଧ୍ୟକୁ ବି ସାଧ୍ୟ କରିହୁଏ, ତାହା ପ୍ରମାଣ କରି ଦେଖାଇଛନ୍ତି। ଆର.ପଡ଼ିକିଆ ଗ୍ରାମବାସୀ ବର୍ଷର ୧୨ ମାସ ପିଇବା ପାଣି ସମସ୍ୟା ଭୋଗୁଥିବାବେଳେ ଗାଁଠାରୁ ପ୍ରାୟ ୭୦୦ ଶହ ମିଟର ଦୂରରେ ଥିବା ଏକ ଚୁଆ ଉପରେ ନିର୍ଭର କରିଆସୁଛନ୍ତି। ତେବେ ଖରାଦିନେ ସମସ୍ୟା ଆହୁରି ଉତ୍କଟ ହେଉଛି। ୫ ବର୍ଷ ତଳେ ‘ବସୁଧା’ ଯୋଜନାରେ ଜଳ‌ଯୋଗାଣ ବ୍ୟବସ୍ଥା ପାଇଁ ସେମାନେ ସରକାର ଓ ପ୍ରଶାସନକୁ ନିବେଦନ କରିଥିଲେ। ପାଇପ୍‌ଲାଇନ୍ ସଂଯୋଗ ହେଲା ସତ, କିନ୍ତୁ ଗ୍ରାମବାସୀଙ୍କ ପାଖରେ ଟୋପାଏ ପାଣି ପହଞ୍ଚିପାରିଲାନି। ପୁଣିଥରେ ପଞ୍ଚାୟତ ଓ ଜିଲ୍ଲା ପ୍ରଶାସନ ପାଖରେ ଫେରାଦ ହୋଇଥିଲେ ହେଁ କୌଣସି ସୁଫଳ ମିଳିଲାନି। ଶେଷରେ ଗାଁଠୁ ପ୍ରାୟ ଦେଢ଼ କିଲୋମିଟର ଦୂର କାଲିମାହା ଜଙ୍ଗଲରେ ଥିବା ଏକ ଚିରସ୍ରୋତା ଝରଣାର ପାଣିକୁ ଉପଯୋଗ କରିବାକୁ ନିଷ୍ପତ୍ତି ନେଇଥିଲେ ଗ୍ରାମବାସୀ। ଝରଣା ପାଣିକୁ ପ୍ରତି ଘରେ ପହଞ୍ଚାଇବା ଲକ୍ଷ୍ୟରେ ‘ମାଧ୍ୟମ’ ଫାଉଣ୍ଡେସନ୍‌ ନାମକ ଏକ ସଂସ୍ଥାର ସାହାଯ୍ୟ ନେଇଥିଲେ। ଉକ୍ତ ସଂସ୍ଥା ପକ୍ଷରୁ ପାଣି ଯୋଗାଣ ସଂକ୍ରାନ୍ତୀୟ ବୈଷୟିକ ଜ୍ଞାନ ସାଙ୍ଗକୁ ଆବଶ୍ୟକ ପାଇପ୍‌ ଓ ଅନ୍ୟାନ୍ୟ ସରଞ୍ଜାମ ଯୋଗାଇ ଦିଆଗଲା। ବର୍ତ୍ତମାନ ଗାଁର ପ୍ରତି ପରିବାରରୁ ଜଣେ ଲେଖାଏଁ ସଦସ୍ୟ ଏକାଠି ହୋଇ ଗାତ ଖୋଳିବା ସହ ନିଜେ ପାଇପ୍‌ଲାଇନ୍ ସଂଯୋଗ କରୁଥିବା ଦେଖିବାକୁ ମିଳିଛି। ‘ପ୍ରଶାସନ ଓ ସରକାରଙ୍କୁ ଭରସା କରି କିଛି ଲାଭ ମିଳିଲାନି। ଶେଷରେ ପ୍ରକୃତିର ବରଦାନକୁ ହିଁ ସଦ୍‌ବିନିଯୋଗ କରି ସମସ୍ୟାର ସମାଧାନ ପାଇଁ ଆଗକୁ ଆସିଲୁ’ ବୋଲି ଗ୍ରାମବାସୀ କହିଛନ୍ତି।