୩୨୫ କୋଟି ଟଙ୍କାର ଜିଏସ୍ଟି ଠକେଇ: ବନ୍ଧାହେଲା ମାଷ୍ଟରମାଇଣ୍ଡ ଚାଟାର୍ଡ ଆକାଉଣ୍ଟାଣ୍ଟ By Swadhikar News Last updated Nov 8, 2025 ଓଡ଼ିଶାର ଛୋଟ ଛୋଟ ବ୍ୟବସାୟୀଙ୍କ ଜିଏସ୍ଟି ନମ୍ବରକୁ ବ୍ୟବହାର କରି ୩୨୫ କୋଟି ଟଙ୍କା ଜିଏସ୍ଟି ଠକେଇ କରିଥିବା ଏକ ବଡ଼ ରୢାକେଟ୍କୁ କେନ୍ଦ୍ରୀୟ ଜିଏସ୍ଟି ଗୁଇନ୍ଦା ବିଭାଗ ଠାବ କରିଛି। ରୢାକେଟ୍ର ମାଷ୍ଟରମାଇଣ୍ଡ ତଥା ଚାଟାର୍ଡ ଆକାଉଣ୍ଟାଣ୍ଟ ନୀଲେଶ୍ ଯୋଗେଶ୍ ଜିଗିୱାଲାଙ୍କୁ ଜିଏସ୍ଟି ଗୁଇନ୍ଦା ବିଭାଗ ମୁମ୍ବାଇରୁ ଗିରଫ କରିଛି। ଗିରଫ ପରେ ତାଙ୍କୁ ମୁମ୍ବାଇରୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଭୁବନେଶ୍ବର ଅଣାଯାଇଥିଲା। ଆଜି ଭୁବନେଶ୍ବରରେ ପହଞ୍ଚିବା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଜାମିନ୍ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।ତଦନ୍ତ ବେଳେ ଜଣାପଡ଼ିଛି ଯେ, ବର୍ଷବର୍ଷ ହେବ ନୀଲେଶ୍ ଓଡ଼ିଶାରେ ନିଜର ଜିଏସ୍ଟି ଠକେଇ ରୢାକେଟ୍ ଚଳାଇଥିଲା। ଏଥିପାଇଁ ସେ ଓଡ଼ିଶା ବିଭିନ୍ନ ଜିଲ୍ଲାରେ କିଛି ଏଜେଣ୍ଟ ରଖିଥିଲା। ସେମାନେ ଜିଏସ୍ଟି ନମ୍ବର ଥିବା ଛୋଟ ବ୍ୟବସାୟୀଙ୍କ ଉପରେ ନଜର ରଖିଥିଲେ। ବ୍ୟବସାୟୀ କ୍ଷତି ସହିବା ପରେ ସେମାନଙ୍କର ଜିଏସ୍ଟି ନମ୍ବରକୁ ସରେଣ୍ଡର କରୁଥିଲେ। ହେଲେ ସରେଣ୍ଡର କରିବା ପୂର୍ବରୁ ଏଜେଣ୍ଟମାନେ କ୍ଷତି ସହୁଥିବା ବ୍ୟବସାୟୀଙ୍କ ନିକଟରେ ପହଞ୍ଚି ଜିଏସ୍ଟି ନମ୍ବରକୁ ସରେଣ୍ଡର ନକରିବା ପାଇଁ କିଛି ଅର୍ଥ ଦେଇ ଚାଲୁ ରଖିବାକୁ କହୁଥିଲେ। ଯେଉଁମାନେ ରାଜି ହେଉ ନଥିଲେ ସେମାନଙ୍କୁ ଏକକାଳୀନ ଟଙ୍କା ଦେଇ ନମ୍ବର କିଣି ନେଉଥିଲେ। ଏହାପରେ ସେହି ସବୁ ଜିଏସ୍ଟି ନମ୍ବରକୁ ବ୍ୟବହାର କରି କାଗଜପତ୍ର ଜାଲିଆତି କରି ମୁମ୍ବାଇରେ ବଡ଼ ବଡ଼ ସଂସ୍ଥାକୁ ଇନ୍ପୁଟ ନେବାରେ ସହଯୋଗ କରୁଥିଲେ। ଏହି ବାବଦକୁ ମୋଟା ଅଙ୍କର ଅର୍ଥ ରୋଜଗାର କରୁଥିଲେ। ଏଜେଣ୍ଟଙ୍କୁ ବି କମିସନ ମିଳୁଥିଲା।ହେଲେ ନୀଲେଶ୍ର ଏହି ରୢାକେଟ୍ ଉପରେ ଜିଏସ୍ଟି ଗୁଇନ୍ଦା ବିଭାଗର ନଜର ପଡ଼ିଥିଲା। ଗତ ୨ମାସ ହେବ ଜିଏସ୍ଟି ଗୁଇନ୍ଦା ବିଭାଗ ନୀଲେଶ୍ର ପ୍ରତିଟି କାରବାର ଉପରେ ନଜର ରଖିଥିଲା। ତାର ଠିକଣା ଠାବ ପରେ ଜିଏସ୍ଟି ଗୁଇନ୍ଦା ଟିମ୍ ମୁମ୍ବାଇସ୍ଥିତ ନୀଲେଶ୍ର ଘର ଉପରେ ଚଢ଼ଉ କରି ତାକୁ ଗିରଫ କରିଥିଲା। ଜେରା ବେଳେ ଜଣାପଡ଼ିଥିଲା ଯେ ସେ ଏମିତି ୧୦୫ ସଂସ୍ଥା ନାଁରେ ଜାଲିଆତି କରି ୩୨୫ କୋଟି ଟଙ୍କାର ଜିଏସ୍ଟି ଇନ୍ପୁଟ୍ ହାତେଇଥିଲା। ଜିଏସ୍ଟି ଗୁଇନ୍ଦା ବିଭାଗ ନୀଲେଶର ଜଣେ ମହିଳା ସହଯୋଗୀଙ୍କୁ ମଧ୍ୟ ଗତ ମାସ ୧୭ ତାରିଖରେ ପୁଣେରୁ ଗିରଫ କରିଥିଲା। ତେବେ ଏହି ରୢାକେଟ୍ରେ ଆହୁରି ବଡ଼ବଡ଼ିଆ ସାମିଲ ଥିବା ବିଭାଗ ସନ୍ଦେହ କରିଛି। ତେଣୁ ନୀଲେଶ୍ ଓ ତାଙ୍କ ସହଯୋଗୀ ମହିଳାଙ୍କୁ ରିମାଣ୍ଡରେ ଆଣି ଜେରା କରିବାକୁ ଯୋଜନା କରାଯାଉଛି। ରିମାଣ୍ଡରେ ଆଣି ଜେରା କରାଯିବା ପରେ ରୢାକେଟ୍ର ପର୍ଦ୍ଦାଫାସ ହେବ ବୋଲି ଜିଏସ୍ଟି ଗୁଇନ୍ଦା ବିଭାଗର ଜଣେ ଅଧିକାରୀ କହିଛନ୍ତି। swadhikarswadhikar news Share