ଦନ୍ତାହାତୀ ଶିକାରର ଦିନକ ପରେ ହାତୀପଲକୁ ମିଳିଲା ଖୁସି ଖବର । ଅତିଥି ଭାବେ ଆସିଲା ନବଜାତ ଶାବକ । ଗଂଜାମ ଜିଲ୍ଲା ଭଂଜନଗର ଉତ୍ତର ଘୁମୁସର ବନଖଣ୍ଡରେ ରହିଥିବା ହାତୀପଲରେ ଏବେ ଗୋଟିଏ ଛୁଆହାତୀ ଜନ୍ମ ନେଇଛି । ଯାହାଫଳରେ ଘୁମୁସର ବନଖଣ୍ଡରେ ରହିଥିବା ହାତୀଙ୍କ ସଂଖ୍ୟା ୭୩ରେ ପହଞ୍ଚିଛି । ଏବେ ସେହି ଛୁଆ ହାତୀକୁ ୨୦ ଟି ହାତୀ ଦିନରାତି ଜଗିରହି ସୁରକ୍ଷା ଦେଉଥିବାର ଦୃଶ୍ୟ କ୍ୟାମେରାରେ କଏଦ୍ ହୋଇଛି ।ହାତୀ ଶାବକକୁ ଘେରି ରହିଛନ୍ତି ୨୦ ଟିକିଆ ହାତୀପଲ । ଯୁଆଡେ ଯିବେ ଆଗରେ ଦନ୍ତାହାତୀ ପ୍ରଥମେ ବାଟ-କଡାଇ ନେବ । ତାପରେ ପରେ ଛୁଆ ହାତୀକୁ ମଝିରେ ରଖି ଜଙ୍ଗଲରେ ବୁଲୁଛନ୍ତି ହାତୀପଲ । ସେମାନେ ବନ୍ୟଜନ୍ତୁ ହେଲେ ମଧ୍ୟ ଲାଗୁଛି ତାଙ୍କ ଛୁଆ ପ୍ରତି ବେଶ୍ ଯତ୍ନବାନ । ସପ୍ତାହକ ପୂର୍ବରୁ ହାତୀ ପଲର ଗୋଟିଏ ହାତୀ ଜଣେ ଚାଷୀର ଧାନ ଫସଲ ଖାଇଦେଲା ବୋଲି ଗୁଳିର ଶିକାର ହୋଇ ମୃତ୍ୟୁ ବରଣ କରିଥିଲା । ବୋଧହୁଏ ସେହି ଭୟ ହାତୀପଲଙ୍କୁ ଘାରିଥିବାରୁ ଏବେ ସେମାନେ ସତର୍କ ହୋଇପଡିଛନ୍ତି ।ସମୁଦାୟ ହାତୀଙ୍କ ମଧ୍ୟରୁ, ଏହି ବନଖଣ୍ଡର କେବଳ ମୁଜାଗଡ ବନାଞ୍ଚଳରେ ୫୨ ଟି ହାତୀ ରହିଛନ୍ତି । ସେଥିରୁ ସମସ୍ତ ହାତୀ ଏବେ ତିନି ଭାଗରେ ବିଭକ୍ତ ହୋଇ ଚଳପ୍ରଚଳ କରୁଛନ୍ତି । ତେବେ ହାତୀଛୁଆ ଜନ୍ମ ହେବାପରେ, ବନବିଭାଗ ପାଇଁ ଏକ ଆଶ୍ବସ୍ତି ଆସିଛି । ଯାହାକି ଉତ୍ତର ଘୁମୁସର ବନଖଣ୍ଡ ଏବେ ବଣୁଆ ହାତୀଙ୍କ ସ୍ଥାୟୀ ଆଶ୍ରୟସ୍ଥଳୀ ପାଲଟିଥିବା କୁହାଯାଉଛି ।
