ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଗଞ୍ଜାମ ଜିଲ୍ଲାର ବାରାହୀ ପଥର ଜଳ ପ୍ରପାତ। ମହେନ୍ଦ୍ରଗିରି ପାହାଡ଼ରୁ ଝରିଆସୁଥିବା ଜଳ ପଥର ଦେହରେ ଚିରି ହୋଇ କୁଳୁ କୁଳୁ ହୋଇ ବହି ଯାଉଛି । ଏହି ଜଳ ପ୍ରପାତ ଦେଖିବା ପାଇଁ ଜିଲ୍ଲା ଓ ଜିଲ୍ଲା ବାହାରୁ ଅନେକ ପର୍ଯ୍ୟଟକ ଆସନ୍ତି ଓ ମନ ଭରି ଉପଭୋଗ କରୁଛନ୍ତି ପ୍ରକୃତିର ଏହି ଦାନକୁ । କେବଳ ଏହି ଗୋଟିଏ ସ୍ଥାନ ନୁହେଁ ଗଞ୍ଜାମ ଜିଲ୍ଲାର ଅନେକ ଜଳ ପ୍ରପାତ ରହିଛି ଯାହାକି ପର୍ଯ୍ୟଟନ ପାଇଁ ଅନେକ ସମ୍ଭାବନା ସୃଷ୍ଟି କରୁଛି ।ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ବାରିହା ପଥର ଜଳ ପ୍ରପାତ । ବ୍ରହ୍ମପୁର ଠାରୁ ପାତ୍ରପୁର ବ୍ଲକ ବୁରାତାଲକୁ ଯିବା ପରେ ମହେନ୍ଦ୍ରଗିରି ଯିବା ରାସ୍ତାରେ ପଡେ ଏହି ଜଳ ପ୍ରପାତ । ରାସ୍ତାରେ ଗଲାବେଳେ ଘଞ୍ଚ ଜଙ୍ଗଲ ଓ ପାହାଡ଼ ଦୃଶ୍ୟ ଅତ୍ୟନ୍ତ ମନଲୋଭା ହୋଇଥାଏ ।ବାରାହୀ ପଥର ଜଳ ପ୍ରପାତକୁ ଲାଗି ରହିଛି ବାରାହୀ ପ୍ରତିମୂର୍ତ୍ତି । କୁହାଯାଏ ଅତୀତରେ ସ୍ଥାନୀୟ ଆଦିବାସୀମାନେ ଶିକାର କରିବାକୁ ପାହାଡ଼ ଜଙ୍ଗଲ ଯାଇଥିବା ବେଳେ ବାରିହା ଶିକାର କରିଥିଲେ । କିନ୍ତୁ ସେହି ବାରିହାଟି କୁଆଡେ ପଥର ହୋଇଯାଇଥିଲା । ଏହାପରେ ଏହି ସ୍ଥାନରେ ଶ୍ରୀକାକୁଲମରୁ ଏହି ମୂର୍ତ୍ତିଟି ଆଣି ବସାଯାଇଥିଲା । ଏବେ ମଧ୍ୟ ଏହି ଅଞ୍ଚଳର ଲୋକେ ବାରାହୀଙ୍କ ମୂର୍ତ୍ତିକୁ ପୂଜା କରୁଛନ୍ତି । କେବଳ ବାରାହୀ ପଥର ନୁହେଁ ପାତ୍ରପୁର ଅଞ୍ଚଳରେ ବହୁ ଜଳ ପ୍ରପାତ ରହିଛି ସେଗୁଡିକର ବିକାଶ କରିବା ପାଇଁ ପର୍ଯ୍ୟଟନ ବିଭାଗର ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଛନ୍ତି ବିଧାୟକ ।ଏହି ଜଳ ପ୍ରପାତରୁ ଝରି ଆସୁଥିବା ଝରଣାରେ ଗାଧୋଇ ମଜା ନିଅନ୍ତି ପର୍ଯ୍ୟଟକ । ଖାସ କରି ରବିବାର ଦିନ ପର୍ଯ୍ୟଟକଙ୍କ ଭିଡ଼ ହୋଇଥାଏ । ପ୍ରକୃତି କୋଳରେ କିଛି ସମୟ ପାଇଁ ହଜିଯିବାର ମଜା ଏଠାରେ ମିଳିଥାଏ ବୋଲି କହିଛନ୍ତି ଯୁବ ବର୍ଗ ।
