Odia News Portal

ସରକାରୀ ଖାତାକୁ ଫେରିବ ସମୁଦ୍ର ଭିତରେ ଥିବା ଘରୋଇ ଜମି

ସମୁଦ୍ର ଓ ବେଳାଭୂମି ବିକ୍ରି ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ତନାଘନା ଆରମ୍ଭ ହୋଇଛି। ରାଜନଗର ତହସିଲ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ସମୁଦ୍ର କିଣାବିକା ନେଇ ବିସ୍ତୃତ ରିପୋର୍ଟ ପ୍ରଦାନ କରାଯାଇଛି। ଏଥିସହ ସମୁଦ୍ର ଗର୍ଭକୁ ଚାଲିଯାଇଥିବା ବ୍ୟକ୍ତିଗତ ଜମିକୁ ସରକାରୀ ଖାତାକୁ ରାଇଟ୍‌ଅପ୍‌ ପ୍ରକ୍ରିୟା ମାଧ୍ୟମରେ ଫେରାଇ ଆଣିବା ପାଇଁ କାଗଜପତ୍ର ପ୍ରସ୍ତୁତି ଚାଲିଛି। ମିଳିଥିବା ସୂଚନା ମୁତାବକ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜନଗର ତହସିଲକୁ ସମୁଦ୍ର ବିକ୍ରି ନେଇ ବିସ୍ତୃତ ରିପୋର୍ଟ ମଗାଯାଇଥିଲା। ତହସିଲ୍‌ ଅଞ୍ଚଳରେ କିପରି ସମୁଦ୍ର ବିକ୍ରି ହେଉଥିଲା, କେଉଁ ସ୍ତରରେ ଅନିୟମିତତା ହୋଇଛି, ବର୍ତ୍ତମାନ ଜମିର ସ୍ଥିତି କଣ? ସେ ନେଇ ବିସ୍ତୃତ ରିପୋର୍ଟ ଜିଲ୍ଲା ପ୍ରଶାସନ ନିକଟରେ ପହଞ୍ଚିଛି। ସାତଭାୟା ଅଞ୍ଚଳରେ ଥିବା ସାନଗହୀରମଥା, ବଡ଼ଗହୀରମଥା, ଗୋବିନ୍ଦପୁର, କାନପୁର, ସାତଭାୟା, ତେନ୍ତୁଳିଆକୋହଲ୍ଲା, ସଦାନନ୍ଦପୁର, ବରାହୀପୁର, ରବୀନ୍ଦ୍ରପଲ୍ଲୀ, ଦାନ୍ତିଆପଦା ମୌଜାରେ ଜମିର ସ୍ଥିତି ସଂପର୍କରେ ରିପୋର୍ଟ ପ୍ରସ୍ତୁତ କରାଯାଉଛି। ସମସ୍ତ ରିପୋର୍ଟ ପ୍ରସ୍ତୁତ ହେବା ପରେ ପଦକ୍ଷେପ ନିଆଯିବ ବୋଲି ସୂଚନା ରହିଛି। ଉଲ୍ଲେଖଯୋଗ୍ୟ ଯେ ୧୯୮୭ରେ ରାଇଟଅପ୍‌ ପ୍ରକ୍ରିୟାରେ ସାତଭାୟା ପଞ୍ଚାୟତ ମୋହନପୁର ମୌଜାର ସମସ୍ତ ଜମିକୁ ସରକାରୀ ଖାତାକୁ ଫେରାଇ ଅଣାଯାଇଥିଲା। ୧୯୮୭ ସେଟଲ୍‌ମେଣ୍ଟ ପୂର୍ବରୁ ମୋହନପୁର ସାତଭାୟା ପଞ୍ଚାୟତର ଗୋଟିଏ ରାଜସ୍ୱ ଗାଁ ଥିଲା। ଲୋକେ ଘର କରି ବସବାସ କରୁଥିଲେ। ୧୯୭୧ ପ୍ରଳୟଙ୍କରୀ ବାତ୍ୟା ଓ ସୁନାମିରେ ମୋହନପୁର ସମେତ ୫ଟି ଗାଁ ସମୁଦ୍ର ମଧ୍ୟକୁ ଚାଲିଗଲା। ୧୯୮୭ରେ ସମୁଦ୍ର ଭିତରେ ଥିବା ମୋହନପୁରର ସମସ୍ତ ବ୍ୟକ୍ତିଗତ ଜମି ସରକାରୀ ଖାତାକୁ ଫେରାଇ ଅଣାଯାଇଥିବା ବେଳେ ଅନ୍ୟ ମୌଜାର ଜମିଗୁଡ଼ିକ ଏବେ ବି ବ୍ୟକ୍ତିଗତ ନାଁରେ ରହିଛି। ମୋହନପୁର ପରି ସମୁଦ୍ର ଭିତରେ ଥିବା, ଲୁଣା ଜଙ୍ଗଲ ହୋଇଯାଇଥିବା ଏବଂ ବାଲିଚର ମାଡ଼ିଥିବା ଜମିକୁ ସରକାରୀ ଖାତାକୁ ଫେରାଇ ଆଣିବା ପାଇଁ ରେକର୍ଡ ପ୍ରସ୍ତୁତ କରାଯାଉଛି। କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର୍‌ ଆୟାରଙ୍କ ସୂଚନା ମୁତାବକ ସମୁଦ୍ର ଗର୍ଭକୁ ପଳାଇଥିବା‌ ଜମିକୁ ସରକାରୀ ଖାତାକୁ ଫେରାଇ ଆଣିବା ପାଇଁ ପଦକ୍ଷେପ ନିଆଯାଉଛି।