ରାଜ୍ଯରେ ଶୀତ ବଢିବା ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜୀବଜନ୍ତୁଙ୍କ ପାଇଁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା । ଶୀତ ପ୍ରକୋପରୁ ବର୍ତ୍ତିବାକୁ ବିଭିନ୍ନ ଖୁଆଡରେ ଶୀତକାଳୀନ ବ୍ୟବସ୍ଥା କରାଯାଇଛି । ବିଶେଷ କରି ସରୀସୃପ ଉଦ୍ୟାନ, ପକ୍ଷୀ ଖୁଆଡ଼, ସିମ୍ପାଞ୍ଜି ଓ ମାଙ୍କଡ଼ ଖୁଆଡ଼ ଆଦି ସ୍ଥାନରେ ଶୀତ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା କରାଯାଇଛି । ସରୀସୃପ ଉଦ୍ୟାନରେ ଥିବା ସାପମାନଙ୍କ ଖୁଆଡ଼ରେ ନଡ଼ା ଓ ୧୦୦ ୱାଟ ବଲଭ ଲଗାଯାଇଛି ।ଫଳରେ ଖୁଆଡ଼ ମଧ୍ୟରେ ଉଷ୍ମତା ବଜାୟ ରହିବ । ସେହିପରି ଏଣ୍ଡୁଅ ପ୍ରଜାତିର ଖୁଆଡ଼ ମଧ୍ୟରେ ନଡ଼ା, ବଲଭ ଓ ହିଟର ଆଦି ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ସରୀସୃପ ଉଦ୍ୟାନ ମଧ୍ୟରେ ଡାଟା ଲଗର ଲଗାଯାଇଛି । ଯାହା ଫଳରେ ଖୁଆଡ଼ର ତାପମାତ୍ରା ଓ ଆଦ୍ରତା ମନିଟରିଂ କରାଯାଇପାରିବ । ସେହିପରି ସିମ୍ପାଞ୍ଜି ଓ ମାଙ୍କଡ ମାନଙ୍କୁ କମ୍ବଳ ଦିଆଯାଇଛି । ସେମାନଙ୍କ ଖୁଆଡ଼ରେ କମ୍ବଳ ବ୍ୟବସ୍ଥା କରାଯାଇଛି। ସିମ୍ପାଞ୍ଜି ଖୁଆଡ଼ରେ ହିଟର ଲଗାଯାଇଛି । ଶୀତଦିନେ ଜୀବଜନ୍ତୁଙ୍କ ରୋଗପ୍ରତିରୋଧ ଶକ୍ତି ବୃଦ୍ଧି ପାଇଁ ଖାଦ୍ୟ ସହ ଇମ୍ୟୁନୋ ବୁଷ୍ଟର ଓ ଅନ୍ୟ ଉପାଦାନ ମଧ୍ୟ ଦିଆଯାଉଛି । ସେହିପରି ଖୁଆଡ଼ରେ ଥିବା ଜଳ କୁଣ୍ଡର ଜଳକୁ ପ୍ରତିଦିନ ବଦଳାଯାଉଛି । ସ୍ୱଚ୍ଛ ଓ ପରିଷ୍କାର ଜଳ ଜୀବଜନ୍ତୁଙ୍କୁ ପ୍ରଦାନ କରାଯାଉଥିବା କହିଛନ୍ତି ନନ୍ଦନକାନ କର୍ତ୍ତୃପକ୍ଷ ।
