Odia News Portal

ତିନି ଦିନର ଅଚଳାବସ୍ଥା ପରେ ସମ୍ବଲପୁର ଜିଲ୍ଲାରେ ଆଜି ଧାନକିଣା ହେଲା ସ୍ବାଭାବିକ

ସମ୍ବଲପୁରରେ ସ୍ବାଭାବିକ ହେଲା ଧାନକିଣା। ତିନି ଦିନର ଅଚଳାବସ୍ଥା ପରେ ଆଜି ସମ୍ବଲପୁର ଜିଲ୍ଲାରେ ଆଜି ଧାନକଣା ପ୍ରକ୍ରିୟା ଠିକ୍ ଭାବେ ଚାଲିଛି। ସୂଚନାଯୋଗ୍ୟ, ସମ୍ବଲପୁର ଜିଲ୍ଲାଅନ୍ତର୍ଗତ ସମ୍ବଲପୁର ଏବଂ କୁଚିଣ୍ଡା ଉପଖଣ୍ଡରେ ଗତ ତିନି ଦିନ ତଳେ ମଣ୍ଡି ଖୋଲିଥିଲା କିନ୍ତୁ ଧାନ ସଂଗ୍ରହ ଆରମ୍ଭ ହୋଇନଥିଲା। ମିଲରମାନେ ଧାନ ସଂଗ୍ରହ ପ୍ରକ୍ରିୟାରେ ଭାଗ ନେବା ଲାଗି ସହମତି ପ୍ରକାଶ ନ କରିବାରୁ ଗୋଟିଏ ବି ବସ୍ତା ମଧ୍ୟ ଧାନ ଉଠି ପାରି ନଥିଲା ।ନିର୍ଦ୍ଧାରିତ ସମୟ ସକାଳ ୮ଟାରେ  ମଣ୍ଡି ଖୋଲିଲା। ଚାଷୀ, ଯୋଗାଣ ଏବଂ ସମବାୟ କର୍ମଚାରୀ ପହଞ୍ଚିଥିଲେ। କିନ୍ତୁ ମିଲର ଆସି ନ ଥିଲେ। ଧାନ ସଂଗ୍ରହ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ ଚାଷୀ, ଯୋଗାଣ ବିଭାଗ ଏବଂ ମିଲରମାନଙ୍କ ମଧ୍ୟରେ ବୈଠକ  ହୋଇଥିଲା।  ମିଲରମାନେ ବୈଠକରୁ  ଅଧାରୁ ଉଠି ଯାଇଥିଲେ। ଫଳରେ ଧାନ ସଂଗ୍ରହ ଅନିଶ୍ଚିତତା ଜାରି ରହିଥିଲା। ଏଣେ କେବେ ପୁଣି ମଣ୍ଡି ଖୋଲିବ ଓ ମିଲରମାନେ ଧାନ ସଂଗ୍ରହ କରିବେ ତାକୁ ନେଇ ଚିନ୍ତାରେ ଥିଲେ ଚାଷୀ। ଆସନ୍ତାକାଲି ଦିନ ୧୧ଟା ସୁଦ୍ଧା ଧାନସଂଗ୍ରହ ଅଚଳାବସ୍ଥା ଦୂର ନ ହେଲେ ଅର୍ଥନୈତିକ ଅବରୋଧ କରାଯିବ ବୋଲି ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଂଗଠନ ଚେତାବନୀ ଦେଇଥିଲେ। ବରଗଡ଼, ସମ୍ବଲପୁର, କଳାହାଣ୍ଡି ଆଦି କୌଣସି ଜିଲ୍ଲାରେ ଶୁକ୍ରବାର ରାତି ସୁଦ୍ଧା ମିଲର୍ସମାନେ ଧାନସଂଗ୍ରହ ପାଇଁ ଚୁକ୍ତିନାମାରେ ସ୍ବାକ୍ଷର କରିନଥିଲେ । ଦିନବେଳେ ସମ୍ବଲପୁର ଉପଜିଲ୍ଲାପାଳ, ଜିଲ୍ଲା ଯୋଗାଣ ଓ ସମବାୟ ଅଧିକାରୀଙ୍କ ଉପସ୍ଥିତିରେ ଚାଷୀ ଓ ମିଲର୍‌ ପ୍ରତିନିଧିଙ୍କୁ ନେଇ ତ୍ରିପାକ୍ଷିକ ବୈଠକରୁ କୌଣସି ସିଦ୍ଧାନ୍ତ ବାହାରି ପାରିନଥିଲା। ଜିଦ୍‌ରେ ଅଟଳ ମିଲର୍ସମାନେ ବୈଠକ ଅଧାରୁ ଉଠି ଚାଲି ଯାଇଥିଲେ। ସନ୍ଧ୍ୟାରେ ସମ୍ବଲପୁର ଜିଲ୍ଲାପାଳ ମିଲର୍ସମାନଙ୍କୁ ଡାକି ଆଲୋଚନା କରିଥିଲେ। କିନ୍ତୁ ଉକ୍ତ ବୈଠକ ବି ବିଫଳ ହୋଇଥିଲା। ଯଦି ଆସନ୍ତାକାଲି ମିଲର୍ସମାନେ ଧାନସଂଗ୍ରହ ପ୍ରକ୍ରିୟାରେ ସାମିଲ ନ ହେବେ ତା’ହେଲେ ପ୍ରଶାସନଠାରୁ ଆଉ କୌଣସି ‌ସହଯୋଗ ଆଶା ରଖିବେ ନାହିଁ ବୋଲି ଜିଲ୍ଲାପାଳ ସେମାନଙ୍କୁ ଚେତାବନୀ ଦେଇଥିବା ସମ୍ବଲପୁର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ସୁବୋଧ ହୋତା ସୂଚନା ଦେଇଥିଲେ। ରାଜ୍ୟ ମିଲର୍ସ ସଂଘର ସଭାପତି ମହେଶ ବଂଶଲ ନିଜ ପ୍ରତିକ୍ରିୟାରେ କହିଥିଲେ, ବାରମ୍ବାର ରାଜ୍ୟ ଯୋଗାଣ ବିଭାଗକୁ ମିଲର୍ସଙ୍କ ସମସ୍ୟା ସମ୍ପର୍କରେ ଜଣାଇଥିଲେ ବି କିଛି ପଦକ୍ଷେପ ନିଆଗଲା ନାହିଁ। ଗତ ୧୯ ତାରିଖରେ ୧୧ ଦଫା ଦାବି ରଖି ମିଲର୍ସ ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲା। ମୁଖ୍ୟମନ୍ତ୍ରୀ ବି ପଦକ୍ଷେପ ନେଲେ ନାହିଁ। ତେଣୁ ଆମେ ବାଧ୍ୟ ହୋଇ ଦାବି ପୂରଣ ନ ହେବା ଯାଏଁ ଚୁକ୍ତି ନକରିବାକୁ ନିଷ୍ପତ୍ତି ନେଇଛୁ।