ରାଜ୍ୟରେ ଜୁଆ ଖେଳିକି ଧରାପଡ଼ିଲେ ଆଉ ଜେଲ୍ ଯିବାକୁ ପଡ଼ିବନି। କେବଳ ଜରିମାନା ଦେଇଦେଲେ ସରକାର ଜୁଆ ଖେଳିବାଜନିତ ଅପରାଧକୁ ମାଫ୍ କରିଦେବେ। ଏଥିପାଇଁ ରାଜ୍ୟ ସରକାର ଓଡ଼ିଶା ଜନବିଶ୍ବାସ ବିଲ୍, ୨୦୨୫ ଆଣିଛନ୍ତି। ଏହି ବିଲ୍ରେ ୯ଟି ବିଭାଗର ୧୬ଟି ଆଇନର ସଂଶୋଧନ କରାଯାଇଥିବା ବେଳେ ଓଡ଼ିଶା ଜୁଆ ଖେଳ ପ୍ରତିରୋଧ ଅଧିନିୟମ,୧୯୫୫ରେ ବ୍ୟାପକ ସଂଶୋଧନ କରି ସମସ୍ତ ଜେଲ୍ ଦଣ୍ଡକୁ ଉଠାଇ ଜରିମାନାରେ ପରିଣତ କରାଯାଇଛି। ଏଥିରେ ମୁଖ୍ୟତଃ ୫ ହଜାରରୁ ୭୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେଲେ ଜୁଆ ଖେଳାଳି, ସଂସ୍ଥାଙ୍କ ଅପରାଧ ମାଫ୍ କରିବାର ବ୍ୟବସ୍ଥା କରାଯାଇଛି। ପୂର୍ବରୁ ଜୁଆ ଖେଳିଲେ ଯେଉଁ ୧ମାସରୁ ୬ ମାସ ପର୍ଯ୍ୟନ୍ତ କାରାଦଣ୍ଡ ଥିଲା ତାହାକୁ ସଂପୂର୍ଣ୍ଣ ଭାବେ ଉଠାଇ ଦିଆଯାଇଛି।ଆଜି ବିଧାନସଭାରେ ଓଡ଼ିଶା ଜନବିଶ୍ବାସ ବିଲ୍, ୨୦୨୫କୁ ପାରିତ କରିବା ପାଇଁ ଦୀର୍ଘ ୪ଘଣ୍ଟା କାଳ ଆଲୋଚନା ହୋଇଥିବାବେଳେ ବିରୋଧୀ ବିଜେଡି ଓ କଂଗ୍ରେସ କଡ଼ା ବିରୋଧ କରିଥିଲେ। ରାତାରାତି ଏହି ବିଲ୍କୁ ପ୍ରସ୍ତୁତ କରାଯାଇଛି ଏବଂ ତରବରିଆ ଭାବେ ପାରିତ ନକରି ବିଲ୍ଟିକୁ ଯାଞ୍ଚ କମିଟିକୁ ପଠାଇବାକୁ ଦାବି କରିଥିଲେ। କିନ୍ତୁ ଶିଳ୍ପମନ୍ତ୍ରୀ ସମ୍ପଦ ଚରଣ ସ୍ବାଇଁ କହିଥିଲେ, ଏହି ବିଲ୍ ପାସ୍ ହେଲେ ରାଜ୍ୟରେ ଇଜ୍ ଅଫ୍ ଡୁଇଙ୍ଗ୍ ବିଜ୍ନେସ୍ ଏବଂ ଇଜ୍ ଅଫ୍ ଲିଭିଂ ଆହୁରି ସହଜ ହେବ। ଓଡ଼ିଶାରେ ନିବେଶ ବଢ଼ିବ, ପୁଞ୍ଜିନିବେଶକାରୀଙ୍କର ସରକାରଙ୍କ ପ୍ରତି ବିଶ୍ବାସ ବଢ଼ିବ। ଏହି ବିଲ୍ ରାତାରାତି ନୁହେଁ, ଦୀର୍ଘ ୬ ମାସ ଧରି ବିଭିନ୍ନ ଆଲୋଚନା, ପର୍ଯ୍ୟାଲୋଚନା କରି ଅଣାଯାଇଛି। ତେଣୁ ଯାଞ୍ଚ କମିଟିକୁ ଯିବାର କୌଣସି ଆବଶ୍ୟକତା ନାହିଁ। ସାରା ଦେଶରେ ୯ଟି ରାଜ୍ୟ ଏହାକୁ ଲାଗୁ କରିସାରିଲେଣି। ଆମେ ଯେଉଁ ୧୬ଟି ଆଇନରେ ସଂଶୋଧନ କରିଛୁ, ତାହା ଲୋକଙ୍କ ହିତକୁ ଦେଖି ଆଣିଛୁ। ତେଣୁ ଏହାକୁ ତୁରନ୍ତ ପାସ୍ କରି ଲାଗୁ କରାଯାଉ। ଦୀର୍ଘ ୪ ଘଣ୍ଟାର ଆଲୋଚନା ପରେ ଗୃହରେ ଅଧ୍ୟକ୍ଷତା କରୁଥିବା ସନାତନ ବିଜୁଳି ବିଲ୍ଟିକୁ ପାରିତ କରିଥିଲେ। ଓଡ଼ିଶା ଜନବିଶ୍ବାସ ବିଲ୍ ଉପରେ ଆଲୋଚନା ଆରମ୍ଭ କରି ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଥିଲେ, ଦିଲ୍ଲୀରେ କିଛି ଲୋକ ଆଦାନୀ, ଅମ୍ବାନୀ ପାଖରେ ଦେଶକୁ ବିକ୍ରି କରିବାକୁ ଲକ୍ଷ୍ୟ ରଖିଛନ୍ତି। ଓଡ଼ିଶାର ଜଳ, ଜଙ୍ଗଲ, ଜମିକୁ ଶାଗମାଛ ଦରରେ ବିକିବାକୁ ଫନ୍ଦିଫିକର କରିଛନ୍ତି। ଏହି ବିଲ୍ଟି କେବଳ ବହୁରାଷ୍ଟ୍ରୀୟ କମ୍ପାନି, ବଡ଼ ପ୍ରତିଷ୍ଠାନ ପାଇଁ ଜନବିଶ୍ବାସ, ଓଡ଼ିଶାବାସୀଙ୍କ ପାଇଁ ଜନଅବିଶ୍ବାସ ବିଲ୍। ଏହି ବିଲ୍ରେ ବ୍ୟାପକ ତ୍ରୁଟି ରହିଛି। ଲୋକଙ୍କ ତ୍ରୁଟି ସଂଶୋଧନ ପାଇଁ କୌଣସି ସୁଯୋଗ ନଦେଇ ସିଧା ଜରିମାନା ଆଦାୟ କରାଯିବ। ପୂର୍ବରୁ ଯେଉଁ ଜରିମାନା ଥିଲା ତାକୁ ୧୦ ଗୁଣା ବଢ଼ାଇ ଦେଇଛ। ଏହା କେବଳ ତାନାସାହି ମାନସିକତା। ଜୁଆ ଖେଳ ଦ୍ବାରା କିପରି ଇଜ୍ ଅଫ୍ ଡୁଇଙ୍ଗ୍ ବିଜ୍ନେସ୍ ହେବ?
