କଥାରେ କହାଯାଏ-ବମ୍ବେଲଡୁ..ଯିଏ ଖାଇବ ପସ୍ତେଇବ, ଯିଏ ନଖାଇବ ସିଏ ବି ପସ୍ତେଇବ। ରଂଗିନ ବମ୍ବେଲଡୁ (କଟନ୍ କ୍ୟାଣ୍ଡି) ଖୁବ୍ ଆକର୍ଷଣୀୟ ଦିଶେ। ହେଲେ ଖାଇବାକୁ ଧରିଲା ବେଳକୁ ପାପୁଲି ଭିତରେ ମୁଠାଏ ହୋଇଯାଏ। ସେ ଯାହା ହେଉନା କାହିଁକି ବମ୍ବେଲଡୁ ଦେଖିଲେ ପିଲାଙ୍କ ପାଟିରୁ ଲାଳ ଗଡ଼େ। ଆଉ ଏହାର ବିକାଳି ଯଦି ଘର ପାଖରେ ଆସି ପହଞ୍ଚିଯାଏ, ପିଲାଙ୍କ ଖୁସି କହିଲେ ନ ସରେ। କିନ୍ତୁ ଅଧିକ ମିଠା ଯୋଗୁଁ ଗୁରୁଜନ ତାହା ଖାଇବାକୁ ବାରଣ କରନ୍ତି । ବମ୍ବେ ଲଡୁକୁ କିଏ ବମ୍ବେଇ ଲଡୁ କହନ୍ତି ତ କିଏ ହାଓ୍ବା ମିଠାଇ, ତ କିଏ ବଢ଼ୀ କା ବାଲ୍ ତ ପୁଣି କିଏ କ୍ୟାଣ୍ଡି ଫ୍ଲସ୍କ କୁହନ୍ତି । ବର୍ତ୍ତମାନ ଏହା ‘କଟନ୍ କ୍ୟାଣ୍ଡି’ ନାଁରେ ବେଶ୍ ପରିଚିତ। କେବଳ ସେତିକି ନୁହେଁ, ୭ ଡିସେମ୍ବରକୁ ‘ଜାତୀୟ କଟନ୍ କ୍ୟାଣ୍ଡି’ ଦିବସ ରୂପେ ପାଳନ କରାଯାଏ । ଗୋଟେ ସମୟରେ କଟନ୍ କ୍ୟାଣ୍ଡିର ଡିମାଣ୍ଡ ବହୁତ ଥିଲା। ଯଦିଓ ଏବେ ଏହାର ଚାହିଦା କମିଛି, ତଥାପି ଛୋଟ ପିଲାଙ୍କ ଖୁସି ପାଇଁ ବମ୍ବେଲଡୁ ବିକାଳି ତାଙ୍କ ଜୀବିକାକୁ ବଞ୍ଚାଇ ରଖିଛନ୍ତି ।
