Odia News Portal

ଏମଭି-୨୬ରେ ସୁଧୁରୁଛି ସ୍ଥିତି, ହଜାର ହଜାର ଆଦିବାସୀଙ୍କ ଉପସ୍ଥିତରେ ଶବ ସତ୍କାର

ମାଲକାନଗିରି ଜିଲ୍ଲାର କୋରକୋଣ୍ଡା ବ୍ଲକର ଏମଭି-୨୬ ଗ୍ରାମରେ ଧୀରେଧୀରେ ପରିସ୍ଥିତି ସୁଧୁରିବାକୁ ଲାଗିଛି। ଗାଁରେ ପୁଲିସ, ଡିଭିଏଫ ଏବଂ ବିଏସଏଫ ଯବାନଙ୍କ ଛାଉଣୀ କରାଯାଇଛି। ଗତ ରବିବାର ଦିନ ହଜାର ହଜାର ଆଦିବାସୀ ଗାଁରେ ପଶି ଶତାଧିକ ଘରକୁ ନିଆଁ ଲଗାଇ ପୋଡ଼ି ଦେଇଥିଲେ। ନିଆଁ ଦାଉରୁ ଗୋଟିଏ ବି ଘର ବର୍ତ୍ତି ନଥିଲା।ଆଜି ସକାଳୁ ଗାଁରୁ ଚାଲି ଯାଇଥିବା ଲୋକେ ଫେରି ବଳକା ଥିବା ଜିନିଷ ରୁଣ୍ଡ କରୁଥିବା ଦେଖିବାକୁ ମିଳିଥିଲା। କିନ୍ତୁ ଗୋଟିଏ ବି ଜିନିଷ ନିଆଁ ଦାଉରୁ ରକ୍ଷା ପାଇନଥିଲା। ଗାଁରେ ସିସିଟିଭି ପ୍ରଶାସନ ଲଗାଇଲା। ଗାଁର ୧୮୮ଟି ଗୃହରୁ ୧୬୩ ଗୃହ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଅନ୍ୟ ଦିଗରେ ମେଡିକାଲରୁ ଶବକୁ ଆଦିବାସୀ ସଂଘ ନେଇ ଗାଁରେ ଶବ ସତ୍କାର କରିଥିଲେ। ହଜାର ହଜାର ଲୋକେ ମୃତ ଲାକେ ପୋଡ଼ିଆମୀଙ୍କୁ ଶେଷ ଦର୍ଶନ ପାଇଁ ଉପସ୍ଥିତ ଥିଲେ। ଲାକେ ପୋଡ଼ିଆମୀଙ୍କ ଜମିରେ ହିଁ ଶବକୁ ପୋତା ଯାଇଥିଲା। ମୁଣ୍ଡ ବିହୀନ ଥିବାରୁ ମାଟିରେ ମୁଣ୍ଡ ତିଆରି କରାଯାଇ ରଖାଯାଇଥିଲା।ଜିଲ୍ଲାପାଳ ଲୋକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛନ୍ତି। ଏଥିସହ ଆଦିବାସୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ୭ ଦଫା ସମ୍ବଳିତ ଦାବି ପତ୍ର ପ୍ରଦାନ କରାଯାଇଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୁଲିସ ଡିଜି ୱାଇ ବି ଖୁରାନୀୟା, ଏଡିଜି ସଂଜୀବ ପଣ୍ଡା, ଗୁଇନ୍ଦା ଡ଼ିଆଇଜି ଆଖିଲେଶ ସିଂ, ଦକ୍ଷିଣ ପଶ୍ଚିମାଞ୍ଚଳ ଡ଼ିଆଇଜି କେ ବି ସିଂ, ଏସପି ବିନୋଦ ପାଟିଲ, ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଉପସ୍ଥିତ ଥିଲେ। ଏଥିସହ ଜିଲ୍ଲାପାଳଙ୍କୁ ୭ ଦଫା ଦାବିପତ୍ର ପ୍ରଦାନ କରାଯାଇଥିଲା। ଆଜିର ଶବ ସତ୍କାର ସମୟରେ ବିଧାୟକ ନରସିଂହ ମାଡକାମୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ସମାରି ଟାଙ୍ଗୁଲ, ମାନସ ମାଡକାମୀ, ବନ୍ଧୁ ମୁଦୁଲି, ବଂଶୀଧର ମୁଦୁଲି, ପ୍ରଦୀପ ମାଝୀ, ମାଲା ମାଢି, ଗଙ୍ଗାଧର ବୁରୁଦା, ହରି ଗଲୋରୀ ପ୍ରମୁଖ ଉପସ୍ଥିତ ଥିଲେ।