ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା ବ୍ଲକ୍ ଅଧୀନସ୍ଥ ଜରାଇକେଲା ସୀମାନ୍ତରୁ ମାତ୍ର ୩୦ କିମି ଦୂରରେ ଝାଡ଼ଖଣ୍ଡ ରାଜ୍ୟ ପଶ୍ଚିମ ସିଂହଭୂମ ଜିଲ୍ଲାର ସରଣ୍ଡା ଜଙ୍ଗଲରେ ନକ୍ସଲମାନେ ପୁଣିଥରେ ସୁରକ୍ଷାବଳକୁ ଟାର୍ଗେଟ୍ କରିଛନ୍ତି। ସରଣ୍ଡାର ଛୋଟାନାଗରା ଥାନା ଅଞ୍ଚଳର ବାଲିବା ଗାଁ ନିକଟରେ ସୁରକ୍ଷାବାହିନୀର ସର୍ଚ୍ଚ ଅପରେସନ ସମୟରେ ନକ୍ସଲମାନେ ପୂର୍ବରୁ ପୋତିଥିବା ୨ଟି ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଛି। ଏଥିରେ ଦୁଇ କୋବ୍ରା ଯବାନ ଆହତ ହୋଇଛନ୍ତି।ପ୍ରଥମ ବିସ୍ଫୋରଣରେ ୨୦୯ କୋବ୍ରା ବାଟାଲିଅନର ଯବାନ ଅଲେଖ ଦାସ ଆହତ ହୋଇଥିଲେ। ଏହାର ପ୍ରାୟ ୩୦ ମିନିଟ୍ ପରେ ହୋଇଥିବା ଦ୍ବିତୀୟ ବିସ୍ଫୋରଣରେ ମଧ୍ୟ ୨୦୯ ବାଟାଲିୟନର ଯବାନ ନାରାୟଣ ଦାସ ଆହତ ହୋଇଥିଲେ। ଉଭୟଙ୍କୁ ପ୍ରାଥମିକ ଚିକିତ୍ସା ପରେ ରାଞ୍ଚି ଏୟାରଲିଫ୍ଟ କରାଯାଇଥିବା ଏସ୍ପି ଅମିତ ରେଣୁ ସୂଚନା ଦେଇଛନ୍ତି।ଏହି ଘଟଣା ପରେ ସୁରକ୍ଷା ଏଜେନ୍ସିମାନେ ସମ୍ପୂର୍ଣ୍ଣ ଅଞ୍ଚଳରେ ସତର୍କତା ବଢ଼ାଇବା ସହ ସର୍ଚ୍ଚ ଅପରେସନକୁ ଆହୁରି ତୀବ୍ର କରାଯାଇଛି। ଅନ୍ୟପକ୍ଷରେ ପୁଲିସ ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କୁ ସରଣ୍ଡାର ଗଭୀର ଜଙ୍ଗଲକୁ ନ ଯିବା ଓ କୌଣସି ସନ୍ଦେହଜନକ କାର୍ଯ୍ୟକଳାପ ଦେଖିଲେ ସୂଚନାଦେବା ପାଇଁ ଅନୁରୋଧ କରାଯାଇଛି। ସରଣ୍ଡା ଜଙ୍ଗଲରେ ଗତ ନଭେମ୍ବର ମାସରେ ନକ୍ସଲମାନେ ପୁଣି ଏକ ବିସ୍ଫୋରଣ ଘଟାଇଛନ୍ତି। ଛୋଟାନାଗରା ଥାନା ଅଧୀନସ୍ଥ ବାଲିବା ଗାଁ ନିକଟରେ ନକ୍ସଲଙ୍କ ଦ୍ୱାରା ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ କୋବ୍ରା ୨୦୯ ବାଟାଲିଅନ୍ର ଜଣେ ଯବାନ ଆହତ ହୋଇଛନ୍ତି। ଏଥିରେ ବାଟାଲିଅନର ସାହସୀ ସନ୍ଧାନୀ କୁକୁର ‘କେନାଇନ୍ ଷ୍ଟନର’ ସହିଦ ହୋଇଯାଇଛି। ସୂଚନା ଅନୁଯାୟୀ, କୋବ୍ରା ୨୦୯ ବାଟାଲିଅନ୍ର ଏକ ଦଳ ସରଣ୍ଡା ଜଙ୍ଗଲରେ ନକ୍ସଲବିରୋଧୀ ଅଭିଯାନ ଚଳାଇଥିଲେ। ଏହି ସମୟରେ ବାଲିବା ନିକଟରେ ହଠାତ୍ ଲ୍ୟାାଣ୍ଡମାଇନ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ସନ୍ଧାନୀ କୁକୁର ଷ୍ଟନର ଘଟଣାସ୍ଥଳରେ ପ୍ରାଣ ହରାଇଥିଲା। ଘଟଣା ପରେ ସୁରକ୍ଷାବଳ ଅଞ୍ଚଳକୁ ଘେରି ସର୍ଚ୍ଚ ଅପରେସନ୍କୁ ତୀବ୍ର କରିଛନ୍ତି। ଚାଇଁବସା ଏସ୍ପି ଅମିତ ରେଣୁ ନକ୍ସଲଙ୍କୁ ସମ୍ପୂର୍ଣ୍ଣ ଦମନ କରିବା ପର୍ଯ୍ୟନ୍ତ ଏହି ଅଭିଯାନ ଜାରି ରହିବ ବୋଲି କହିଛନ୍ତି। ଷ୍ଟନର ନିଜ ଜୀବନ ଦେଇ ଅନେକ ଯବାନଙ୍କ ଜୀବନ ରକ୍ଷାକରିଛି ବୋଲି କୁହାଯାଇଛି। ସେ ଜଙ୍ଗଲରେ ନକ୍ସଲଙ୍କ ଦ୍ୱାରା ଲଗା ଯାଇଥିବା ବୋମା ଖୋଜିବାରେ ସୁଦକ୍ଷ ଥିଲା। ଶତାଧିକ ବୋମା ଖୋଜି ଅନେକ ଯବାନଙ୍କ ଜୀବନ ବଞ୍ଚାଇଥିବା ଷ୍ଟନର ନିଜର ଜୀବନ ବଞ୍ଚାଇ ପାରିଲାନାହିଁ।
