ଆଜି (ବୁଧବାର)ଠାରୁ ୧୧ ଦିନ ଧରି ଚାଲିବ ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା। ବରଗଡ଼ ପାଲଟିବ ମଥୁରାନଗରୀ। ଚାଲିବ କଂସ ରାଜୁତି। ଏଥିପାଇଁ ପ୍ରସ୍ତୁତ ହୋଇଗଲାଣି ରାଜଦରବାର। ମହାରାଜ କଂସଙ୍କ ପାଇଁ ରାଜମୁକୁଟ ଓ ହସ୍ତୀ, ମହାମନ୍ତ୍ରୀଙ୍କ ସହ ଅନ୍ୟ ପାରିଷଦଙ୍କ ପାଇଁ ଓଟ, ଘୋଡ଼ା ଆଦି ସବୁ ସେବାରେ ଲାଗିବାକୁ ପ୍ରସ୍ତୁତ ହୋଇଯାଇଛି। ଆସନ୍ତାକାଲିଠାରୁ ଜାନୁଆରି ୩ ତାରିଖ ପର୍ଯ୍ୟନ୍ତ ବରଗଡ଼ ପାଲଟିଯିବ ମଥୁରାନଗରୀ ଏବଂ ଅମ୍ବାପାଲି ହୋଇଯିବ ଗୋପପୁର। ସମସ୍ତେ ଫେରିଯିବେ ସେହି ଦ୍ୱାପର ଯୁଗକୁ।ସୂଚନା ଅନୁସାରେ, ୮ କିମି ପରିଧି ମଧ୍ୟରେ ୩ଟି ଦରବାର (ରାଜଦରବାର, ରଙ୍ଗମହଲ, ନନ୍ଦରାଜାଙ୍କ ଦରବାର) ଓ ୧୮ଟି ମୁକ୍ତାକାଶ ରଙ୍ଗମଞ୍ଚରେ ଧନୁଯାତ୍ରା ଅଭିନୀତ ହେବ। ଏଥିପାଇଁ ଚାଲିଥିବା ମଞ୍ଚ, ତୋରଣ ସହ କଳାକାରମାନଙ୍କ ପ୍ରସ୍ତୁତି କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଯାତ୍ରାକୁ ଏଥର ଖୁବ୍ ଆକର୍ଷଣୀୟ କରାଯାଇଛି। ଆଜି ଜିଲ୍ଲାପାଳ ଆଦିତ୍ୟ ଗୋୟଲ, ଏସ୍ପି ପ୍ରହଲ୍ଲାଦ ସହାୟ ମୀନା, ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି। ଅନ୍ୟପକ୍ଷରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ୧୫୦ ଜଣ ଅଫିସରଙ୍କ ସହ ୨୮ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ ରହିବେ। ଏହାସହ ସାରା ସହର ସିସିଟିଭି କ୍ୟାମେରା ବଳୟରେ ରହିବ ବୋଲି ଏସ୍ପି ଶ୍ରୀ ମୀନା ସୂଚନା ଦେଇଛନ୍ତି। ଆସନ୍ତାକାଲି ମଧ୍ୟାହ୍ନ ୨ଟାରୁ ଗାନ୍ଧୀଛକରୁ ସମଲେଶ୍ୱରୀ ମନ୍ଦିର ଯାଏଁ ସାଂସ୍କୃତିକ ଶୋଭାଯାତ୍ରା ଆରମ୍ଭ ହେବ। ସନ୍ଧ୍ୟା ସାଢ଼େ ୫ଟାରେ ସମଲେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା କରାଯିବ। ପରେ ମନ୍ଦିରରୁ ରାଜଦରବାର ଅଭିମୁଖେ ଶୋଭାଯାତ୍ରା ଯିବ ବୋଲି ଡିଆଇପିଆର୍ଓ ପ୍ରହଲ୍ଲାଦ ଖୋସଲା ସୂଚନା ଦେଇଛନ୍ତି। ଉଦ୍ଘାଟନୀ ଦିବସରେ ଅତିଥି ଭାବେ ସାଂସଦ ପ୍ରଦୀପ ପୁରୋହିତ, ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଯୋଗ ଦେଇ ହାଟପଦାସ୍ଥିତ ରାଜ ଦରବାର ମଞ୍ଚରେ ଧନୁଯାତ୍ରାର ଶୁଭ ଉଦ୍ଘାଟନ କରିବେ ବୋଲି ଜଣାପଡ଼ିଛି।
