ଆଜି ଚାନ୍ଦବାଲି ବନ୍ଦ। ବାଲିଗାଁରେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ମାମଲାର ପ୍ରତିବାଦରେ ୬ ଘଣ୍ଟିଆ ବନ୍ଦ ଡାକରା । ବିଜେଡି ଓ କଂଗ୍ରେସ ଦଳ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ସକାଳ ଛଅ ଘଟିକାରୁ ଦିବା ୧୨ ଘଟିକା ପର୍ଯ୍ୟନ୍ତ ବନ୍ଦ ରହିବ ଦୋକାନ ବଜାର । ତେବେ ଜରୁରୀକାଳୀନ ସେବାକୁ ବନ୍ଦରୁ ବାଦ ଦିଆଯାଇଛି । ମଙ୍ଗଳବାର ସଂଧ୍ୟାରେ ଚାନ୍ଦବାଲି ଥାନା ବାଲିଗାଁ ପଞ୍ଚାୟତ ଅଫିସ ପଛ ପାଖରୁ ୧୦ବର୍ଷିୟା ନାବାଳିକାର ରକ୍ତ ଜୁଡୁବୁଡୁ ମୃତଦେହ ମିଳିଥିଲା।
ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ଅଭିଯୋଗ କରିଥିଲେ ପରିବାର ଲୋକ । ଘଟଣା ପରେ ଗାଁରେ ଉତ୍ତେଜନା ଜାରି ଥିବା ବେଳେ, ମଙ୍ଗଳବାରଠୁ ହିଁ ଜାରି ରହିଛି ପ୍ରତିବାଦ । ଚୋରା ମଦ କାରବାର ଦ୍ବାରା ଏଭଳି ନାରକୀୟ କାଣ୍ଡ ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ମୁଖ୍ୟ ଅଭିଯୁକ୍ତ ବାଲିଗାଁ ରାମପାଲିର ସତ୍ୟବ୍ରତ ଦାସ ଧରାପଡ଼ିବା ପରେ ଉତ୍ତ୍ୟକ୍ତ ଲୋକେ ତା ଘରେ ପହଞ୍ଚି ବ୍ୟାପକ ଭଙ୍ଗାରୁଜା କରିଥିଲେ । ପରେ ଜିଲ୍ଲା ପ୍ରଶାସନ ବୁଲଡୋଜର ଚଢ଼ାଇ ମୁଖ୍ୟ ଅଭିଯୁକ୍ତ ଜବରଦଖଲ ଘରକୁ ମାଟିରେ ମିଶାଇଥିଲା । ତଥାପି ଲୋକେ ଶାନ୍ତ ପଡ଼ିନଥିଲେ। ପଞ୍ଚାୟତ ଅଫିସ ପଛକଡ଼େ ବର୍ବର କାଣ୍ଡ ଘଟିଥିବାରୁ ପଞ୍ଚାୟତ ଗେଟ ଭାଙ୍ଗି ଧସେଇ ପଶିଥିଲେ । ସ୍ଥିତି ଅଣାୟତ ଥିବାରୁ ପୂର୍ବାଞ୍ଚଳ ଡିଆଇଜି ବାଲିଗାଁ ଯାଇ ତଦନ୍ତ ପ୍ରକ୍ରିୟାର ସମୀକ୍ଷା କରିଛନ୍ତି ।
