ସରିଥିଲା ନିର୍ବନ୍ଧ। ଫେବ୍ରୁଆରୀ ୨୬ ରେ ହୋଇଥାନ୍ତା ବିବାହ । କିନ୍ତୁ ତା ପୂର୍ବରୁ ଦୁଇ ଗୋଷ୍ଠୀ ସଂଘର୍ଷରେ ଚାଲିଗଲା ଯୁବକଙ୍କ ଜୀବନ । ମୃତକ ହେଉଛନ୍ତି ଗୋପ ଥାନା ମୁରୁଡା ଗାଁର ପିଣ୍ଟୁ ରାଉତ । ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପିଣ୍ଟୁଙ୍କର ମୃତ୍ୟୁ ହୋଇଛି । ନୂଆ ବର୍ଷରେ କାକଟପୁର ଥାନା ନିକଟସ୍ଥ ରାମେଶ୍ୱର ଜଙ୍ଗଲରେ ଭୋଜି କରୁଥିବା ବେଳେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବଚସା ଏବଂ ଗଣ୍ଡଗୋଳ ହୋଇଥିଲା ।
ଗୋଟିଏ ଗୋଷ୍ଠୀ ଗୋପ ଥାନା ମୁରୁଡା ଗାଁର ହୋଇଥିବା ବେଳେ ଅନ୍ୟ ଏକ ନୟାହାଟ ଫାଣ୍ଡି ନୟାହାଟ ଅଞ୍ଚଳର ଥିଲେ । ତେବେ ବଚସାରୁ ଉତକ୍ଷିପ୍ତ ହୋଇ ନୟାହାଟ ଅଞ୍ଚଳର କିଛି ଯୁବକ ମଦ କାଚ ଭାଙ୍ଗି ପିଣ୍ଟୁଙ୍କ ବେକ ଏବଂ ପେଟରେ ଭୁଶି ଦେଇଥିଲେ । ପିଣ୍ଟୁଙ୍କୁ ପ୍ରଥମେ ଚାରିଛକ ମେଡିକାଲ ପରେ ଭୁବନେଶ୍ଵର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା । ଆଜି ଡାକ୍ତରଖାନାରେ ପିଣ୍ଟୁଙ୍କ ମୃତ୍ୟୁ ହୋଇଛି । ଅନ୍ୟ ପକ୍ଷରେ କାକଟପୁର ଥାନା ପୋଲିସ ଦୁଇ ଜଣ ଅଟକ ରଖି ମାମଲା ରୁଜୁ କରିଛନ୍ତି ।
