Odia News Portal

ସରଣ୍ଡା ଜଙ୍ଗଲରେ ପୁଲିସ–ନକ୍ସଲ ଗୁଳି ବିନିମୟ, ଜଣେ ଇନାମୀ ନକ୍ସଲ ସହ ଅନେକ ନିହତ ହୋଇଥିବା ସୂଚନା

ଓଡ଼ିଶା ରାଜ୍ୟର ସୁନ୍ଦରଗଡ ଜିଲ୍ଲା ସୀମାନ୍ତରେ ଥିବା ଝାଡ଼ଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୂମ ଜିଲ୍ଲାରୁ ଏହି ମୁହୂର୍ତ୍ତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ନକ୍ସଲ ପ୍ରଭାବିତ ସରଣ୍ଡା ଜଙ୍ଗଲରେ ସୁରକ୍ଷା ବାହିନୀ ଓ ନକ୍ସଲମାନଙ୍କ ମଧ୍ୟରେ ଭୟଙ୍କର ଗୁଳି ବିନିମୟ ହେଇ ଥିବା ସୂଚନା ମିଳିଛି। ଏହି ଗୁଳି ବିନିମୟରେ ଜଣେ ଇନାମୀ ନକ୍ସଲୀ ସହିତ ଅନେକ ନକ୍ସଲ ନିହତ ହୋଇଥିବା ସୂଚନା ମିଳୁଛି।ଝାଡ଼ଖଣ୍ଡ କୋଲହାନ ଡିଆଇଜି ଅନୁରଞ୍ଜନ କିସ୍ପୋଟ୍ଟା ଏହି ଘଟଣାକୁ ସ୍ୱୀକାର କରିଛନ୍ତି, ତେବେ ନକ୍ସଲମାନଙ୍କ ମୃତ୍ୟୁ ସଂପର୍କିତ ସରକାରୀ ପୁଷ୍ଟି ପାଇଁ ସୂଚନା ସଂଗ୍ରହ କରାଯାଉଛି ବୋଲି ସେ କହିଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ଏହି ଗୁଳି ବିନିମୟ ସରଣ୍ଡା ଜଙ୍ଗଲର କୁମଡି ଅଞ୍ଚଳରେ ଘଟିଛି ବୋଲି ସୂଚନା ମିଳିଛି। ସେହିପରି ଜରାଇକେଲା ଥାନା ଅଞ୍ଚଳର ସାମଠା ଇଲାକାରୁ ମଧ୍ୟ ଏକ ନକ୍ସଲ ନିହତ ହୋଇଥିବା ଖବର ମିଳୁଛି। ମିଳିଥିବା ସୂଚନା ଅନୁସାରେ, ଏହି ଅଭିଯାନରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ତଥାପି ସରଣ୍ଡା ଜଙ୍ଗଲରୁ ଆସୁଥିବା ତଥ୍ୟ ଅନୁଯାୟୀ, ଗୁଳି ବିନିମୟ ଏବେ ଯାଏ ଜାରି ରହିଛି। ଯାହା ପାଇଁ ସମଗ୍ର ଜଙ୍ଗଲ ଅଞ୍ଚଳରେ ଭୟର ବାତାବରଣ ଦେଖା ଦେଇଛି।ଉଲ୍ଲେଖନୀୟ ଯେ, ସରଣ୍ଡା ଜଙ୍ଗଲକୁ ନକ୍ସଲୀମାନଙ୍କର ଏକ ମଜବୁତ ଗଡ ବୋଲି ଜଣାଯାଏ, ଯେଉଁଠାରେ ମିଶିର ବେଶ୍ରା ସମେତ ଅନେକ ଇନାମୀ ଓ ବଡ଼ ନକ୍ସଲ ନେତା ସକ୍ରିୟ ରହିଛି। ଏମାନଙ୍କ ଧରପଗଡ଼ ପାଇଁ ପୁଲିସ ଓ ସୁରକ୍ଷା ବାହିନୀ ସରଣ୍ଡା, କୋଲହାନ ଓ ପୋଡ଼ାହାଟ ଜଙ୍ଗଲ ଅଞ୍ଚଳରେ ଲଗାତାର ନକ୍ସଲ ବିରୋଧୀ ଅଭିଯାନ ଚଳାଇ ଆସୁଛନ୍ତି। ଉଲ୍ଲେଖନୀୟ ଯେ ଗତ ତିନି ଦିନ ତଳେ ସିଆରପିଏଫ୍‌ର ଡିଜି ଚାଇବାସାରେ ଏକ ବିଶେଷ ବୈଠକ କରିଥିଲେ, ଯେଉଁଠାରେ ନକ୍ସଲମାନଙ୍କ ବିରୋଧରେ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ନେଇ ଆଲୋଚନା ହୋଇଥିଲା। ବୈଠକ ପରେ ସୁରକ୍ଷା ବାହିନୀ ଏକ ବଡ଼ ଅଭିଯାନ ପାଇଁ ପ୍ରସ୍ତୁତି ନେଉଥିବାର ସଙ୍କେତ ମିଳିଥିଲା। ଉଲ୍ଲେଖନୀୟ ଯେ, କେନ୍ଦ୍ର ସରକାର ୨୦୨୬ ସୁଦ୍ଧା ଦେଶକୁ ନକ୍ସଲ ମୁକ୍ତ କରିବା ଲକ୍ଷ୍ୟ ଧାରଣ କରିଛନ୍ତି, ଏବଂ ସେହି ଲକ୍ଷ୍ୟକୁ ନଜରରେ ରଖି ସରଣ୍ଡା ଅଞ୍ଚଳରେ ଲଗାତାର ସଘନ ଅଭିଯାନ ଚାଲିଛି।