Odia News Portal

ଆମେରିକା ଓ ଇସ୍ରାଏଲର ଯୁଦ୍ଧ ପ୍ରସ୍ତୁତି: ଇରାନ ଉପରେ ଅତର୍କିତ ଆକ୍ରମଣ ହୋଇପାରେ

ଇରାନରେ ସରକାର ବିରୋଧୀ ଆନ୍ଦୋଳନକୁ ଦମନ କରିବା ପାଇଁ ହୋଇଥିବା ରକ୍ତାକ୍ତ ସଂଘର୍ଷ ପରେ ଏବେ ସେଠାରେ ଉତ୍ତେଜନା କମିଥିଲେ ମଧ୍ୟ ଯୁଦ୍ଧ ଆଶଙ୍କା ଟଳିନାହିଁ।  ଆମେରିକା ନିଜର ଶକ୍ତି ପ୍ରଦର୍ଶନ କରି ମଧ୍ୟପ୍ରାଚ୍ୟକୁ ବହୁ ସଂଖ୍ୟାରେ ସାମରିକ ସରଞ୍ଜାମ, ବିମାନବାହୀ ଜାହାଜ ଏବଂ ଯୁଦ୍ଧବିମାନ ପଠାଇବା ପ୍ରକ୍ରିୟା ଜାରି ରଖିଥିବାରୁ ଇରାନ ଉପରେ ଯେ କୌଣସି ସମୟରେ ଅତର୍କିତ ଆକ୍ରମଣ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଆମେରିକା ପ୍ରତିରକ୍ଷା ବିଭାଗ (ପେଣ୍ଟାଗନ୍) ସୂଚନା ଦେଇଛି ଯେ, ୟୁଏସ୍‌ଏସ୍‌ ଆବ୍ରାହମ୍ ଲିଙ୍କନ୍ କ୍ୟାରିୟର ଷ୍ଟ୍ରାଇକ୍ ଗ୍ରୁପ୍‌କୁ ପ୍ରଶାନ୍ତ ମହାସାଗରରୁ ହଟାଇ ମଧ୍ୟପ୍ରାଚ୍ୟ ଅଭିମୁଖେ ପଠାଯାଇଛି। ଏହା ସହିତ ଏକାଧିକ ଏଫ୍‌-୧୫ଇ ଯୁଦ୍ଧବିମାନ ବ୍ରିଟେନରୁ ଜୋର୍ଡାନକୁ ପଠାଯାଇଛି। ଆଗାମୀ ଦିନରେ ଏଫ୍‌ ୧୬ ଏବଂ ଏ-୧୦ ଆଟାକ୍ ଏୟାରକ୍ରାଫ୍ଟ ମଧ୍ୟ ଏହି ଅଞ୍ଚଳରେ ମୁତୟନ କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। ତେହେରାନ ଉପରେ  ଆମେରିକା ଅତି ଅପ୍ରତ୍ୟାଶିତ ଢଙ୍ଗରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ବୋଲି ଆଶଙ୍କା କରି ଇସ୍ରାଏଲ ମଧ୍ୟ ଯୁଦ୍ଧ ପ୍ରସ୍ତୁତି ଚଳାଇଛି।  ଆମେରିକାର ଆକ୍ରମଣ ଆରମ୍ଭ ହେବାମାତ୍ରେ ଇରାନ ଇସ୍ରାଏଲକୁ ପ୍ରଥମେ ଟାର୍ଗେଟ୍‌ କରିବା ପ୍ରାୟ ନିଶ୍ଚିତ ଥିବାରୁ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍‌) ବ୍ୟାପକ ପ୍ରସ୍ତୁତି ଚଳାଇଛି।  ଦେଶର ବାୟୁସେନା ଏବଂ ଗୁପ୍ତଚର ସଂସ୍ଥାଗୁଡ଼ିକୁ ସର୍ବାଧିକ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆମେରିକାର ଇରାନ ଆକ୍ରମଣ ସ୍ଥିତିରେ ଇରାନ  ସମର୍ଥିତ ହିଜବୁଲ୍ଲା ଏବଂ ଅନ୍ୟ ଗୋଷ୍ଠୀମାନେ ମଧ୍ୟ ଇସ୍ରାଏଲକୁ ଟାର୍ଗେଟ୍‌ କରିବେ। ଆତଙ୍କବାଦୀ ସଂଗଠନଗୁଡ଼ିକ ପକ୍ଷରୁ  ଭୀଷଣ ରକେଟ୍ ମାଡ଼ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଇସ୍ରାଏଲର ‘ଆଇରନ୍ ଡୋମ୍’ ଏବଂ ‘ଆରୋ’ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀକୁ ସଜାଗ ରଖାଯାଇଛି। ଇସ୍ରାଏଲର ଜଣେ ବରିଷ୍ଠ ସାମରିକ ଅଧିକାରୀଙ୍କ କହିବା ଅନୁଯାୟୀ, ଆମେରିକାର କାର୍ଯ୍ୟାନୁଷ୍ଠାନ ଏତେ ଶୀଘ୍ର ହୋଇପାରେ ଯେ ହୁଏତ ପୂର୍ବରୁ ସୂଚନା ପାଇବା ପାଇଁ ଅଧିକ ସମୟ ମିଳିନପାରେ। ତେଣୁ, ଇସ୍ରାଏଲ ସରକାର ନିଜର ସମସ୍ତ ସାମରିକ ୟୁନିଟ୍‌କୁ କମ୍ ସମୟ ମଧ୍ୟରେ ଜବାବ ଦେବା ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି। ଇତିମଧ୍ୟରେ ଆମେରିକା ନିଜର କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ (ଥାଡ୍‌ ଏବଂ ପାଟ୍ରିୟଟ)କୁ ମଧ୍ୟ ହାଇ-ଆଲର୍ଟରେ ରଖିଛି।