Odia News Portal

ଭାରତ ମହାସାଗରକୁ ଖସିଲା ଯାତ୍ରୀବାହୀ ବିମାନ, ସମସ୍ତ ଯାତ୍ରୀ ଓ କ୍ରୁ ସଦସ୍ୟ ସୁରକ୍ଷିତ

ସୋମାଲିଆ ସମୁଦ୍ରରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯାହା ବ୍ୟାପକ ଉତ୍ତେଜନା ସୃଷ୍ଟି କରିଛି । ଏହି ଘଟଣା ସୋମାଲିଆର ରାଜଧାନୀ ମୋଗାଡିସୁରେ ଘଟିଥିବା ସୂଚନା ମିଳିଛି । ଆଡେନ୍ ଅବଦୁଲ୍ଲେ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଭରିବାର କିଛି ମିନିଟ୍ ପରେ ଏକ ଯାତ୍ରୀବାହୀ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ପାଇଲଟଙ୍କୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା । ଯାହାଫଳରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯାହାର ଭୟଙ୍କର ଭିଡିଓ ସାମ୍ନାକୁ ଆସିଛି । ସୂଚନାନୁଯାୟୀ, ଷ୍ଟାରସ୍କାଇ ଆଭିଏସନ୍ ଫୋକର ୫୦ ବିମାନ ମୋଗାଡିସୁରୁ ଉତ୍ତର ସହର ଗାଲକାୟୋକୁ ଉଡ଼ାଣ କରୁଥିଲା । ଉଡ଼ାଣ ଆରମ୍ଭ ହେବାର ପ୍ରାୟ ୧୫ ମିନିଟ୍ ପରେ ପାଇଲଟ୍ ଏକ ଯାନ୍ତ୍ରିକ ସମସ୍ୟା ଯୋଗୁଁ ଫେରିବା ପାଇଁ ଅନୁମତି ମାଗିଥିଲେ। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନଟି ରନୱେରୁ ଖସି ଭାରତ ମହାସାଗରରେ ପଡ଼ିଥିଲା । ଯାହା ଦ୍ବାରା ବିମାନ କ୍ଷତିଗ୍ରସ୍ତ ହୋଇପଡିଛି । କିନ୍ତୁ ସମସ୍ତ ୫୦ ଯାତ୍ରୀଙ୍କ ସମେତ ୫ ଜଣ କ୍ରୁର ସଦସ୍ୟ ସୁରକ୍ଷିତ ଥିବା ଜଣାପଡିଛି । ଯାନ୍ତ୍ରିକ ତ୍ରୁଟିର କାରଣ ନିର୍ଣ୍ଣୟ କରିବା ପାଇଁ ତଦନ୍ତ ଆରମ୍ଭ କରାଯାଇଛି ।