Odia News Portal

ଲାଲକିଲ୍ଲା ବିସ୍ଫୋରଣ ପଛରେ ଜୈଶ-ଏ-ମହମ୍ମଦର ହାତ, ଜାତିସଂଘ ରିପୋର୍ଟରେ ଖୁଲାସା

ଲାଲକିଲ୍ଲା ନିକଟରେ ହୋଇଥିବା ଭୟଙ୍କର ବିସ୍ଫୋରଣର ଯାଞ୍ଚରେ ଏକ ବଡ଼ ଖୁଲାସା ହୋଇଛି । ୩୭ତମ ଜାତିସଂଘ ରିପୋର୍ଟରେ ଦିଲ୍ଲୀ ଲାଲକିଲ୍ଲା ଆକ୍ରମଣରେ ଜୈଶ-ଏ-ମହମ୍ମଦର ହାତ ଥିବା ସୂଚନା ମିଳିଛି । ଗତ ବର୍ଷ ନଭେମ୍ବର ୧୦ ତାରିଖରେ ଏହି ଆକ୍ରମଣରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିଲା । ସେତେବେଳେ ଜୈଶ ଏହି ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିଥିଲା । ୩୭ତମ ଜାତିସଂଘ ରିପୋର୍ଟରେ ମସୁଦ ଆଝାରର ନୂତନ ଶାଖା ଜମାତ-ଉଲ-ମୁମିନାତ ବିଷୟରେ ମଧ୍ୟ ଉଲ୍ଲେଖ ରହିଛି ।ରିପୋର୍ଟ ଅନୁଯାୟୀ, ନଭେମ୍ବର ୧୦ ତାରିଖରେ ନୂଆଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ଆକ୍ରମଣରେ ୧୫ ଜଣ ଲୋକ ପ୍ରାଣ ହରାଇଥିଲେ । ଏହାକୁ ନେଇ ଜାତିସଂଘର ରିପୋର୍ଟରେ କୁହାଯାଇଛି ଯେ, ଗୋଟିଏ ସଦସ୍ୟ ଦେଶ ରିପୋର୍ଟ କରିଛି ଯେ, ଜୈଶ-ଏ-ମହମ୍ମଦ ଏହି ଆକ୍ରମଣ ପାଇଁ ଦାୟୀ ।ଭାରତ ଦାବି କରିଛି ଯେ, ଜୈଶ-ଏ-ମହମ୍ମଦ ଏବେ ବି ସକ୍ରିୟ ଏବଂ ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ରହିଛି, ଯେତେବେଳେ ପାକିସ୍ତାନ ଏହି ସଂଗଠନକୁ ନିଷ୍କ୍ରିୟ ବୋଲି ବର୍ଣ୍ଣନା କରିଛି । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଜୈଶ ମୁଖ୍ୟ ମାସୁଦ ଆଝାର ଅକ୍ଟୋବର ୮ ତାରିଖରେ ଏକ ପୃଥକ ମହିଳା ଶାଖା ଗଠନ ଘୋଷଣା କରିଥିଲେ, ଏହାକୁ ଜମାତ-ଉଲ-ମୁମିନାତ ନାମ ଦେଇଥିଲେ । ତେବେ ଜାତିସଂଘର ଏହି ନୂତନ ରିପୋର୍ଟ ସୀମାପାର ଆତଙ୍କବାଦ ଓ ଅଞ୍ଚଳୀୟ ସୁରକ୍ଷାକୁ ନେଇ ପୁନର୍ବାର ଗୁରୁତର ପ୍ରଶ୍ନ ଉଠାଇଛି ।