Odia News Portal

ଭାରତ-ଆମେରିକା ଅନ୍ତରୀଣ ବାଣିଜ୍ୟ ରାଜିନାମା: ଆସନ୍ତା ସପ୍ତାହରେ ୱାସିଂଟନ ଯିବେ ଭାରତୀୟ ପ୍ରତିନିଧି ମଣ୍ଡଳୀ

ଭାରତ ଓ ଆମେରିକା ମଧ୍ୟରେ ନିକଟରେ ଅନ୍ତରୀଣ ବାଣିଜ୍ୟ ରାଜିନାମା ଢାଞ୍ଚା ଘୋଷଣା ହୋଇଛି। ଆସନ୍ତାମାସରେ ଏହି ରାଜିନାମା ସ୍ବାକ୍ଷର ହେବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ଭାରତର ପ୍ରତିନିଧି ମଣ୍ଡଳୀ ଆସନ୍ତା ସପ୍ତାହରେ ୱାସିଂଟନ ଗସ୍ତରେ ଯିବେ। ସେମାନେ ରାଜିନାମା ସଂକ୍ରାନ୍ତ ଆଇନଗତ ଦସ୍ତାବିଜକୁ ଚୂଡ଼ାନ୍ତ ରୂପ ଦେବେ। ବାଣିଜ୍ୟ ସଚିବ ରାଜେଶ ଅଗ୍ରୱାଲ ଏହି ସୂଚନା ଦେଇଛନ୍ତି। ଭାରତୀୟ ଅଧିକାରୀମାନଙ୍କ ଗସ୍ତ ଫେବ୍ରୁଆରି ୨୩ ତାରିଖରୁ ଆରମ୍ଭ ହେବା ସମ୍ଭାବନା ରହିଛି। ଭାରତର ମୁଖ୍ୟ ମୂଲଚାଲକାରୀ ତଥା ବାଣିଜ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଦର୍ପଣ ଜୈନ ଭାରତୀୟ ପ୍ରତିନିଧି ମଣ୍ଡଳୀର ନେତୃତ୍ବ ନେବେ। ମାର୍ଚ୍ଚରେ ରାଜିନାମା ଚୂଡ଼ାନ୍ତ ହେବା ସହ ଦସ୍ତଖତ ହେବାର କାର୍ଯ୍ୟକ୍ରମ ରହିଛି। କିନ୍ତୁ ଏ ନେଇ କୌଣସି ସମୟସୀମା ରଖାଯାଇ ନାହିଁ। ଆଇନଗତ ରାଜିନାମାରେ କେତେକ ଜଟିଳ ବିଷୟ ଆସିପାରେ। ତାହାକୁ ଉଭୟ ପକ୍ଷଙ୍କୁ ସମାଧାନ କରିବାକୁ ପଡ଼ିବ ବୋଲି ଶ୍ରୀ ଅଗ୍ରୱାଲ କହିଛନ୍ତି। ଅନ୍ତରୀଣ ବାଣିଜ୍ୟ ରାଜିନାମା ଅଧୀନରେ ଉଭୟ ପକ୍ଷ ପରସ୍ପରକୁ ଅନେକଗୁଡ଼ିଏ ସାମଗ୍ରୀ ଉପରେ ଶୁଳ୍କ ରିହାତି ପ୍ରଦାନ କରିବେ। ଉଲ୍ଲେଖଯୋଗ୍ୟ, ଆମେରିକା ଭାରତ ଉପରେ ପାଲଟା ଶୁଳ୍କକୁ ୨୫ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ ଘୋଷଣା କରିଛି। ଏଥିସହିତ ରୁଷ୍‌ରୁ ତେଲ କିଣା ବାବଦରେ ଲଗାଇଥିବା ୨୫ ପ୍ରତିଶତ ଶୁଳ୍କକୁ ସଂପୂର୍ଣ୍ଣ ହଟାଇ ଦେଇଛି।